ଫେସବୁକରେ ଗୋଟିଏ କ୍ଲିକ୍, ଖାଲି କରିଦେବ ଆକାଉଣ୍ଟ !

1 min read

ଭୁବନେଶ୍ୱର: ଦୁନିଆର ସବୁଠୁ ବଡ଼ ଲୋକପ୍ରିୟ ସୋସିଆଲ୍ ମିଡିଆ ଆପ୍ ଫେସବୁକ୍ । ଆମ ନିତିଦିନିଆ ଜୀବନର ଅଭିନ୍ନ ଅଙ୍ଗ । ସଞ୍ଜ ହେଉ କି ସକାଳ, ଟିକିଏ ଫୁରସତ୍ ମିଳିଲେ ହାତ ଚାଲିଯାଏ ଫେସବୁକକୁ । ମନ ଜିଣୁଥିବା ମୁହଁବହି(ଫେସବୁକ୍) ଏବେ ସାଜିଛି ବିପଦ । ଫେସବୁକରେ ଆସୁଥିବା ବିଭିନ୍ନ ମନୋଲୋଭା ବିଜ୍ଞାପନ ଆପଣଙ୍କ ପକେଟ୍ ଖାଲି କରିଦେବ । ତେବେ, ସବୁ ବିଜ୍ଞାପନ ଏଭଳି ନୁହେଁ । କେତକ ବିଜ୍ଞାପନରେ କ୍ଲିକ୍ କରିବା ଆପଣଙ୍କୁ ମହଙ୍ଗା ପଡ଼ିପାରେ । ଯେମିତି କି ଫେସବୁକ ଆଡରେ ଦାମୀ ମୋବାଇଲ୍ ବହୁତ ଶସ୍ତାରେ ମିଳିବା । ଏଭଳି ଲିଙ୍କରେ କ୍ଲିକ୍ କରିବା ମାନେ ଆକାଉଣ୍ଟ ଖାଲି ହେବା ।

ଅନେକ ସମୟରେ ଫେସବୁକରେ ଫ୍ଲିପକାର୍ଟ ଭଳି ଲୋକପ୍ରିୟ ଇ-କମର୍ସ ୱେବସାଇଟ ନାଁରେ ଠକ ଲୋକଙ୍କ ଭରସା ଜିତିବାକୁ ନକଲି ଲିଙ୍କ୍ ଦିଅନ୍ତି । ବିଜ୍ଞାପନରେ ଲକ୍ଷେ ଟଙ୍କିଆ ଆଇଫୋନର ଦାମ ମାତ୍ର ୪ ହଜାର ୯୯୯ ଟଙ୍କା ଲେଖା ଯାଇଥାଏ । ଲୋକଙ୍କ ଭରସା ଜିତିବାକୁ ଠକ ଫ୍ଲିପକାର୍ଟ ଲୋଗୋ ବ୍ୟବହାର କରିଥାନ୍ତି । ଆମେ ଅଜାଣତରେ ତାହାକୁ ଫ୍ଲିପକାର୍ଟର ଲିଙ୍କ ଭାବି କ୍ଲିକ୍ କରିଦେଉ ।

ଦାମୀ ଜିନିଷ ଶସ୍ତା ବା ବଡ଼ ରିହାତି ଅଥବା ୯୦ ପ୍ରତିଶତ ଡିସକାଉଣ୍ଟରେ ମିଳିବାର ଦାବି କରାଯାଏ । ଏ ଲିଙ୍କ୍ କ୍ଲିକ୍ କରିବା ପରେ ନକଲି ଫ୍ଲିପକାର୍ଟ ୱେବ୍ ପେଜ୍ ଖୋଲିଥାଏ । ଏବଂ ଆପଣଙ୍କୁ କମ୍ ଦାମରେ ବିଭିନ୍ନ ନାମୀଦାମୀ କମ୍ପାନୀର ପଡକ୍ଟ ନଜର ଆସେ ।

ସାଧାରଣତଃ ଏହି ବିଜ୍ଞାପନ ଦେଖିବାକୁ ତ ଅସଲି ଲାଗେ । ଆଉ ଗୋଟିଏ କ୍ଲିକରେ ଠକ ନେଇଯାଏ ଆକାଉଣ୍ଟରୁ ଟଙ୍କା । ଏଭଳି ଠକେଇରୁ ବର୍ତ୍ତିବା ପାଇଁ ଆପଣ କ୍ଲିକ୍ କରୁଥିବା ୱେବସାଇଟ ଲିଙ୍କକୁ ପରଖନ୍ତୁ । କାରଣ ଠକ ଅସଲି ଲୋଗୋ ବ୍ୟବହାର କରି ନକଲି ଲିଙ୍କ୍ ଦେଇଥାଏ । ଏପରିକି ଲିଙ୍କରେ ସ୍ପେଲିଂ ଅଲଗା ଥାଏ । ଏଥିରୁ ଆପଣ ଜାଣିପାରିବେ ଏହା ନକଲି ୱେବସାଇଟ୍ ।

Leave a Reply