ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ୍‌ ଚାଷୀଙ୍କ ପ୍ରତି ଅପମାନ: କୃଷକ ନେତା

1 min read

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ ଚାଷୀ ଆଇନକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ୪ ଦିନ ଧରି ଖରା, କାକରରେ ନିଜର ହକ୍ ପାଇଁ ଅଡ଼ି ବସିଛି ଚାଷୀକୁଳ । ନୂଆକୃଷି ଆଇନ୍ ପ୍ରତ୍ୟାହାର କରିବାକୁ ଦାବି କରି ଦିଲ୍ଲୀ ସୀମାରେ ହକ୍ ପାଇଁ ଏକଜୁଟ ହୋଇଛନ୍ତି ହଜାର ହଜାର ଚାଷୀ । ହେଲେ ସବୁଠାରୁ ବଡ଼ କଥା ହେଲା ଚାଷୀମାନେ ନିଜ ହକ୍‌ ପାଇଁ ଅନେକ ବାଧା ବିଘ୍ନକୁ ସହି ଆନ୍ଦୋଳନକୁ ଆସିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କୁ ତାତ୍ସଲ୍ୟ କଲା ଭଳି କହିଛନ୍ତି । ସେ କହିଛନ୍ତି, ଚାଷୀମାନେ ପ୍ରଥମେ ଫୋରମ୍‌ରେ ଆସନ୍ତୁ ବା ନିୟମ ଅନୁଯାୟୀ ଆସନ୍ତୁ । ତା’ପରେ ସରକାରଙ୍କ ସହ ଆଲୋଚନା କରିବେ । ଏହାସହ ଏଠିସେଠି ଆନ୍ଦୋଳନ ନକରି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସ୍ଥାନରେ ଆନ୍ଦୋଳନ କରନ୍ତୁ ।

ତେବେ ଶାହଙ୍କ ଏଭଳି ବୟାନ୍‌କୁ ନେଇ କୃଷକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କୃଷକ ନେତା ରାକେଶ ଟିକେତ୍ କହିଛନ୍ତି ଗୃହମନ୍ତ୍ରୀଙ୍କ ଏଭଳି ବୟାନ୍‌ ଚାଷୀଙ୍କୁ ଅପମାନ । ଏଭଳି କହି ଚାଷୀଙ୍କୁ ସେ ତାତ୍ସଲ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ, ଚାଷୀ ମାରଣ ନୀତି ପ୍ରତିବାଦରେ ଏକ ଦୀର୍ଘକାଳୀନ ଆନ୍ଦୋଳନ ପାଇଁ ସଜବାଜ ହୋଇଛନ୍ତି ଚାଷୀ । ସେମାନଙ୍କ ଗାଡିରେ ରାସନ ସାମଗ୍ରୀ, ରୋଷେଇ ସରଞ୍ଜାମ, କମ୍ବଳ ଆଦି ମହଜୁଦ୍‌ ରହିଛି । ଖାଲି ସେତିକି ନୁହେଁ ମୋବାଇଲ ରିଚାର୍ଜ ପାଇଁ ମଧ୍ୟ ଗାଡ଼ିରେ ବ୍ୟବସ୍ଥା କରାଯାଇଛି । କୃଷକମାନଙ୍କୁ ଦିଲ୍ଲୀ ବୁରାଡିର ନିରଙ୍କାରୀ ଗ୍ରାଉଣ୍ଡରେ ପ୍ରଦର୍ଶନ କରିବାକୁ ଅନୁମତି ମିଳିଛି ।

Farmers

କିନ୍ତୁ କୃଷକଙ୍କ ଏକ ବଡ ସଂଗଠନ ସିନ୍ଧୁ ଓ ଟିକରି ସୀମାରେ ସେମାନଙ୍କ ଡେରା ଜମାଇଛନ୍ତି । ଫଳରେ ସୀମାରେ ଯାତାୟାତ ଏକପ୍ରକାର ବାଧାପ୍ରାପ୍ତ ହୋଇଛି । ସେପଟେ କୃଷକଙ୍କ ଆଉ ଏକ ସଂଗଠନ ଗାଜିପୁର ସୀମାରେ ଏକତ୍ରିତ ହୋଇ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ଝାନ୍‌ସୀ-ମିର୍ଜାପୁର ଜାତୀୟ ରାଜପଥର କୁଲପାହାଡରେ ୫ ଶହରୁ ଅଧିକ କୃଷକ ଧାରଣାରେ ବସି ରହିଛନ୍ତି । ରବିବାର ଅପରାହ୍ନରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ଉପରେ ବିଚାର କରିବାକୁ କୃଷକ ସଂଗଠନର ଏକ ବୈଠକ ଡକାଯାଇଛି ।

Leave a Reply