ହଷ୍ଟେଲ ଲାଗି ଆସିଲା SoP, ବାହାର ଖାଦ୍ୟ ଖାଇ ପାରିବେନି ଅନ୍ତେବାସୀ

ଭୁବନେଶ୍ୱର: ଆସନ୍ତା ୮ ତାରିଖରୁ କେବଳ ସ୍କୁଲ୍ ଖୋଲିବ ତା’ନୁହେଁ । ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ମଧ୍ୟ ହଷ୍ଟେଲ ଖୋଲିବ । ଏନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏସଓପି ଜାରି କରିଛି । ଗାଇଡଲାଇନ୍ ମାନି ସରକାରୀ ସହ ଘରୋଇ ସ୍କୁଲର ହଷ୍ଟେଲ ମଧ୍ୟ ଖୋଲିବ । ତେବେ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଅଭିଭାବକଙ୍କ ଲିଖିତ ଅନୁମତି ଆଣିଲେ ହିଁ ହଷ୍ଟେଲରେ ରହିବେ । ତା’ଛଡ଼ା ଯେଉଁ ଛାତ୍ରଛାତ୍ରୀଙ୍କ ଘରେ ରହିବାର ସୁବିଧା ନଥିବା ଏବଂ ଅନଲାଇନ୍ ଶିକ୍ଷାର ବ୍ୟବସ୍ଥା ନଥିବ ସେମାନଙ୍କୁ ହଷ୍ଟେଲର ରହିବାର ସୁଯୋଗ ମିଳିବ ।

ହଷ୍ଟେଲ କର୍ତ୍ତୃପକ୍ଷ ଏବଂ କର୍ମଚାରୀ ସାନିଟାଇଜ୍ ହେବା ସହ ସାମାଜିକ ଦୂରତା, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସହ ଉତ୍ତମମାନର ଖାଦ୍ୟ ପ୍ରତି ଧ୍ୟାନ ଦେବେ । ସ୍ୱାସ୍ଥ୍ୟ ଜନିତ କିଛି ଅସୁବିଧା ହେଲେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ସହ ସମ୍ପର୍କ କରିବେ । ହଷ୍ଟେଲକୁ ଆସୁଥିବା ଏବଂ ରହିବାକୁ ଥିବା ସମସ୍ତଙ୍କ ସ୍କ୍ରିନିଂ କରାଯିବ । ଲକ୍ଷଣ ନଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରହିବାକୁ ଅନୁମତି ମିଳିବ । ହଷ୍ଟେଲରେ ଜରୁରୀ କାମ ଥିବା କର୍ମଚାରୀଙ୍କ ବ୍ୟତୀତ ପ୍ରବେଶ ଲାଗି ଅନ୍ୟ କାହାରିକୁ ଅନୁମତି ଦିଆଯିବ ନାହିଁ । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ନଜରରେ ରଖି କୌଣସି ସଫାସୁତୁରା କାର୍ଯ୍ୟରେ ନିୟୋଜିତ କରାଯିବ ନାହିଁ ।

ପ୍ରତିଦିନ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସାଧାରଣ ସ୍ୱାସ୍ଥ୍ୟ ସ୍କ୍ରିନିଂ କରାଯାଇ ଲିଖିତ ଆକାରରେ ରଖାଯିବ । ସମସ୍ତ ଛାତ୍ରଛାତ୍ରୀଙ୍କ ସାପ୍ତାହିକ ସ୍ୱାସ୍ଥ୍ୟ ଯାଞ୍ଚ ସ୍ୱାସ୍ଥ୍ୟ ବିଭାଗ ସହାୟତାରେ କରାଯିବ । ଛାତ୍ରଛାତ୍ରୀଙ୍କୁ ଗରମ ଏବଂ ସୁଷମ ଖାଦ୍ୟ ଦେବାକୁ ହଷ୍ଟେଲ କର୍ତ୍ତୃପକ୍ଷ ନିଶ୍ଚିତ କରିବେ । ଛାତ୍ରଛାତ୍ରୀ ବାହାରୁ ଖାଦ୍ୟ ମଗାଇ ଖାଇପାରିବେ ନାହିଁ ।

