ରାଷ୍ଟ୍ରଗାନ ବେଳେ କାନ୍ଦିଲେ ମହମ୍ମଦ ସିରାଜ, କହିଲେ ବାପାଙ୍କ କଥା ମନେ ପଡ଼ିଲା.. ଭିଡିଓ ଭାଇରାଲ

1 min read
Cricket

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଗୁରୁବାର ଠାରୁ ସିଡନୀରେ ଖେଳାଯାଉଛି । ଏହି ମ୍ୟାଚରେ ଜାତୀୟ ସଂଗୀତ ଗାନ ସମୟରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଭାବପ୍ରବଣ ହୋଇପଡ଼ିଥିଲେ । ତାଙ୍କ ଆଖିରୁ ଲୁହ ବହାରି ଆସିଥିଲା । ତାଙ୍କର ଏହି ଭିଡିଓକୁ କ୍ରିକେଟ୍ ଅଷ୍ଟ୍ରେଲିଆ ନିଜେ ସେୟାର କରିଛି ।

ଟସ୍ ଜିତିବା ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆକୁ ପ୍ରଥମ ଝଟ୍‌କା ଦେଇଥିଲେ ମହମ୍ମଦ ସିରାଜ । ସେ ଭେଟେରାନ୍‌ ଓପନର୍ ଡେଭିଡ୍‌ ୱାର୍ଣ୍ଣରଙ୍କୁ ୫ ରନ୍‌ରେ ପାଭିଲିୟନ ପଠାଇଥିଲେ । ଏହି ସିରିଜ୍‌ର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ସିରାଜ ନିଜର ଡେବ୍ୟୁ କରିଥିଲେ । ଡେବ୍ୟୁ ଟେଷ୍ଟରେ ସେ ୫ଟି ୱିକେଟ୍ ନେଇଥିଲେ । ସିଡନୀ ଟେଷ୍ଟ ହେଉଛି ସିରାଜଙ୍କ କ୍ୟାରିୟରର ଦ୍ୱିତୀୟ ମ୍ୟାଚ୍ । ତେବେ ଜାତୀୟ ସଙ୍ଗୀତ ବେଳେ କାହିଁକି କାନ୍ଦି ପକାଇଲେ ବୋଲି ପଚାରିବାରୁ ସିରାଜ କହିଥିଲେ, ତାଙ୍କର ବାପାଙ୍କ କଥା ମନେ ପଡ଼ିଲା । ପୁଅ ଦେଶ ପାଇଁ ଖେଳୁଥିବା ଦେଖିବାକୁ ବାପା ଚାହୁଁଥିଲେ ।

ଏହି ଘଟଣାକୁ ନେଇ ଜାଫର, ଧୋନିଙ୍କ କଥାକୁ ମନେପକାଇଲେ

ପୂର୍ବତନ ଭାରତୀୟ ଓପନର୍ ୱାସିମ୍ ଜାଫର ସୋସିଆଲ ମିଡିଆରେ କହିଛନ୍ତି, ପଡ଼ିଆରେ ପ୍ରଶଂସକଙ୍କ ସଂଖ୍ୟା କମ୍‌ ଥାଉ କି ନଥାଉ, ହେଲେ କେବଳ ଭାରତ ପାଇଁ ଖେଳିବା ହେଉଛି ଏକ ବଡ଼ ପ୍ରେରଣା । ଜଣେ ମହାନ ଖେଳାଳି (ମହେନ୍ଦ୍ର ସିଂ ଧୋନି) କହିଛନ୍ତି ଯେ, ଆପଣ ପ୍ରଶଂସକଙ୍କ ପାଇଁ ନୁହେଁ ବରଂ ଦେଶ ପାଇଁ ଖେଳୁଛନ୍ତି ।

ବାସ୍ତବରେ, ୨୦୧୧ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାଠୁ ପରାଜୟ ପରେ ଧୋନି ଗଣମାଧ୍ୟମକୁ ଏହା କହିଥିଲେ ।  ସେହି ୨୦୧୧ରେ ହିଁ ଭାରତ ବିଶ୍ୱକପ୍‌ ଟାଇଟଲ ଜିତିଥିଲା । ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା ଭାରତ ।

ବାପାଙ୍କ ଅନ୍ତିମ ସଂସ୍କାରରେ ସିରାଜ ଯୋଗ ଦେଇପାରିନଥିଲେ

ସିରାଜ IPLର ୧୩ ତମ ସିଜନ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳିଥିଲେ । ଏଠାରୁ ସେ ସିଧାସଳଖ ଅଷ୍ଟ୍ରେଲିଆ ଗସ୍ତରେ ଆସିଥିଲେ । ଏହି ସମୟରେ ତାଙ୍କ ପିତା ମହମ୍ମଦ ଗୌସ (୫୩)ଙ୍କ ହାଇଦ୍ରାବାଦରେ ପରଲୋକ ହୋଇଥିଲା । ସେ ଦୀର୍ଘ ଦିନ ଧରି ଫୁସଫୁସ ରୋଗରେ ପୀଡ଼ିତ ଥିଲେ । ସିରାଜ ଅଷ୍ଟ୍ରେଲିଆରେ କ୍ୱରେଣ୍ଟାଇନ୍‌ରେ ରହିଥିବାରୁ ବାପାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇପାରିଲେ ନାହିଁ । ଅବଶ୍ୟ, ଏହା ପରେ ମଧ୍ୟ ସେ ଦେଶ ଫେରି ନଥିଲେ ଏବଂ ଦଳ ସହିତ ରହିଥିଲେ ।

Leave a Reply