ଜୀବନକୁ ରଙ୍ଗୀନ କରିଥିଲା ଅବିର, ଜଳ ଧୋଇନେଲା…

1 min read

କଟକ/ଗୁଣୁପୁର: ହୋଲିରେ ଫିକା ପଡ଼ିଛି ରଙ୍ଗ । ନିମିଷକେ ଜଳ ଲିଭେଇ ଦେଇଛି ୫ ଜୀବନ ଦୀପ । ଆନନ୍ଦ, ଉଲ୍ଲାସର ପର୍ବ ହୋଲି ଆଣିଦେଇଛି ଦୁଃଖ । ଅବିର ଖେଳି ଗାଧୋଇବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ି ୫ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ନିଖୋଜ ଅଛନ୍ତି ।

ରଙ୍ଗ ଖେଳି କଟକ କାଠଯୋଡ଼ିରେ ଗାଧୋଇବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି । ବୟାଳିଶ ମୌଜା ନିକଟରେ କେନ୍ଦ୍ରୀୟ ବିଦ୍ୟାଳୟ ୨ର ଅଷ୍ଟମ ଶ୍ରେଣୀର ଛାତ୍ର ଶୁଭମ କୁମାର ଓ ନିଶାନ୍ତ ପାଢୀ ରଙ୍ଗ ଖେଳିସାରି ଗାଧୋଉଥିଲେ । ସେମାନଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା । ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି ।

ସେହିଭଳି ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା କେନ୍ଦୁଗୁଡ଼ା ଡ୍ୟାମରେ ଗାଧୋଇବାକୁ ଯାଇ ୩ ଜଣଙ୍କ ଜୀବନ ଯାଇଛି । ମୃତକ ହେଉଛନ୍ତି କେ. ବରୁଣ, କେ. ଅଭିଷେକ କୁମାର ଓ ସୁରେଶ ଚୌଧୁରୀ । ସମସ୍ତଙ୍କ ବୟସ ୧୯ରୁ ୨୦ ବର୍ଷ । ରଙ୍ଗ ଖେଳି ଡ୍ୟାମରେ ଗାଧୋଉଥିବା ବେଳେ ବୁଡ଼ି ସେମାନଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପଟେ ନରାଜରେ କାଠଯୋଡ଼ି ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ହୋଲି ଖେଳି ଗାଧୋଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ଅଗ୍ନିଶମ ବାହିନୀ ତାଙ୍କୁ ଖୋଜୋଖୋଜି ଜାରି ରଖିଛି ।

https://youtu.be/NoQJ2KDAGDU

Leave a Reply