ସୁଶାନ୍ତଙ୍କୁ ରିୟାଙ୍କ ପଟୁ ଅଛି ବିପଦ,ମୃତ୍ୟୁର ୪ ମାସ ଆଗରୁ ପୋଲିସ ପାଖରେ ପରିବାର କରିଥିଲା ଅଭିଯୋଗ !

1 min read

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଭିତରକୁ ଗର୍ଲଫ୍ରେଣ୍ଡ୍ ରିୟାଙ୍କ ନାମ ଆସି ସାରିଛି । ରିୟାଙ୍କ ବିରୋଧରେ ସୁଶାନ୍ତଙ୍କ ବାପଙ୍କ ଏତଲା ପରେ ଏବେ ରିୟାଙ୍କୁ ପୋଲିସ ଖୋଜୁଛି । କିନ୍ତୁ ରିୟା ଗିରଫଦାରୀ ଏଡାଇବାକୁ ଆଗୁଆ ଜାମିନ ନେବା ପାଇଁ ଉଦ୍ୟମ କରୁଛନ୍ତି । ଏହା ସହ ମାମଲାକୁ ପାଟନାରୁ ମୁମ୍ବାଇ ସ୍ଥାନାନ୍ତରିତ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ତେବେ ଏହାରି ଭିତରେ ସୁଶାନ୍ତଙ୍କ ପାରିବାରିକ ଓକିଲ ବିକାଶ ସିଂହ ଏକ ବିସ୍ଫୋରକ ତଥ୍ୟ ଉପରୁ ପରଦା ହଟାଇଛନ୍ତି । ବିକାଶ କହିଛନ୍ତି ଯେ, ସୁଶାନ୍ତଙ୍କ ମୃତ୍ୟୁର ୪ ମାସ ପୂର୍ବରୁ ପରିବାର ପକ୍ଷରୁ ସୁଶାନ୍ତଙ୍କ ଜୀବନ ପ୍ରତି ରିୟାଙ୍କ ଆଡୁ ବିପଦ ଅଛି ବୋଲି ବାନ୍ଦ୍ରା ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା । କିନ୍ତୁ ପୋଲିସ ଏହି ଅଭିଯୋଗକୁ ଗୁରୁତ୍ୱ ଦେଇନଥିଲା ।

ଫେବ୍ରୁଆରି ୨୫ ତାରିଖ ଦିନ ବାନ୍ଦ୍ରା ପୋଲିସ ନିକଟରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା ବୋଲି ବିକାଶ କହିଛନ୍ତି । ରିୟା ସୁଶାନ୍ତଙ୍କୁ ଏହି ସମୟରେ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖିଥିଲେ । ସୁଶାନ୍ତଙ୍କୁ ସେ ନିଜ ପରିବାର ଲୋକଙ୍କ ସହ ମିଶିବାକୁ ଏପରିକି କଥା ହେବାକୁ ସୁଯୋଗ ଦେଉନଥିଲେ ବୋଲି ରବିବାର ଦିନ ସୁଶାନ୍ତଙ୍କ ପିତା ଦାଏର କରିଥିବା ଏତଲାରେ ଉଲ୍ଲେଖ ଅଛି । ଏତଲାରେ ଏହା ମଧ୍ୟ ଅଭିଯୋଗ କରାଯାଇଛି ଯେ,ସୁଶାନ୍ତଙ୍କ ବିଶ୍ୱସ୍ତ କର୍ମଚାରୀଙ୍କୁ ରିୟା ବିଦା କରିଦେଇଥିଲେ ।

ବିହାର ପୋଲିସ ପ୍ରଥମେ ସୁଶାନ୍ତଙ୍କ ପିତାଙ୍କ ଅଭିଯୋଗ ରଖିବାକୁ ଇଛୁକ ନଥିଲା । ଏଥିରେ ଅନେକ ହାଇ ପ୍ରୋଫାଇଲ ବ୍ୟକ୍ତି ଯୋଡି ହୋଇଥିବାରୁ ବିହାର ପୋଲିସ ମାମଲାରେ ପଡିବାକ ଚାହୁଁନଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ହସ୍ତକ୍ଷେପ ପରେ ପୋଲିସ ଜିରୋ ଏଫଆଇଆର ଦାଏର କରିଛି ବୋଲି ବିକାଶ କହିଛନ୍ତି ।

ବିକାଶ ସିଂହ ତୁରନ୍ତ ରିୟାଙ୍କ ଗିରଫଦାରୀ ଦାବୀ କରିଛନ୍ତି । ତାଙ୍କ କହିବା ହେଉଛି ରିୟାଙ୍କୁ ଗିରଫ କରି ପଚରାଉଚରା କଲେ ହିଁ ପ୍ରକୃତ ସତ ପଦାକୁ ବାହାରିବ ।

https://www.youtube.com/watch?v=Zxf8JeL0Vnc

Leave a Reply