କୋଭିଡ୍ ପ୍ରୋଟୋକଲ ମାନି ହଷ୍ଟେଲରେ ଶାରିରୀକ ଦୂରତାକୁ ଧ୍ୟାନ ଦିଆଯିବ । ହଷ୍ଟେଲରେ ପର୍ଯ୍ୟାପ୍ତ ସ୍ଥାନ ନଥିଲେ ଅନ୍ୟ ଜାଗାରେ ରହିବା ବ୍ୟବସ୍ଥା କରାଯିବ । ଅନ୍ତେବାସୀଙ୍କ ବେଡ୍ ମଧ୍ୟରେ ଦୂରତା ରହିବ । ହଷ୍ଟେଲରେ ଅନ୍ୟ ସହ ଯଥାସମ୍ଭବ କମ୍ ମିଶିବେ । ଅନ୍ତେବାସୀଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ ପାଇଁ କାଉନସିଲର ରହିବେ । ସପ୍ତାହକୁ ଥରେ ମେଡିକାଲ ଟିମ୍ ରୋଷେଇ ଏବଂ ରହଣୀର ତଦାରଖ କରିବେ । ଖେଳ, ନାଚ, ଗୀତ ଆଦି ବନ୍ଦ ରହିବ । କୌଣସି ଛାତ୍ରଛାତ୍ରୀ ପାଠ୍ୟସାମଗ୍ରୀ, ମାସ୍କ, ପେନ୍ ଭଳି ଉପକରଣ ଅନ୍ୟ ସହ ଆଦାନ ପ୍ରଦାନ କରିବେ ନାହିଁ । ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ଥିଲେ ହଷ୍ଟେଲରେ ୨୪ରୁ ୩୦ ଡିଗ୍ରୀ ସେଲସିୟସ ତାପମାତ୍ରା ରହିବ । ହ୍ୟୁମିଡିଟି ୪୦ରୁ ୭୦ ପ୍ରତିଶତ ରହିବ ।

ହଷ୍ଟେଲରେ ସାନିଟାଇଜର ରଖାଯିବ । ପ୍ରତିଦିନ ହଷ୍ଟେଲ ଓ ଶୌଚାଳୟ ସଫା କରାଯିବ । ହଷ୍ଟେଲ ଖୋଲିବା ପୂର୍ବରୁ ବିଶୁଦ୍ଧ ପାଣି, ବିଦ୍ୟୁତ୍ ବ୍ୟବସ୍ଥା ସହ ଶୌଚାଳୟକୁ କାର୍ଯ୍ୟକ୍ଷମ କରାଯିବ । ବ୍ୟର୍ଜ୍ୟ ପରିଚାଲନା ପାଇଁ ଗାଇଡଲାଇନ୍ ଅନୁସାରେ ବ୍ୟବସ୍ଥା କରାଯିବ । ପ୍ରତିଦିନ ହଷ୍ଟେଲ ରୋଷେୟାଙ୍କ ଥର୍ମାଲ୍ ସ୍କ୍ରିନିଂ ହଷ୍ଟେଲ ପ୍ରବେଶ ପୂର୍ବରୁ ହେବ । ରୋଷେୟା ସବୁବେଳେ ମାସ୍କ ପିନ୍ଧିବେ । ନିଆଁ ଜନିତ ଦୁର୍ଘଟଣା ରୋକିବାକୁ ସାନିଟାଇଜର ରୋଷେଇ ଶାଳରେ ବ୍ୟବହାର କରିବେ ନାହିଁ । କାଶିବା, ଛିଙ୍କିବା, ଶୌଚାଳୟ ଯିବା, ଫୋନରେ କଥାହେବା ପରେ ଅତିକମରେ ୪୦ ସେକେଣ୍ଡ ଯାଏ ହାତ ସଫା କରିବେ ।

Leave a Reply