ସାର ମିଳୁନି : ହରଡ଼ଘଣାରେ ଚାଷୀ, କଳାବଜାରୀ ମାଲେମାଲ୍

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶା ଓ ଏବେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାର ଅଭାବ ଏକ ପ୍ରମୁଖ ସମସ୍ୟା ହୋଇ ଉଭା ହେଲାଣି ।  ଏବର୍ଷ ବର୍ଷା ବିଳମ୍ୱରେ ଆସିଲା ହେଲେ ଗଲା ସପ୍ତାହେ ହେବ ବର୍ଷୁଛି । ବର୍ଷା ଭଲ ହେବା ହେତୁ ଧାନ ରୁଆ କାମ ଆରମ୍ଭ ହୋଇ ସାରିଲାଣି । ଏଭଳି ସ୍ଥିତି ଚାଷୀକୁ ସାର ନିହାତି ଦରକାର ହେବ । ସରକାରୀ ସାର କମ୍ ଦାମରେ ମିଳୁଥିବା ହେତୁ ସବୁ ଚାଷୀ ସେଇ ସାର ପାଇଁ ମନ ବଳାନ୍ତି । ହେଲେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବେ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ସରକାରୀ ସାର ପହଞ୍ଚିନି । ଯାହା ପହଞ୍ଚିବା କଥା ତା’ ୩ ଭାଗରୁ ଭାଗେ ଆସିଛି । ଏଣୁ ଚାଷୀ ଏବେ ହରଡ଼ଘଣାରେ । ବାଧ୍ୟ ହୋଇ ଲାଇସେନ୍ସପ୍ରାପ୍ତ ହୋଲସେଲର ଓ ରିଟେଲରଠାରୁ ସାର କିଣୁଛନ୍ତି । ୪୬ କିଲୋର ସାର ପ୍ୟାକେଟକୁ ସରକାର ୨୬୬ ଟଙ୍କା ୫୦ ପଇସାରେ ଦିଅନ୍ତି । ହେଲେ ସାର ଅଭାବ ସ୍ଥିତିରେ ଚାଷୀ ବଜାରରୁ ଏହାକୁ ଦୁଇ ଗୁଣା ଦରରେ କିଣୁଛନ୍ତି ।

ନୟାଗଡ଼ ଜିଲ୍ଲାରେ ୩ଶହ ହେକ୍ଟର ଜମିରେ ଖରିଫ୍ ଧାନ ଚାଷ ହୋଇଛି । ଏତକ ଧାନ ଚାଷ ପାଇଁ ୩୫ ହଜାର ୧୧୩ ମେଟ୍ରିକ୍ ଟନ୍ ସାର ଦରକାର ହେବ । ହେଲେ ସାର ଅଭାବ ସ୍ଥିତି ଚାଷୀର ଚିନ୍ତା ବଢାଇଛି । ଅନ୍ୟପକ୍ଷରେ ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଆୟୁର ଦେହୀ ମିଶ୍ର କହିଛନ୍ତି ଯେ, ନୟାଗଡ଼ ଜିଲ୍ଲାରେ ସାର କଳାବଜାରୀକୁ ରୋକିବାକୁ ସବୁ ପ୍ରକାର ଉଦ୍ୟମ ହେଉଛି । ସେହିଭଳି ଗଞ୍ଜାମ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି । କଳାବଜାରରେ ସାର ୪ଶହରୁ ୫ଶହ ଟଙ୍କାର ଦରରେ ମିଳୁଛି । ଅନେକ ଜିଲ୍ଲାରେ ଏବେ ଏଭଳି ସାର ଅଭାବ ଦେଖା ଦେଇଛି । ସରକାର ଏହାର ସମାଧାନ ଖୁବ୍ ଶୀଘ୍ର ନକଲେ ଚାଷୀଙ୍କ ସମସ୍ୟା ଅଦିକ ଜଟିଳ ହେବ ବୋଲି ଚାଷୀମାନେ କହିଛନ୍ତି ।

Leave a Reply