ମୟୁରଭଞ୍ଜରେ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆରେ ବନଖଣ୍ଡ ଅଞ୍ଚଳରେ ହାତୀପଲ ଆତଙ୍କ ଖେଳାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଦୁଧିଆଣୀ ରେଞ୍ଜ କୁଁଜିଆ ଗାଁରେ ୨୩ ଟିକିଆ ଝାଡ଼ଖଣ୍ଡି ହାତୀପଲ ଉପଦ୍ରବ କରୁଛନ୍ତି ।

ଏହି ହାତୀପଲ ସ୍ଥାନୀୟ ଅଞ୍ଚଳରେ ଘର ଭାଙ୍ଗିବା ସହିତ ବ୍ୟାପକ ଫସଲ ମଧ୍ୟ ନଷ୍ଟ କରି ଦେଇଛନ୍ତି । ଯେଉଁଥିପାଇଁ ସ୍ଥାନୀୟ ଲୋକ ମାନେ ଉତ୍ତେଜିତ ହେବା ସହ ଦୁଧିଆଣି ରେଞ୍ଜ ସମୁଖରେ ରାସ୍ତା ରୋକ କରିଛନ୍ତି । ଗତ କିଛି ଦିନ ହେବ ୨୨ ଟିକିଆ ହାତୀପଲ ବିଉଁରିଆ ଗାଁରେ ଉତ୍ପାତ କରୁଥିବା ନେଇ ଅଭିଯୋଗ ହୋଇଆସୁଥିଲେ ମଧ୍ୟ୍ୟ ବନବିଭାଗ ହାତୀ ଘଉଡାଇବାରେ ବିଫଳ ହୋଇଥିବା ନେଇ ସେମାନେ କହିଛନ୍ତି ।

ଯେଉଁଥିପାଇଁ ଗ୍ରାମବାସୀ ଆଜି ସକାଳୁ ୨୨୦ ନମ୍ବର ଜାତୀୟ ରାଜପଥ ରାସ୍ତାକୁ ଅବରୋଧ କରିଛନ୍ତି ।

ଗତ ଡିସେମ୍ବର ୨୯ ତାରିଖରେ ଟାଙ୍ଗୀ ବନାଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଥିଲା। ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଆତଙ୍କିତ ହୋଇପଡିଥିଲେ। ସେହିପରି ନିରାକାରପୁର ଡିଆ ଗ୍ରାମରେ ଧାନ କାଟି ଅମଳ ପାଇଁ ରଖାଯାଇଥିବା ଧାନକୁ କିଛି ଜଙ୍ଗଲୀ ହାତୀମାନେ ନଷ୍ଟ କରିଥିଲେ।  ୨ ହଜାରରୁ ଅଧିକ ଧାନ କଳେଇ ଖାଇ ଦେବାସହିତ ଦଳିଚକଟି ନଷ୍ଟ କରିଦେଇଥିବା ନେଇ ଚାଷୀମାନେ  ଅଭିଯୋଗ କରିଥିଲେ।

ଏହା ପୂର୍ବରୁ ବରଗଡ଼ ଜିଲ୍ଲାରେ ଆତଙ୍କ ଖେଳାଇଥିଲେ ସୋନପୁରରୁ ଆସିଥିବା ହାତୀପଲ।  ଏପରିକି ଏହି ହାତୀପଲ ସେ ସମୟରେ ଭେଡେନ୍ ବ୍ଲକର ସିଆଳଖଣ୍ଡହତା ଏବଂ ମହୁଲପାଲି ପଞ୍ଚାୟତ ସମେତ  ଅଞ୍ଚଳତୁରୁମ, କେଶେରୀପାଲି, ବୁଦେଲବାହାଲି, ମେହେନା, ଭାଲୁପାଳି ଗାଁର ଅନେକ ଚାଷୀଙ୍କ ଫସଲ ହାତୀ ପଲ ନଷ୍ଟ କରିଥିବା ନେଇ ଗତ ଡିସେମ୍ବର ୨୪ ତାରିଖରେ ଅଭିଯୋଗ ହୋଇଥିଲା । ସେ ସମୟରେ ହାତୀ ପଲଙ୍କୁ ଘଉଡାଇବାରେ ବନ ବିଭାଗ ବିଫଳ ହୋଇଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ।

Leave a Reply