ଟ୍ରକ୍‌‌କୁ ପଛପଟୁ ପିଟିଲା ଟ୍ରକ୍‌, ଘଟଣା ସ୍ଥଳରେ ଟ୍ରକ୍‌ ସହ ଜିଅନ୍ତା ଜଳିଗଲା ଡ୍ରାଇଭର

ଖୋର୍ଦ୍ଧା: ଦୁର୍ଘଟଣା ଘଟି ବିଚ୍‌ ରାସ୍ତା ଉପରେ ଜଳିଗଲା ଟ୍ରକ୍‌ । ଦୁର୍ଘଟଣାରେ ଟ୍ରକ୍‌ ଭିତରେ ଜିଅନ୍ତା ଜଳିଗଲା ଡ୍ରାଇଭର । ଫଳରେ ଘଟଣା ସ୍ଥଳରେହିଁ ଡ୍ରାଇଭରର ମୃତ୍ୟୁ ହୋଇଛି । ଏଭଳି ଏକ ମର୍ମନ୍ତୁଦ ଘଟଣା ଘଟିଛି ୧୬ ନଂ ଜାତୀୟ ରାଜପଥ ବାଲୁଗାଁ ନିକଟସ୍ଥ ହାଟବରଡ଼ି ଛକରେ । ଆଜି ସକାଳେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି । ଭୁବନେଶ୍ୱର ଅଭିମୁଖେ ଆସିବାକୁ ଥିବା ଟ୍ରକ୍‌କୁ ପଛରୁ ଆଉ ଏକ ଟ୍ରକ୍‌ ଧକ୍କା ଦେଇଥିଲା ।

ଧକ୍କା ହେବା ପରେ ସଙ୍ଗେ ସଙ୍ଗେ ଟ୍ରକ୍‌ଟି ଜଳିବାକୁ ଲାଗିଲା । ଜଳିବା ପରେ ଟ୍ରକ୍‌ରୁ ବାହାରି ପାରିନଥିଲା ଡ୍ରାଇଭର । ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଛି । କିନ୍ତୁ ଡ୍ରାଇଭରକୁ ଉଦ୍ଧାର କରାଯାଇପାରିନାହିଁ । ହେଲପର ଗୁରୁତର ଅବସ୍ଥାରେ ବାଲୁଗାଁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ଟ୍ରକ୍‌ରେ ଅଗ୍ନିକାଣ୍ଡ ଘଟିବାର କାରଣ ଅସ୍ପଷ୍ଟ ରହିଛି । ସର୍ଟ ସର୍କିଟ ଯୋଗୁ ଘଟିଲା ବୋଲି ପ୍ରାଥମିକ ସୂଚନା ମିଳୁଛି ।

Leave a Reply