Fake TRP Row: ତିନି ମାସ ପାଇଁ TRP ବନ୍ଦ କଲା BARC

ମୁମ୍ୱାଇ: ଟେଲିଭିଜନ୍ ରେଟିଂ ପଏଣ୍ଟ ବା ଟିଆପରପିକୁ ନେଇ ବଡ଼ ଘୋଟାଲା ସାମ୍ନାକୁ ଆସିବା ପରେ କଠୋର ହୋଇଛି ବାର୍କ । ଆସନ୍ତା ୩ ମାସ ପାଇଁ ଦେଶର ସମସ୍ତ ଇଂରାଜୀ, ହିନ୍ଦୀ ଓ ଆଞ୍ଚଳିକ ନ୍ୟୁଜ୍ ସହ ବ୍ୟବସାୟିକ ଚ୍ୟାନେଲର ସାପ୍ତାହିକ ରେଟିଂ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ବ୍ରୋଡକାଷ୍ଟ ଅଡିଆନ୍ସ ରିସର୍ଚ୍ଚ କାଉନସିଲ୍ । ସୂଚନା ମୁତାବକ ଏଣିକି ଓଡ଼ିଶା ସମେତ ଅନ୍ୟାନ୍ୟ ଆଞ୍ଚଳିକ ଭାଷାର ନ୍ୟୁଜ ଚ୍ୟାନେଲର ସାପ୍ତାହିକ ରେଟିଂ ରିପୋର୍ଟ ଆସନ୍ତା ୩ ମାସ ପାଇଁ ସାର୍ବଜନୀନ କିମ୍ବା ସଂପୃକ୍ତ ସଂସ୍ଥାକୁ ପ୍ରଦାନ କରାଯିବ ନାହିଁ ।

ଏହି ୧୨ ସପ୍ତାହ ମଧ୍ୟରେ କେଉଁ କାରଣ ପାଇଁ ଓ କିଭଳି ଟିଆରପି ଟାମ୍ପରିଂ କରାଗଲା ବାର୍କର ବୈଷୟିକ ଟିମ୍ ସେ ନେଇ କାରଣ ଖୋଜିବ । ପୁରୁଣା ସ୍ଥାନରେ ଲାଗିଥିବା କିଛି ବାରୋମିଟରର ମଧ୍ୟ ପରିବର୍ତ୍ତନ କରିପାରେ ବାର୍କ । ସେପଟେ ଟିଆରପି ଘୋଟାଲାରେ ଫସିଥିବା ରିପବ୍ଲିକ୍ ଟିଭିର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଟିଆରପି ଟେମ୍ପରିଂ ମାମଲାର ତଦନ୍ତ ସିବିଆଇ ଦ୍ୱାରା କରାଇବାକୁ ଏବଂ ମୁମ୍ବାଇ ପୋଲିସ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲା ରିପବ୍ଲିକ୍ ଟିଭି । ଏହାକୁ ଖାରଜ କରିବା ସହ ବମ୍ବେ ହାଇକୋର୍ଟରେ ପ୍ରଥମେ ଆବେଦନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ସପ୍ତାହରେ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ୩ଟି ଚ୍ୟାନେଲ ବିରୋଧରେ ଟିଆରପି ଘୋଟାଲାର ପର୍ଦ୍ଦାଫାସ କରିଥିଲେ । ହନସା ରିସର୍ଚ୍ଚ ଗ୍ରୁପର ଅଭିଯୋଗ ଆଧାରରେ ବକ୍ସ ସିନେମା, ଫକଥ୍ ମରାଠୀ ଓ ରିପବ୍ଲିକ୍ ଭାରତ ଟିଆରପି ଠକେଇ କରିଥିବା ସେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ଏହାପରେ ୫ ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ରିପବ୍ଲିକ ଟିଭିର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚରା ଉଚୁରା ମଧ୍ୟ କରିଛି ।

ଟିଆରପି ଟ୍ୟାମ୍ପରିଂ କରି ସଂପୃକ୍ତ ଟିଭି ଚ୍ୟାନେଲମାନେ କୋଟି କୋଟି ଟଙ୍କାର ଆର୍ଥିକ ଲାଭ କରିଥିବା ପୋଲିସ ସନ୍ଦେହ କରୁଛି । ଏବେ ଦେଶରେ ୧୯ କୋଟି ୭୦ ଲକ୍ଷ ଟିଭି ରହିଥିବା ବେଳେ ୮୩ କୋଟି ୬୦ ଲକ୍ଷ ଦର୍ଶକ ଅଛନ୍ତି । ତେଣୁ ଟିଆରପିରେ ସ୍ୱଚ୍ଛତା ଆଣିବା ଓ ଲାଗିଥିବା ୪୪ ହଜାର ବାରୋମିଟରର ତଥ୍ୟକୁ ଠିକ୍ ରଖିବାକୁ ଆସନ୍ତା ୩ ମାସ ପାଇଁ ରେଟିଂ ପ୍ରକାଶନକୁ ବନ୍ଦ କରିଛି ବାର୍କ । ଏପଟେ ବମ୍ବେ ହାଇକୋର୍ଟରେ ଆବେଦନ କରାଯିବା ବୋଲି କହିଛନ୍ତି ରିପବ୍ଲିକ୍ ଟିଭିର ଓକିଲ ହରିସ୍ ସାଲଭେ ।

Leave a Reply