ଚିନକୁ ନେଇ ବଡ ପଦକ୍ଷେପ ନେଇ ପାରନ୍ତି ଟ୍ରମ୍ପ,ଆଜି କରିବେ ଘୋଷଣା

ୱାସିଂଟନ: ଆମେରିକା ଓ ଚିନ ମଧ୍ୟରେ ବଢୁଥିବା ତିକ୍ତତା ଉପରେ ଆଜିର ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଚିନକୁ ନେଇ ସ୍ୱତନ୍ତ୍ର ସମ୍ବାଦିକ ସମ୍ମିଳନୀ କରିବାକୁ ଯାଉଛନ୍ତି ଯେଉଁଥିରେ କିଛି ବଡ଼ ଘୋଷଣା କରିବାକୁ ଯାଉଛନ୍ତି । ତେବେ ଏନେଇ ଗୁରୁବାର ଦିନ ସେ  ସୂଚନା ଦେଇଥିଲେ । କୁହାଯାଉଛି ଯେ କରୋନା ଏବଂ ହଙ୍ଗକଙ୍ଗକୁ ନେଇ ଚୀନର ଦମନକାରୀ ନୀତି’ ପ୍ରସଙ୍ଗ ବ୍ୟତୀତ ଟ୍ରମ୍ପ ଭାରତ ଏବଂ ଚିନ୍ ମଧ୍ୟରେ ଚଲିଥିବା ସୀମା ବିବାଦକୁ ନେଇ ମଧ୍ୟ ନିଜ ପକ୍ଷ ରଖି ପାରନ୍ତି ।

ଭାରତ ଓ ଚିନ ସୀମା ବିବାଦ ଉପରେ ପକ୍ଷ ରଖି ପାରନ୍ତି ଟ୍ରମ୍ପ

ଭାରତ ଚିନ ମଧ୍ୟରେ ଥିବା ଜମି ବିବାଦ ଉପରେ ପ୍ରଥମରୁ ହିଁ ମଧ୍ୟସ୍ଥତା ନେଇ ପ୍ରସ୍ତାବ ଦେଇଥିବା ଟ୍ରମ୍ପ କିଛି ଘଣ୍ଟା ପୂର୍ବରୁ ହିଁ କହିଥିଲେ ଯେ, ବେଜିଂର କାର୍ଯ୍ୟକଳାପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମାବି ଭଲ ମୁଡରେ ନାହାଁନ୍ତି । ଏବଂ ଟ୍ରମ୍ପ ଏହା ମଧ୍ୟ କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହ କଥା ହୋଇଛନ୍ତି ଏବଂ ଚିନ ସହ ଚାଲିଥିବା ସୀମା ବିବାଦ ପାଇଁ ମୋଦି  ଭଲ ମୁଡ଼ରେ ନାହାଁନ୍ତି । ଟ୍ରମ୍ପଙ୍କ ଏହି ବୟାନ ଚିନ୍ ପାଇଁ ଶକ୍ତ ଏବଂ ସ୍ପଷ୍ଟ ସନ୍ଦେଶ ମଧ୍ୟ । ତେଣୁ ଚିନ୍ ତା କାର୍ଯ୍ୟକଳାପକୁ ବନ୍ଦ କରିଦେବା ଦରକାର । ଏହାକୁ ନଜରରେ ରଖି ଆଜିର ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ଭାରତ ଓ ଚିନ ସୀମା ବିବାଦର ପ୍ରସଙ୍ଗ ଉପରେ ମଧ୍ୟ ନିଜର ପକ୍ଷ ରଖିପାରନ୍ତି ।

କରୋନା ଭାଇରସର ପ୍ରସଙ୍ଗ ହେଉଛି ମୁଖ୍ୟ ପ୍ରସଙ୍ଗ

ଚିନକୁ ନେଇ ଟ୍ରମ୍ପର ଏହି ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ କରୋନାର ପ୍ରସଙ୍ଗକୁ ପ୍ରାଧାନ୍ୟ ଦେଇପାରନ୍ତି । ଟ୍ରମ୍ପ ପ୍ରଶାସନ ଗତ କିଛି ସପ୍ତାହରୁ କରୋନା ଭାଇରସକୁ ନେଇ ଚିନ ଉପରେ  ଚାପ ପକାଉଛି । ୱାସିଂଟନର ଅଭିଯୋଗ ହେଉଛି ଚିନ କରୋନା ଭାଇରସକୁ ନେଇ ଦୁନିଆକୁ ତଥ୍ୟ ଲୁଚାଇଛି । ଟ୍ରମ୍ପ ସାର୍ବଜନିକ ଭାବେ କରୋନା ଭାଇରସ୍ ଏବଂ ଆମେରିକାର ଏହାର ଭିଷଣ ପ୍ରଭାବକୁ ନେଇ ଚିନକୁ ଦାୟୀ କରିଛନ୍ତି ।

