ହାର ମାନିଲେ ସରକାର, ଦିଲ୍ଲୀରେ ଏଣ୍ଟ୍ରି ଦେବାକୁ ବାଧ୍ୟ ହେଲେ ! ୬ ମାସ ଆନ୍ଦୋଳନ ପାଇଁ ରାସନ ଆଣିଛନ୍ତି ଚାଷୀ

ନୂଆଦିଲ୍ଲୀ: ଚାଷୀଙ୍କ ଜିଦ୍ ଆଗରେ ହାର ମାନିଲେ ସରକାର । ଦିଲ୍ଲୀରେ ଏଣ୍ଟ୍ରି ପାଇଁ ଦେଲେ ଅନୁମତି । ବୁରାଡିରେ ଚାଷୀ ଆନ୍ଦୋଳନ କରିବେ । ଏଥିସହ ସୀମା ସିଲକୁ ମଧ୍ୟ ହଟାଯାଇଛି । କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ଦିଲ୍ଲୀ ଚଲ୍ଲୋ ଅଭିଯାନ ଏକ ପ୍ରକାର ସଫଳ ହୋଇଛି । ଶୁକ୍ରବାର ସକାଳୁ ପ୍ରଥମେ ପୋଲିସଙ୍କ ସହ ଆନ୍ଦୋଳନକାରୀଙ୍କ ଆଲୋଚନା ହୋଇଥିବା ବେଳେ କୌଣସି ଫଳ ବାହାରି ପାରିନଥିଲା । ବରଂ ପାଣି ମାଡ କରି ଚାଷୀଙ୍କୁ ପଛଘୁଂଚା ଦେବା ପାଇଁ ବାଧ୍ୟ କରାଯାଇଥିଲା । କିନ୍ତୁ ପୋଲିସ ଏହି ଉଦ୍ୟମରେ ସଫଳ ହୋଇପାରିଲା ନାହିଁ । ଚାଷୀଙ୍କୁ ରାଜଧାନୀରେ ଆନ୍ଦୋଳନ କରିବାକୁ ଏବେ ଅନୁମତି ଦିଆଯାଇଛି ।

କୃଷି ଆଇନକୁ ବିରୋଧ କରି ଦ୍ୱିତୀୟ ଦିନରେ ପହଞ୍ଚିଛି ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନ । ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିବା ପାଇଁ ଜିଦ୍‌ରେ ଅଟଳ ଚାଷୀ । ରାତି ତମାମ ପାନିପତ ଟୋଲ ପ୍ଲାଜା ନିକଟରେ ଚାଷୀ ଶୋଇଥିବା ବେଳେ ସକାଳୁ ସକାଳୁ ପୁଣି ଦିଲ୍ଲୀ ଅଭିମୁଖେ ବାହାରିଥିଲେ । ସିନ୍ଧୁ ସୀମା ଦେଇ ସେମାନେ ଦିଲ୍ଲୀରେ ପ୍ରବେଶ କରିବା ପୂର୍ବରୁ ସେଠାରେ ତାଙ୍କୁ ପୋଲିସ ଅଟକାଇଥିଲା । ଥଣ୍ଡା ଦିନରେ ପାଣି ମାଡ଼ କରି ଚାଷୀଙ୍କୁ ଫେରାଇ ଦେବାକୁ ଉଦ୍ୟମ କରିଥିଲେ ପୋଲିସ କର୍ମୀ । କିନ୍ତୁ ନିଜ ଜିଦ୍‌ରେ ଅଟଳ ଚାଷୀ । ପୋଲିସର ନିର୍ଯାତନା ସତ୍ତ୍ୱେ ସେମାନେ ସିନ୍ଧୁ ସୀମାରୁ ହଟିନଥିଲେ । ପରେ ଚାଷୀଙ୍କ ଆଗରେ ପୋଲିସ କର୍ମୀ ହାର୍‌ ମାନି ଦିଲ୍ଲୀର ବୁରାଡି ଯାଇ ଆନ୍ଦୋଳ କାରିବାକୁ ଅନୁମତି ଦେଇଥିଲେ ।

ହେଲେ ବୁରାଡିରେ ଆନ୍ଦୋଳନ କରିବାକୁ ସିଧା ସିଧା ମନାକରିଛନ୍ତି ଚାଷୀ । ଆନ୍ଦୋଳନ ପାଇଁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ରାସନ ସାମଗ୍ରୀ ସାଙ୍ଗରେ ରଖିଛନ୍ତି ଚାଷୀ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଜାରି ରହିବ । ସରକାର ସେମାନଙ୍କ ଦାବି ନମାନିଲେ ଆନ୍ଦୋଳନ ଆହୁରି ତେଜିବ ବୋଲି ଚେତାବନୀ ଦେଇଛନ୍ତି । ତେବେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ଦିଲ୍ଲୀବାସୀଙ୍କ ଜୀବନ ବ୍ୟାପକ ପ୍ରଭାବିତ ହୋଇଛି । ଟ୍ରାଫିକ ଜାମ୍ ଥିବା ବେଳେ ମେଟ୍ରୋ ଓ ରେଳ ଚଳାଚଳ ବନ୍ଦ ରହିଛି । ହରିୟାଣାରୁ ଦିଲ୍ଲୀ ଯାଉଥିବା ଲୋକଙ୍କର ଯାଞ୍ଚ କରାଯାଉଛି । ଆନ୍ଦୋଳନ ଯୋଗୁଁ ଘଣ୍ଟା ଘଣ୍ଟା ଧରି ରାସ୍ତା ବନ୍ଦ ରହୁଛି ।

ସେପଟେ ଖୁବଶୀଘ୍ର ଚାଷୀଙ୍କ ସହ ଆଲୋଚନା କରିପାରନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ରମନ୍ତ୍ରୀ ପରୋକ୍ଷରେ ସୂଚନା ଦେଇଛନ୍ତି । ଏପଟେ ହରିୟାଣା ମୁଖ୍ୟମନ୍ତ୍ରୀ ମଧ୍ୟ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି । ସରକାର ଚାଷୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ବାହାର କରିବେ ବୋଲି ଆଶା କରାଯାଉଛି ।

Leave a Reply