ଅଭିନେତା ବିଜୟଙ୍କ ମୃତ୍ୟୁ ଗୁଜବ, ରୁଜୁ ହେଲା ମାମଲା

ଭୁବନେଶ୍ୱର: ସୁଧୁରୁଛି ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା । ଭୁବନେଶ୍ୱରର ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟ ଭଲ ହେବାରେ ଲାଗିଛି । କିନ୍ତୁ, କିଛି ୱେବ ପୋର୍ଟାଲ୍ ବିଜୟ ମହାନ୍ତିଙ୍କ ମୃତ୍ୟୁ ଖବର ପ୍ରକାଶ କରି ଅପପ୍ରଚାର କରୁଛନ୍ତି । ଏଭଳି ଗୁଜବ ସୃଷ୍ଟି କରୁଥିବା ପୋର୍ଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସିନେ ଆର୍ଟିଷ୍ଟ ଆସୋସିଏସନ୍ । ଗୁଜବ ଖବର ପରିବେଷଣ କରୁଥିବା ୱେବସାଇଟ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଏନେଇ କ୍ୟାପିଟାଲ ଥାନାରେ ଏକ ମାମଲା ରୁଜୁ ହୋଇଛି ।

ଓଲିଉଡର ଭେଟେରାନ୍ ଅଭିନେତା ବିଜୟ ମହାନ୍ତି ଆରୋଗ୍ୟ ଲାଭ କରୁଥିବା ବେଳେ ସୋମବାର ରାତିରେ ତାଙ୍କ ମୃତ୍ୟୁ ଖବର ପ୍ରକାଶ କରିଥିଲା ଏକ ୱେବସାଇଟ୍ । ସମ୍ପୃକ୍ତ ୱେବସାଇଟ୍ ବିରୋଧରେ କଳିଙ୍ଗ ସିନେ ଆର୍ଟ୍ସ ଫାଉଣ୍ଡେସନ୍ ପକ୍ଷରୁ ଇନଫୋସିଟି ଥାନାରେ ରାଣୀ ପଣ୍ଡାଙ୍କ ନେତୃତ୍ୱରେ ଏତଲା ଦାଏର ହୋଇଛି ।

କିଛିଦିନ ତଳେ ବିଜୟ ମହାନ୍ତି ହାଇଦ୍ରାବାଦରେ ରହୁଥିବା ଝିଅ ପାଖକୁ ଯାଇଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ । ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା । ସେଠାରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ବିଜୟଙ୍କୁ ଆଣି ରାଜଧାନୀର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

(ଭୁବନେଶ୍ୱରରୁ ଶତ୍ରୁଘ୍ନ ବିଶ୍ୱାଳ)

Leave a Reply