ସଚିବାଳୟରୁ ସଡ଼କ, ସବୁଠି ଶୁଭିଲା ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର: ଗୋଟିଏ ସୁର, ଗୋଟିଏ ତାଳ । କୋଭିଡ୍ ଯୋଦ୍ଧାଙ୍କ ପାଇଁ ଓଡ଼ିଶା ସମେତ ଓଡ଼ିଶା ବାହାରେ ଥିବା ଓଡ଼ିଆ ସମୂହ ଭାବେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିବା ବେଳେ ବିଜେଡି ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ସଙ୍ଗୀତ ଗାଇଛନ୍ତି ଦଳୀୟ ନେତା ଓ କର୍ମୀ ।

ସଚିବାଳୟରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିବା ବେଳେ ବିଧାନସଭା ଆଗରେ ବିଧାୟକ ଓ ବାଚସ୍ପତି ଗାନ କରିଛନ୍ତି ।

କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କ୍ରୀଡ଼ାବିତ୍ ସମୂହ ଭାବେ ରାଜ୍ୟ ସଙ୍ଗୀତ ଗାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଦଳମତ ନିର୍ବିଶେଷରେ ସମସ୍ତେ ଗାଇଛନ୍ତି ‘ବନ୍ଦେ ଉତ୍କଳ ଜନନୀ’ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିବାର ସହ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିବା ବେଳେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ରାଜ୍ୟ କାର୍ଯ୍ୟାଳୟରେ ଗାନ କରିଛନ୍ତି ।

ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ କଂଗ୍ରେସ କାର୍ଯ୍ୟାୟଳୟରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରି ସମସ୍ତେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛନ୍ତି ।

ଭୁବନେଶ୍ୱର ପୋଲିସ ସେବା ଭବନରେ ସମୂହ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିବା ବେଳେ କଟକ ପୋଲିସ ମୁଖ୍ୟାଳୟରେ ଡିଜିପି ଗାନ କରିଛନ୍ତି ରାଜ୍ୟ ସଙ୍ଗୀତ । କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ମଧ୍ୟ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା ।

ଶ୍ରୀକ୍ଷେତ୍ର ପୁରୀରେ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ । ଶ୍ରୀମନ୍ଦିର ସମ୍ମୁଖ ବଡ଼ଦାଣ୍ଡରେ ସାମାଜିକ ଦୂରତା ରକ୍ଷା କରି ଏକାଠି ହୋଇଥିଲେ ସମସ୍ତେ । ସେବାୟତଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ଓ କୋଭିଡ୍ ଯୋଦ୍ଧା ପୋଲିସ ସମସ୍ତେ ଏକାଠି ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ ।

ଭୁବନେଶ୍ୱର ସହ ରାଜ୍ୟର କୋଣ ଅନୁକୋଣରେ କୋଭିଡ୍ ଯୋଦ୍ଧାଙ୍କ ପାଇଁ ସମସ୍ତଙ୍କ ମୁହଁରେ ଗୁଞ୍ଜରିତ ହୋଇଛି ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ଗୋଟିଏ ସ୍ୱରରେ ଓଡ଼ିଶା ଗାଇଛି ‘ବନ୍ଦେ ଉତ୍କଳ ଜନନୀ’ ।

Leave a Reply