ଦୋକାନୀଙ୍କ ପ୍ରତିବାଦ ଯୋଗୁଁ ସୃଷ୍ଟି ହେଉଛି ଉତ୍ତେଜନା: ୟୁନିଟ୍‌ ୨ରୁ ଉଚ୍ଛେଦ ହେଲା ୨୭ ଦୋକାନ

ଭୁବନେଶ୍ୱର: ସରକାରୀ ଜମିରେ ଏପରିକି ରାସ୍ତାକଡ଼ରେ ଜବରଦଖଲକୁ ଆଦୌ ବରଦାସ୍ତ କରାଯିବନି । ବିଏମସି ଓ ବିଡିଏ ପକ୍ଷରୁ ଜାରି ରହିଛି ମିଳିତ ଅଭିଯାନ । ନିୟମିତ କରାଯାଉଛି ଜବରଦଖଲ ଉଚ୍ଛେଦ । ବାରମ୍ବାର ନୋଟିସ ପରେ ଜବରଦଖଲକାରୀ କର୍ଣ୍ଣପାତ ନକରିବାରୁ ୟୁନିଟ୍ ୨ ମାର୍କେଟ୍ ନିକଟରେ ଥିବା ୨୭ଟି ଦୋକାନକୁ ଡୋଜର ଲଗାଇ ଉଚ୍ଛେଦ କରାଯାଇଛି । ଦେକାନୀଙ୍କ ପ୍ରତିବାଦ କାରଣରୁ ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିଲା ।

ସରକାରୀ ଜମି ଓ ରାସ୍ତାକଡ ଜମିକୁ ଜବରଦଖଲ କରି ରାଜଧାନୀରେ ଗଢିଉଠିଛି ଅନେକ ମାର୍କେଟ୍ । ଫଳରେ ସୃଷ୍ଟି ହେଉଛି ଟ୍ରାଫିକ୍ ସମସ୍ୟା। ସେପଟେ ପାର୍କିଂର ରହିଛି ଘୋର ଅଭାବ । ଏସବୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ମାର୍ଟ ସିଟି ପକ୍ଷରୁ ୟୁନିଟ୍୨ ମାର୍କେଟ୍ ନିକଟରେ ନିର୍ମାଣ କରାଯାଉଛି ବହୁତଳ ବିଶିଷ୍ଟ ପାର୍କିଂ ବିଲ୍ଡିଂ । ତେବେ  କୋଠା ସମ୍ମୁଖ ଜବରଦଖଲକାରୀଙ୍କ ଅକ୍ତିଆରରେ ଥିବାରୁ ବିଡିଓ ଓ ବିଏମସି ପକ୍ଷରୁ ସମସ୍ତ ଦୋକାନକୁ ଉଚ୍ଛେଦ କରାଯାଇଛି । ତେବେ ବିନା ନୋଟିସରେ ଦୋକାନ ଭାଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ ।

କୋଭିଡ୍ ସମୟରେ କଟକଣା ଯୋଗୁଁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ । ଏଭଳି ପରିସ୍ଥିତିରେ ବିଏମସି ଓ ବିଡିଏର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛି କ୍ଷୁଦ୍ର ବ୍ୟବସାୟୀ ସଂଘ । ପ୍ରତିବାଦରେ ରାସ୍ତାରୋକ କରିବା ଯୋଗୁଁ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ହାଇକୋର୍ଟଙ୍କ ରହିତାଦେଶ ସତ୍ତ୍ୱେ ଉଚ୍ଛେଦକୁ ନେଇ ପ୍ରଶ୍ନ କରିଛି ସଂଘ । ସେପଟେ ସ୍ମାର୍ଟ ସିଟିର ରିକ୍ୟୁଜିସନ୍ ପରେ ଏଭଳି ଉଚ୍ଛେଦ କରାଯାଇଥିବା କହିଛନ୍ତି ବିଏମସି ଅତିରିକ୍ତ କମିଶନର । ବାରମ୍ବାର ନୋଟିସ ଓ ଡାକବାଜି ଯନ୍ତ୍ର ଜରିଆରେ ଅବଗତ କରିବା ପରେ ମଧ୍ୟ କେହି ଖାତିର କରିନଥିଲେ । ବାଧ୍ୟହୋଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି  । ରାଜଧାନୀରେ ଜବରଦଖଲକାରୀଙ୍କ ବିରୋଧରେ ଜାରି ରହିଥିବା ଅଭିଯାନକୁ ସାଧାରଣରେ ସ୍ୱାଗତ କରାଯାଇଛି ।

Leave a Reply