ବିନା ଭକ୍ତରେ ଆରଡ଼ିଧାମରେ ମା’ଙ୍କ ବିଶ୍ରାମ ପୂଜା

Aradi

ଆରଡ଼ି: ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳି ଆରଡ଼ିଧାମ ଆଖଣ୍ଡଳମଣିଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ପୀଠଦେବୀ ଜୟଦୁର୍ଗାଙ୍କର ପବିତ୍ର ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଚାଲିଥିବା ସାରଦୀୟ ପୂଜାର, ଆଜି ମାଙ୍କ ପୂଜା ମଣ୍ଡପରେ ବିଶ୍ରାମ ପୂଜା ଅନୁଷ୍ଠିତ ହୋଇଛି । ଭୋର ୫ଟାରେ ପାହାଡ଼ ଖୋଲିବା ପରେ ରୀତିନୀତି ଅନୁଯାୟୀ ମଙ୍ଗଳ ଆଳତୀ, ମାର୍ଜନା, ମହାସ୍ନାନ, ହଳଦୀ ପଞ୍ଚାମୃତ ସ୍ନାନ ଆଦି ସରିବା ପରେ ମାଙ୍କୁ ମହିଷାମର୍ଦ୍ଦିନୀ ବେଶରେ ସଜ୍ଜିତ କରାଯାଇଛି ।

ପରେ ଘଟସ୍ଥାପନ, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା ଆଦି ସରିବା ପରେ ପୂଜା ମଣ୍ଡପରେ ବ୍ରାହ୍ମଣମାନଙ୍କ ଦ୍ୱାରା କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଗୁପ୍ତ ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହୋଇଛି । ତାହାସହିତ ଚଣ୍ଡିପାଠ ପଞ୍ଚ ଉପଚାର ପୂଜା କରାଯାଉଛି । ସେହିପରି ଅପରାଜିତା ମନ୍ତ୍ରରେ ପୂଜାର୍ଚ୍ଚନା କରାଯିବା ସହ ରାତିରେ ମା’ଙ୍କର ବିଶ୍ରାମ ପୂଜା ସହିତ ସନ୍ଧିପୂଜା ଅନୁଷ୍ଠିତ ହୋଇଛି । ଏହା ପରେ ହୋମ, ଆଳତୀ କରାଯିବ ।

ଚଳିତବର୍ଷ ମହାମାରୀ କରୋନା ପାଇଁ କଟକଣା ବଳବତ୍ତର ଥିବାରୁ ଭକ୍ତଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ସମ୍ପୁର୍ଣ୍ଣ ବନ୍ଦ ରହିଛି । ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୋଲିସ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କୋଭିଡ୍‌ କଟକଣା ପାଇଁ ଭକ୍ତମାନେ ମନ୍ଦିର ବାହାରେ ଦୀପ ଜାଳିବା ସହ ପ୍ରଣାମ କରି ଫେରିଯିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave a Reply