କରୋନା ବଦଳାଇଦେଲା ଜୀବନ ଓ ଜୀବିକା

ଭୁବନେଶ୍ୱର,(ଅନୁଜ ଦାସ): ସବୁକିଛି ବଦଳାଇ ଦେଇଛି କରୋନା । ବଦଳିଯାଇଛି ଜୀବନ ଓ ବଞ୍ଚିବାର ଶୈଳୀ । ହରାଇବାକୁ ପଡିଛି ଚାକିରି, ବଦଳିଯାଇଛି ପେଶା  । ସ୍ଥିତି ଏମିତି ହେଲାଣି ସମ୍ପତ୍ତି ବିକ୍ରି କରି ଚଳିଲାଣି ମଣିଷ । ନିକଟରେ ଏକ ସର୍ଭେରୁ ସାମ୍ନାକୁ ଆସିଛି ଏଭଳି ସାଂଘାତିକ ତଥ୍ୟ  । ଯେ, ଓଡିଶାର ୨୭ ପ୍ରତିଶତ ଲୋକ ଆୟ ଶୂନ୍ୟ ହୋଇ ସମୟ ବିତାଉଛନ୍ତି  । କରୋନା ଭୂତାଣୁ ବିରୋଧରେ ସାରା ବିଶ୍ୱ ଲଢୁଛି  । ଲକଡାଉନ ଓ ସଟଡାଉନ ଫର୍ମୁଲାରେ ନିୟନ୍ତ୍ରଣ କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଜୀବନ ସିନା ବଞ୍ଚିଯାଉଛି କିନ୍ତୁ ଜୀବିକା ହରାଇ ଘରେ ବସିଛନ୍ତି ଅନେକ । ଲକଡାଉନ ସମୟରେ ଓଡିଶା ଓ ଉତ୍ତର ପ୍ରଦେଶର ଆର୍ଥିକ ସ୍ଥିତିକୁ ନେଇ ନ୍ୟାସନାଲ କାଉନସିଲ ଅଫ ଆପ୍ଲାଏଡ ଇକୋନୋମିକ ରିସର୍ଚ୍ଚ କରିଛି ।

ସର୍ଭେରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଆପଣଙ୍କ ଚିନ୍ତା ବଢାଇଦେବ । ଲକଡାଉନ ସମୟରେ ଭୁଶୁଡି ପଡିଛି ଆର୍ଥିକ ସ୍ଥିତି  ।  ରୋଜଗାର ପନ୍ଥା ବନ୍ଦ ହୋଇଯିବାରୁ ୫୯ ପ୍ରତିଶତ ଲୋକ ସଞ୍ଚିତ ସମ୍ପତ୍ତି ଖର୍ଚ୍ଚ କରିବା ସହ ସମ୍ପତ୍ତି ବିକ୍ରି କରି ଚଳୁଛନ୍ତି  । ୧୭ ପ୍ରତିଶତ ଲୋକ ଋଣ କରି ଚଳୁଛନ୍ତି, ୨୭ ପ୍ରତିଶତ ଲୋକ ଲକଡାଉନରେ ଆୟଶୂନ୍ୟ ହୋଇଯାଇଛନ୍ତି  । ଲକଡାଉନରେ ଦୋକାନ ବଜାର ବନ୍ଦ ରହୁଥିବାରୁ ଅନେକ ଲୋକେ ବୃତ୍ତି ବଦଳାଇଦେଇଛନ୍ତି  ।

୯ ପ୍ରତିଶତ ଲୋକ ବୃତ୍ତି ବଦଳାଇ ଦେଇଥିବା ସର୍ଭେ ରିପୋର୍ଟରୁ ଜଣାପଡିଛି  । ତେବେ ଏହି ସମୟରେ ରାଜ୍ୟ ସରକାର ଅଧିକ ନିଗମର ବ୍ୟବସ୍ଥା ସମତେ ଅଚଳ କାରଖାନାକୁ ପୁନ କାର୍ଯ୍ୟକ୍ଷମ କଲେ ରୋଜଗାର ହରାଇଥିବା ଲୋକେ ଭଲ ଟଙ୍କା ରୋଜଗାର କରିପାରିବେ ବୋଲି ବିଶେଷଜ୍ଞ କହିଛନ୍ତି  । ରୋଜଗାର ହରାଇଥିବାରୁ ଅନେକ ଲୋକଙ୍କ ଖାଦ୍ୟ ଶୈଳୀ ଉପରେ ବି ପ୍ରଭାବ ପଡିଛି  ।  ରାଜ୍ୟର ୫ ପ୍ରତିଶତ ଲୋକ ପ୍ରତିଦିନର ଖାଦ୍ୟରେ ନିୟନ୍ତ୍ରଣ କରି ଦିନ ବିତାଉଛନ୍ତି  ।

କେବଳ ଏତିକି ନୁହଁ ୧୫.୮ ପ୍ରତିଶତ ଲୋକ ବନ୍ଧୁ ଓ ପ୍ରିୟଜନଙ୍କ ସହାୟତାରେ ଚଳୁଛନ୍ତି  । ରାଜ୍ୟ ବାହାରୁ ଫେରିଥିବା ଲକ୍ଷାଧିକ ଲୋକଙ୍କ ମଧ୍ୟରୁ ଅଧିକାଂଶ ଲୋକ କୁଶଳୀ କାରିଗର ଅଛନ୍ତି  ।  ଏଭଳି ଲୋକଙ୍କୁ ଚିହ୍ନଟ କରି ରାଜ୍ୟରେ ବଡ ବଡ କାରଖାନା ନିର୍ମାଣ କଲେ ଅନେକଙ୍କୁ ବଞ୍ଚିବାର ରାହା ମିଳିବ  ।  ରାଜ୍ୟର ରାଜସ୍ୱ ବି ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ କହିଛନ୍ତି  ।

Leave a Reply