ରାଜ୍ୟରେ ବନ୍ୟା ସ୍ଥିତି : ବସ୍ତି ଧୋଇନେଲା ବନ୍ୟାଜଳ, ଟ୍ରକ୍ ଓଲଟିଲା-ଲୋକ ଭାସିଗଲେ

1 min read

ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ହେଉଛି । ଫଳସ୍ୱରୂପ ଅନେକ ଜିଲ୍ଲାରେ ବନ୍ୟା ସ୍ଥିତି ଦେଖା ଦେଲାଣି । ଢେଙ୍କାନାଳ ଜିଲ୍ଲାର ଭୁବନ ଅଞ୍ଚଳରେ ବନ୍ୟାସ୍ଥିତି ଭୟଙ୍କର ରୂପ ନେଉଛି  ।  ଆଜି ବନ୍ୟା ଜଳରେ ଜଣେ ଯୁବକ ଭାସି ଯାଉଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ସୂଚନା ଅନୁଯାୟୀ, ଯୁବକ ଜଣଙ୍କ ଶ୍ରମିକ ଅଟନ୍ତି । ଏକ ପୋଲ ନିର୍ମାଣ କାର୍ଯ୍ୟରେ ତାଙ୍କୁ ନିଯୋଜିତ କରାଯାଇଥିଲା । ତାଙ୍କ ସମେତ ସମୁଦାୟ ୧୨ ଜଣ ଶ୍ରମିକ ଏହି କାର୍ଯ୍ୟରେ ନିୟୋଜିତ ଥିଲେ । ତେବେ କାମ କରୁଥିବା ପୋଲ ପାଖରେ ଏକ ଅସ୍ଥାୟୀ କ୍ୟାମ୍ପ କରି ଏମାନେ ରହୁଥିଲେ । ପାଣ୍ଡରା ନାଳର ଜଳସ୍ତର ବଢିବା ହେତୁ ପାଣି ମାଡ଼ି ଆସିଥିଲା । ଫଳରେ ଯୁବକ ଜଣଙ୍କ ଫସି ରହି ଯାଇଥିଲେ ।

ଅନ୍ୟପକ୍ଷରେ କଟକ-ସମ୍ବଲପୁରର ପୁରୁଣା ରାସ୍ତା ମଧପୁର ଠାରେ ରାସ୍ତା ଉପରେ ୩ ଫୁଟର ପାଣି ଲହଡି ମାରୁଛି । ଯାନବାହନ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ପାଣିରେ ରାସ୍ତା ଦେଖା ନଯିବା ଫଳରେ ଏକ ବାଇଗଣ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତାରେ ଲେଉଟି ପଡିଛି । ତେବେ ଏଥିରେ ଗାଡି ଚାଳକଙ୍କ କିଛି କ୍ଷତି ଘଟିନାହିଁ ।

ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ବନ୍ୟାର ପ୍ରଭାବ ଦେଖିବାକୁ ମିଳିଲାଣି । ଅନେକ ସ୍ଥାନରେ ଗମାନଗମନ ବିପଦସଙ୍କୁଳ ହୋଇ ପଡ଼ିଥିବା ବେଳେ ଜଳସ୍ତର ପ୍ରାୟ ୨ଫୁଟରୁ ୩ ଫୁଟ ଉଚ୍ଚରେ ଦେଖିବାକୁ ମିଳିଛି । ପ୍ରବଳ ପାଣି ଚାଲିବା ଯୋଗୁ କାଙ୍ଗୁରକୋଣ୍ଡା ପୋଲ ଉପରୁ ଟ୍ରକ ଭାସିଯାଇଛି । ଟ୍ରକ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅଗ୍ନିଶମ ବାହିନୀ ଦ୍ୱାରା ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି  । କାଙ୍ଗୁରକୋଣ୍ଡା ପୋଲ ବ୍ୟତୀତ ମହାରାଜପଲି,ଏମଭି ୯୦, କନ୍ୟାଶ୍ରମ, କାଙ୍ଗୁରକୋଣ୍ଡା ଓ ପୋଟେରୁ, ସମସ୍ତ ପୋଲ ଗୁଡିକରେ ୨ରୁ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି  । ମାଲକାନଗିରିରୁ କାଲିମେଳା ଓ ମୋଟୁକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଚାଷଜମି, ଘର ଜଳବନ୍ଦୀ ଅବସ୍ଥାରେ ରହିଛି  । ପରିସ୍ଥିତିର ମୁକାବିଲା  ପାଇଁ ପୋଲିସ, ଅଗ୍ନିଶମ ବାହିନୀ ଏବଂ ବ୍ଲକ ପ୍ରଶାସନ ସଜାଗ ରହିଛି  ।

ଅନ୍ୟପକ୍ଷରେ ଯାଜପୁର ଜିଲ୍ଲାରେ ମଧ୍ୟ ବନ୍ୟା ସ୍ଥିତି ସଙ୍ଗୀନ ହୋଇଛି । ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟ ଏକ ଆଦିବାସୀ ବସ୍ତିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲିଠୁ ପ୍ରବଳ ବର୍ଷା ଯୋଗୁଁ ବସ୍ତି ପାଖରେ ଯାଇ ଥିବା ଏକ କେନାଲ ପାଣି ବସ୍ତି ଅଂଚଳକୁ ପଶି ଯାଇ ବନ୍ୟା ପରିସ୍ଥିତି ଦେଖା ଦେଇଛି । ଅଚାନକ ରାତି ଅଧରେ ପାଣି ଆସିବାରୁ ବସ୍ତି ବାସିନ୍ଦା ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ । ଏହି ବସ୍ତି ରେ ୫୦ରୁ ଉର୍ଦ୍ଧ୍ୱ ପରିବାର ବସବାସ କରନ୍ତି । ଘରର ସମସ୍ତ  ଜିନିଷପତ୍ର ବୁଡି ଯାଇଥିବାରୁ ଲୋକେ ଭୋକ ଉପାସରେ ବାହାରେ ବସି ରହିଛନ୍ତି । କୌଣସି ପ୍ରଶାସନିକ ଅଧିକାରୀ ପହଂଚି ନଥିବା ଲୋକେ ଅଭିଯୋଗ କରିଛନ୍ତି ।

ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇପଡିଛି ଧାମନଗର ବିଜ୍ଞାପିତ ପରିଷଦ ଅଞ୍ଚଳ । ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଧାମନଗର ବ୍ଲକରେ ସର୍ବାଧିକ ୨୬୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ବର୍ଷା ଯୋଗୁଁ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କେତେକ ସ୍ଥାନରେ ରାସ୍ତା ଉପରେ ପାଣି ଚାଲିଛି । ଏମିତି କି ଧାମନଗର ଏନଏସି ମଧ୍ୟ ପାଣିରେ ବୁଡି ଯାଇଛି । କାର୍ଯ୍ୟାଳୟ ମଧ୍ୟରେ ପାଣି ଭର୍ତ୍ତି ହୋଇଯାଇଛି । କେତେକ ସ୍ଥାନରେ ଘରେ ପସିଛି ପାଣି ।

Leave a Reply