ଅହିଂସା ବିଶ୍ୱକୁ ଭାରତର ସବୁଠାରୁ ଶକ୍ତିଶାଳୀ ବାର୍ତ୍ତା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଭବନରେ ଆୟୋଜିତ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ନିମନ୍ତେ ଗଠିତ ଜାତୀୟ କମିଟିର ଦ୍ୱିତୀୟ ବୈଠକରେ ଯୋଗଦେଇ ନିଜର କଥା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅହିଂସାକୁ ସେ ବାରମ୍ବାର ଗୁରୁତ୍ୱ ଦେବା ସହ ଗାନ୍ଧିଜୀଙ୍କର ଏ ଶବ୍ଦ ଆଜି ସାରା ବିଶ୍ୱରେ କିଭଳି ପରିଚିତି ଲାଭ କରିଛି ସେ ସଂପର୍କରେ ଉଲ୍ଲେଖ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅହିଂସା ବିଶ୍ୱକୁ ଭାରତର ସବୁଠାରୁ ଶକ୍ତିଶାଳୀ ବାର୍ତ୍ତା । ଅହିଂସା ହିଁ ଆମ ସ୍ୱାଧିନତା ସଂଗ୍ରାମକୁ ବିଶ୍ୱର ସବୁ ସଂଗ୍ରାମଠାରୁ ନିଆରା କରିଛି ।

ଅହିଂସା ହିଁ ଶାନ୍ତି, ବିକାଶ ଓ ସାମ୍ୟତାର ମାର୍ଗ ତେଣୁ ବିକାଶ ଲାଗି ଗାନ୍ଧିଜୀଙ୍କ ଅହିଂସା ମାର୍ଗକୁ ହିଁ ଯୁବ ସମାଜ ଆପଣେଇବା ପାଇଁ ମୁଖ୍ୟମନ୍ତ୍ରୀ ମବୀନ ପଟ୍ଟନାୟକ ଆହ୍ୱାନ ଜଣାଇଛନ୍ତି । ଯୁବ ସମାଜ ମଧ୍ୟରେ ଅହିଂସା ଆଦର୍ଶର ବିକାଶ ଆମର ମହାନ ସଂଗ୍ରାମ ଏବଂ ମହାତ୍ମାଙ୍କୁ ଯୁଗ ଯୁଗ ପାଇଁ ପ୍ରେରଣାର ଉତ୍ସ କରି ରଖିବ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାତ୍ମା ଗାନ୍ଧିଙ୍କ ଅହିଂସା ତତ୍ତ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ଯେ, ଦାରିଦ୍ର୍ୟ ଓ ସାମାଜିକ ଅବିଚାର ସବୁଠାରୁ ବଡ଼ ହିଂସା । ଗାନ୍ଧିଜୀଙ୍କ ମତରେ ଯେପର୍ଯ୍ୟନ୍ତ ଦାରିଦ୍ର୍ୟ ରହିଥିବ ସ୍ୱାଧିନତାର ମୁଲ୍ୟ ଅର୍ଥହୀନ । ବିନା ଅହିଂସାରେ ଗରିବୀ ଦୂର କରାଯାଇପାରିବ ନାହିଁ ବୋଲି ମତ ଦେଇ ଜାତି, ଧର୍ମ, ବର୍ଣ୍ଣ ଭିତ୍ତିରେ ସମାଜକୁ ବିଭକ୍ତ କରୁଥିବା ଶକ୍ତିର ପରାଯୟରେ ହିଁ ପ୍ରଗତି ହାସଲ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ତେଣୁ ଗାନ୍ଧିଜୀଙ୍କ ଜୟନ୍ତୀ ଅବସରରେ ଅହିଂସା ଶବ୍ଦ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ ହେଲେ ତାହା ମହାତ୍ମାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ମତକୁ ପୁଣି ଥରେ ଦୋହରାଇଥିଲେ । ଏହା ଭାରତ ତଥା ବିଶ୍ୱର ଉତ୍ତର ପୀଢିକୁ ଗାନ୍ଧିଜୀଙ୍କ ଏହି ଉକ୍ତିର ଦୃଢ ସତ୍ୟତା ସବୁ ଦିନ ସ୍ମରଣ କରାଇଦେଉଥିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ବୈଠକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଜାତୀୟ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । କର୍ତ୍ତବ୍ୟ ଓ ଅଧିକାର ଉପରେ ଗୁରୁତ୍ୱାରୋପ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ ନାଗରିକଙ୍କ କର୍ମ ସଂପର୍କରେ ମଧ୍ୟ ଆଲୋକପାତ କରାଯାଇଥିଲା । ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ବିଚାରଧାରାକୁ ନେଇ ଏକ ପୁସ୍ତକ ଲୋକାର୍ପିତ ହୋଇଥିଲା ।

Leave a Reply