ହଙ୍ଗକଙ୍ଗରେ ଚିନର ଦମନ ନୀତିର ପ୍ରସଙ୍ଗ

ଟ୍ରମ୍ପ ଆଜି ସାମ୍ବାଦିକ ସମ୍ମିଳନୀରେ ହଙ୍ଗକଙ୍ଗରେ ଚିନର ଦମନ ନୀତି ପ୍ରସଙ୍ଗ ଉପରେ ମଧ୍ୟ କଥା ହୋଇପାରନ୍ତି । ଚିନର ସଂସଦ ଗୁରୁବାରଦିନ ହଙ୍ଗକଙ୍ଗ ପାଇଁ ଏକ ନୂଆ ବିବାଦୀୟ ସୁରକ୍ଷା ନିୟମକୁ ମଞ୍ଜୁରି ଦେଇଛନ୍ତି । ଏବଂ ଏଥିରେ ପୂର୍ବ ବ୍ରିଟିସ୍ କଲୋନିରେ ବେଜିଂର ଅଧିକାରକୁ ଦୁର୍ବଳ କରିବା ଏକ ଅପରାଧ ହୋଇଯିବ । କରୋନାକୁ ନେଇ ପୂର୍ବରୁ ଚିନ ଉପରେ ରାଗିଥିବା ଟ୍ରମ୍ପ ଏହି ନୂଆ ନିୟମ ପାଇଁ ବହୁତ ରାଗିଯାଇଛନ୍ତି । ଆମେରିକା ବ୍ୟତୀତ ବ୍ରିଟେନ ଏବଂ ୟୁରୋପୀୟ ସଂଘ ନୂଆ ସୁରକ୍ଷା ନିୟମର ନିନ୍ଦା କରିବା ସହ ହଙ୍ଗକଙ୍ଗବାସୀଙ୍କ ସ୍ୱାଧିନତା ସପକ୍ଷରେ ସ୍ୱର ଉତ୍ତୋଳନ କରିଛନ୍ତି ।

ଉଇଘର ମୁସଲମାନଙ୍କ ଉପରେ ଚିନର ଅତ୍ୟାଚାରର ପ୍ରସଙ୍ଗ

ଚିନ୍ ତା ଅଞ୍ଚଳରେ ଉଇଗର ମୁସଲମାନଙ୍କ ଉପରେ ଯେମିତି ଅତ୍ୟାଚାର କରୁଛି, ସେହି ପ୍ରସଙ୍ଗ ଉପରେ ମଧ୍ୟ ଟ୍ରମ୍ପ ସ୍ୱର ଉଠାଇ ପାରନ୍ତି । ଚିନ ସିନଜିୟାନ ପ୍ରାନ୍ତରେ ପାଖାପାଖି ୨୦ଲକ୍ଷ ଉଇଘର ମୁସଲିମକୁ କଏଦ କରି ତାଙ୍କ ଉପରେ ଅତ୍ୟାଚାର କରୁଛି । ଏହି ପ୍ରସଙ୍ଗକୁ ନେଇ ହୁଏତ ଟ୍ରମ୍ପ ଏକ ନୀତି ଉପରେ ମୋହର ବି ମାରିପାରନ୍ତି । ୨ଦିନ ପୂର୍ବରୁ ହିଁ ଆମେରିକା ସଂସଦ ସଦନ ହାଉସ୍ ଅଫ୍ ରିପ୍ରେଜେଣ୍ଟସ ଉଇଘର ହ୍ୟୁମାନ ରାଇଟସ୍ ପଲିସି ଆକ୍ଟ,୨୦୨୦କୁ ମଞ୍ଜୁରି ଦେଇଛନ୍ତି । ଏହି ଆକ୍ଟରେ ଉଇଘର ମୁସଲିମଙ୍କ ଉପରେ ଚିନ କମ୍ୟୁନିଷ୍ଟ ପାର୍ଟିର ଅତ୍ୟାଚାର ବିଷୟରେ ଆଲୋଚନା କରାଯାଇଛି । ସଂସଦର ଦୁଇଟିଯାକ ସଦନର ମଞ୍ଜୁରି ପରେ ଯଦି ଏହା ଉପରେ ଟ୍ରମ୍ପ ହସ୍ତାକ୍ଷର କରିଦିଅନ୍ତି ତେବେ ଆମେରିକା ବିଦେଶୀ ବିଭାଗ ଚିନର ସିନଜିୟାଙ୍ଗ ପ୍ରଦେଶରେ ମାନବ ଅଧିକାରର ଉଲଂଘନର ଅଧ୍ୟୟନ କରି କଂଗ୍ରେସରେ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିବ ।

ଚିନି ଛାତ୍ରଙ୍କ ଉପରେ ଟ୍ରମ୍ପ ଲଗାଇ ପାରନ୍ତି ପ୍ରତିବନ୍ଧକ

ଆନ୍ତର୍ଯାତୀୟ ଗଣମାଧ୍ୟମ ଅନୁସାରେ  ଆମେରିକା ୟୁନିଭରସିଟିରେ ପଢିବା ପାଇଁ ଆସୁଥିବା ହଜାର ହଜାର ଚିନି ଛାତ୍ରଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ମଧ୍ୟ ଘୋଷଣା ହୋଇପାରେ ।

Leave a Reply