ଦେଶ ଦେଖିଲା ବିରାଟ ରାଲି, ଦାବି ନମାନିଲେ ଆନ୍ଦୋଳନ ଆହୁରି ତେଜିବ କହିଲେ ଚାଷୀ

1 min read
tractor Rally

ନୂଆଦିଲ୍ଲୀ: ଦେଶ ଦେଖିଲା ବିଶାଳ ଟ୍ରାକ୍ଟର ରାଲି । ନୂଆ କୃଷି ଆଇନକୁ ବିରୋଧ କରି ଗୁରୁବାର ଟ୍ରାକ୍ଟର ରାଲିରେ କରିଥିଲେ ହଜାର ହଜାର ଚାଷୀ । ଶୁକ୍ରବାର କେନ୍ଦ୍ର ସରକାରଙ୍କ ସହ ହେବାକୁ ଥିବା ବୈଠକରେ ଯଦି ଦାବି ପୂରଣ ନହୁଏ, ଆଗକୁ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି । ତେବେ ନୂଆ କୃଷି ଆଇନ ଚାଷୀଙ୍କ ହିତରେ ବୋଲି ପୁଣିଥରେ ଦୋହରାଇଛନ୍ତି କୃଷିମନ୍ତ୍ରୀ ।

ଅନ୍ୟପଟେ ଟ୍ରାକ୍ଟର ମାଧ୍ୟମରେ ଟ୍ରେଲର ଦେଖାଇଛନ୍ତି ଚାଷୀ । ସରକାରଙ୍କ ଉପରେ ଚାପ ପକାଇବା ପାଇଁ ବଡ଼ ପ୍ରୟାସ । ସିଂଘୁ ସୀମାରୁ ଟିକ୍ରି ଓ ଟିକ୍ରିରୁ ଶାହାଜାଂହାପୁର । ଗାଜିପୁରରୁ ପଲଓ୍ୱର, ଦେଖିବାକୁ ମିଳିଥିଲା ଚାଷୀଙ୍କ ଟ୍ରାକ୍ଟର ରାଲି । ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ସୀମାରେ ଦେଖିବାକୁ ମିଳିଥିଲା ଚାଷୀଙ୍କ ଟ୍ରାକ୍ଟର ପରେଡ୍‌ ରିହର୍ସାଲ । ହଜାର ହଜାର ଚାଷୀ ଏଥିରେ ସାମିଲ ହୋଇଥିଲେ । ଯଦି ସରକାର ସେମାନଙ୍କ ଦାବି ନ ମାନନ୍ତି ତେବେ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ଚେତାବନୀ ଦେଇଛନ୍ତି ଅନ୍ନଦାତା ।

ନୂଆ କୃଷି ଆଇନକୁ ନେଇ ସରକାର ଓ ଚାଷୀ ସଂଗଠନ ମଧ୍ୟରେ ବସୁଛି ବାରମ୍ବାର ବୈଠକ । ହେଲେ ସମାଧାନର ବାଟ ବାହାରିପାରୁନି । ଶୁକ୍ରବାର ପୁଣି ଦିଲ୍ଲୀ ବିଜ୍ଞାନ ଭବନରେ ବସିବ ବୈଠକ । ଦୁଇଟି ପ୍ରସ୍ତାବ ଉପରେ ସରକାର ସହମତି ପ୍ରକାଶ କରିଥିବା ବେଳେ ଆଇନ ପ୍ରତ୍ୟାହାର ଓ ଏମ୍‌ଏସ୍‌ପି ନେଇ ବୈଠକରେ ଆଲୋଚନା ହେବ । ସମସ୍ୟାର ସମାଧାନ ନେଇ ଚାଷୀ ଆଶାବାଦୀ ଥିବା ବେଳେ ସରକାର ଆଇନକୁ ନେଇ ପୁଣି ନିଜ ଯୁକ୍ତି ରଖିଛନ୍ତି । ନୂଆ ଆଇନ୍ ଚାଷୀଙ୍କ ହିତରେ ବୋଲି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ କହିଛନ୍ତି ।

ସେପଟେ ଯଦି ସରକାର ଦାବି ନ ମାନନ୍ତି ତେବେ ୯ ତାରିଖଠୁ ଜୋରଦାର ହେବ ଆନ୍ଦୋଳନ । ହରିୟାଣାରେ କୃଷି ସଙ୍ଗଠନ ଘର ଘର ବୁଲି ଆଇନ ବିରୋଧରେ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଅଣ୍ଟା ଭିଡିଛି ।

Leave a Reply