RRB ପରୀକ୍ଷାର୍ଥୀଙ୍କ ଲାଗି କୋହଳ ହେଲା ହୋମ୍ କ୍ୱାରେଣ୍ଟାଇନ୍

Exemption Of Home Quarantine for Candidates Appearing In RRB Examination

ଭୁବନେଶ୍ୱର: ଆରଆରବି ପରୀକ୍ଷା ଲାଗି କୋଭିଡ୍ ହୋମ୍ କ୍ୱାରେଣ୍ଟାଇନ୍ ନିୟମ କୋହଳ କରାଯାଇଛି । ମାର୍ଚ୍ଚ ୩ରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଭୁବନେଶ୍ୱରରେ ଆରଆରବି ପରୀକ୍ଷା ଅନୁଷ୍ଠିତ ହେବ । ଏଥିରେ ବାହାର ରାଜ୍ୟ ବିଶେଷକରି ଛତିଶଗଡ଼ରୁ ପ୍ରାୟ ୧୦ ହଜାର ୫ ଶହ ଜଣ ଛାତ୍ରଛାତ୍ରୀ ଭାଗ ନେବେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ବାହାରୁ ପରୀକ୍ଷା ଦେବାକୁ ଆସୁଥିବା ପରୀକ୍ଷାର୍ଥୀଙ୍କ ଲାଗି ହୋମ୍ କ୍ୱାରେଣ୍ଟାଇନ୍ ଲାଗୁ ହେବ ନାହିଁ । କିନ୍ତୁ, ସେମାନଙ୍କୁ ସମସ୍ତ କୋଭିଡ୍ କଟକଣା ମାନିବାକୁ ପଡ଼ିବ ।

Exemption Of Home Quarantine for Candidates Appearing In RRB Examination

ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ, ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷ ଓ ଇଷ୍ଟକୋଷ୍ଟ ରେଲୱେକୁ ଚିଠି ଲେଖି ଅବଗତ କରାଇଛନ୍ତି ।

ଆରଆରବି ପରୀକ୍ଷା ଦେବାକୁ ଛତିଶଗଡ଼ରୁ ଆସୁଥିବା ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ ଦେଖାଇବେ । ଆଡମିଟ୍ କାର୍ଡ ଦେଖାଇଲେ ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ନାହିଁ । ପଡ଼ୋଶୀ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ୫ଟି ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ ରାଜ୍ୟ ସରକାର ହୋମ୍ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରିଥିଲେ । ନିୟମ ବଳବତ୍ତର ରହିଥିବା ବେଳେ ଏଥିରୁ ଆରଆରବି ପରୀକ୍ଷା ପାଇଁ ଆସୁଥିବା ପରୀକ୍ଷାର୍ଥୀଙ୍କୁ ବାଦ୍ ଦିଆଯାଇଛି ।

Leave a Reply