ଘର ଅନ୍ଧାର କିନ୍ତୁ ଆସୁଛି ବିଦ୍ୟୁତ୍ ବିଲ୍ : ୧୦ ବର୍ଷ ହେଲା ରାତିରେ ଡିବି ସାଥୀ,କଂପାନୀ କହୁଛି ବିଲ୍ ଦିଅ

ନୂଆପଡ଼ା, କନ୍ଧମାଳ : ବିନା ବିଦ୍ୟୁତ ସେବାରେ ଦେୟ ପାଇଁ ବାଧ୍ୟ କରୁଛି ବିଦ୍ୟୁତ୍ କମ୍ପାନୀ । ଦୀର୍ଘ ୬ ମାସ ହେବ ଟ୍ରାନ୍ସଫର୍ମର ଆକାମୀ ହୋଇ ପଡ଼ିଥିବା ହେତୁ ନୂଆପଡ଼ାର ରାଣୀମୁଣ୍ଡା ଗ୍ରାମର ଲୋକେ ଅକଥନୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ଟ୍ରାନ୍ସଫର୍ମର ସଜ କରି ବିଦ୍ୟୁତ ସେବାକୁ ସ୍ୱାଭାବିକ କରିବା ପରିବର୍ତ୍ତେ ବିଦ୍ୟୁତ କମ୍ପାନୀ ସାଧାରଣ ଲୋକଙ୍କ ଉପରେ ଜୁଲମ  କରୁଛି । ୧୧୦ଟି ପରିବାର ୬ ମାସର ଅନ୍ଧକାରରେ ବଞ୍ଚୁଥିବା ବେଳେ ମାସିକ ୨୯୦ ଟଙ୍କାର ଦେୟ ଭରିବା ପାଇଁ କମ୍ପାନୀ କହିଛି । ଲୋକଙ୍କ କହିବା କଥା ବିଦ୍ୟୁତ ସେବା ତ ନାହିଁ ତେବେ ଦେୟ ପଇଠ କରିବୁ କାହିଁକି । ତା’ ପୁଣି ୬ ମାସ ପାଇଁ ୧୭୪୦ ଟଙ୍କା । ଅନ୍ୟପକ୍ଷରେ କମ୍ପାନୀ ପ୍ରସଙ୍ଗ ଉପରେ ସ୍ପଷ୍ଟ ମତ ରଖିନି । ବିଲ୍ ପଇଠ କରିବା ପରେ ହିଁ ସମସ୍ୟାର ସମାଧାନ ହେବ ବୋଲି କହିଛି ।

ସମାନ ଘଟଣା ଦେଖିବାକୁ ମିଳିଛି କନ୍ଧମାଳରେ ମଧ୍ୟ । ୧୦ଟି ଆଦିବାସୀ ପରିବାର ୧୦ ବର୍ଷ ହେଲା ବିଦ୍ୟୁତ ସେବାରୁ ବଞ୍ଚିତ । ଏବେ ବି ଡିବି ଓ ଲଣ୍ଠନ ଆଲୁଅରେ ବଞ୍ଚିବାକୁ ବାଧ୍ୟ ହୋଇଛନ୍ତି ଏମାନେ । ସାଉଥକୋକୁ ବାରମ୍ଭାର ଅଭିଯୋଗ କରି ଏମାନେ ଥକି ପଡ଼ିଲେଣି ବୋଲି କହିଛନ୍ତି । ସାଉଥକୋ ପାଖକୁ ଅଭିଯୋଗ ନେଇ ଗଲେ ସେ ଅଜବ ନୀତି କଥା କହୁଛି । ପ୍ରଥମେ ବକେୟା ରାଶି ପଇଠ କଲେ ହିଁ ବିଦ୍ୟୁତ ସେବା ମିଳିବ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ତେବେ ଗ୍ରାହକଙ୍କ ପ୍ରଶ୍ନ  ହେଲା  ବକେୟା ରାଶି ନେବା ଯେମିତି କମ୍ପାନୀର କର୍ତ୍ତବ୍ୟ ଠିକ୍ ସେମିତି ଧାର୍ଯ୍ୟ ସମୟରେ ବିଦ୍ୟୁତ ସେବା ଯୋଗାଇବା କମ୍ପାନୀର ଦାୟିତ୍ୱ । ଯଦି ବିଦ୍ୟୁତ ସେବା ହିଁ ନାହିଁ ତେବେ ଦେୟ କଥା ଆସୁଛି କୁଆଡ଼ୁ । ଦଶବର୍ଷ କିମ୍ୱା ୬ ମାସର ବିଦ୍ୟୁତ ସେବା କମ୍ପାନୀର ଅବହେଳା ପାଇଁ ବନ୍ଦ ହୋଇପଡ଼ିଲା । ଏସବୁ ପାଇଁ କେବଳ କମ୍ପାନୀ ହିଁ ଦାୟୀ । ତେବେ ବିଚ୍ଛିନ୍ନ ବିଦ୍ୟୁତସେବା ପାଇଁ ସାଧାରଣ ସହିଥିବା ଅକଥନୀୟ ସମସ୍ୟାର ଭରଣାପୋଷଣ ମଧ୍ୟ କମ୍ପାନୀ କରିବା ଆବଶ୍ୟକ ନୁହେଁ କି ? ଏବେ ନିଜ ଭୁଲ୍ ନମାନି ଓଲଟା ବକେୟା ସୁଝିବାର ଦାବି କିଭଳି ଭାବେ ଯଥାର୍ଥ ବୋଲି ଭୁକ୍ତଭୋଗୀମାନେ ପ୍ରଶ୍ନ କରୁଛନ୍ତି । ଚାହୁଁଛନ୍ତି; କମ୍ପାନୀ ଉତ୍ତର ରଖୁ, ସ୍ପଷ୍ଟ ଶଦ୍ଦରେ ।

Leave a Reply