ଦୁର୍ନୀତି ଦେଶରେ ରାଜନୈତିକ ବଂଶବାଦରେ ପରିଣତ ହେଲାଣି: ନରେନ୍ଦ୍ର ମୋଦି

1 min read

ନୂଆଦିଲ୍ଲୀ: ଦୁର୍ନୀତିକୁ ସମୂଳେ ନାଶ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଜିଲାନ୍ସ ଓ ଆଣ୍ଟି-କରପସନ୍ କନଫରେନ୍ସର ଉଦଘାଟନ କରିଛନ୍ତି । ଏହି ଅବସରରେ ନରେନ୍ଦ୍ରମୋଦି କହିଛନ୍ତି, ପ୍ରଥମ ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଏଭଳି ବ୍ୟବସ୍ଥା ଲାଗୁ କରିବା ପାଇଁ ପ୍ରୟାସ କରିଥିଲେ । ମାତ୍ର ଏହା ହେବା ସମ୍ଭବପର ହୋଇପାରିନଥିଲା । କୋଟି କୋଟି ଟଙ୍କାର ଦୁର୍ନୀତି, ସେଲ୍ କମ୍ପାନୀରେ ଘୋଟାଲା, ଟିକସ ଚୋରି ଭଳି ତମାମ୍ ଆରୋପ କେନ୍ଦ୍ର ସରକାରଙ୍କ ଉପରେ ଲାଗୁଥିଲା । ଏବେ ସମୟ ବଦଳିଛି ।

କିଛି ବର୍ଷ ହେବ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ସହ କାର୍ଯ୍ୟ ହୋଇଛି । ୨୦୧୪ ପରେ ପ୍ରଶାସନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟାକିଂ କ୍ଷେତ୍ରରେ ସ୍ୱଚ୍ଛତା ଆସିଛି । ତେବେ ଆହୁରି ସୁଧାର ଆସିବା ବାକି ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦୁର୍ନୀତି କେବଳ କିଛି ଅର୍ଥର କଥା ନୁହେଁ । ଏହା ଦେଶର ବିକାଶରେ ପ୍ରମୁଖ ବାଧକ । ସାମାଜିକ ସନ୍ତୁଳନ ବିଗିଡିବାର ଏକ ପ୍ରମୁଖ କାରଣ ମଧ୍ୟ ଦୁର୍ନୀତି । ଏଣୁ ଏହାର ମୂଳତ୍ପୋଟନ ନିହାତି ଆବଶ୍ୟକ । ତେବେ ଦୁର୍ନୀତି ଏବେ ଏକ ବଂଶବାଦରେ ପରିଣତ ହେଲାଣି । ପିଢୀ ପରେ ପିଢୀ ଦୁର୍ନୀତିରେ ବୁଡି ରହୁଛନ୍ତି ।

ଏସବୁ ଏକ ବିକଶିତ ରାଷ୍ଟ୍ରର ମନୋଭାବ ହେବା ଉଚିତ୍ ନୁହେଁ । ତେବେ ଗରିବ ଶ୍ରେଣୀର ଲୋକଙ୍କୁ ମିଳୁଥିବା ସହାୟତା ସିଧାସଳଖ ଭାବେ ସେମାନଙ୍କ ଆକାଉଣ୍ଟକୁ ଯାଉଛି । ଯାହା ଫଳରେ ପାଖାପାଖି ୭୦ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଭୁଲ ହାତକୁ ଯିବାରୁ ରକ୍ଷା ପାଇଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୬ରେ ମୁଁ  କହିଥିଲି ଭାରତରେ ଗରିବଙ୍କ ସହ ଦୁର୍ନୀତି ଆଦୌ ଗ୍ରହଣୀୟ ନୁହେଁ । ଦୁର୍ନୀତିର ସବୁଠାରୁ ଅଧିକ କୁପ୍ରଭାବ କାହା ଉପରେ ପଡୁଛି ସେ ହେଲେ ଗରିବ ଶ୍ରେଣୀର ଲୋକେ ।

Leave a Reply