ହୋମ୍ କ୍ୱାରେଣ୍ଟାଇନରେ ନରହିବାରୁ ଲାଠି ଧରି ଗୋଡ଼ାଇଲେ ଡାକ୍ତର

ରାଜସ୍ଥାନ: ବାହାରୁ ଆସିଥିବା ଜଣେ ଯୁବକଙ୍କୁ ହୋମ କ୍ୱାରାଣ୍ଟାଇନରେ ରହିବାକୁ କୁହାଯାଇଥିବା ସତ୍ତ୍ୱେ ହେଁ ଏହାକୁ ନ ମାନିବାରୁ ଜଣେ ଡାକ୍ତର ତାଙ୍କୁ ଲାଠି ଧରି ଗୋଡାଇବା ଘଟଣା ରାଜସ୍ଥାନ ମକରାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଉକ୍ତ ଅଞ୍ଚଳର ୩୮ ବର୍ଷର ଜଣେ ଯୁବକ ବାହାରୁ ଘରକୁ ଆସିବା ପରେ ତାଙ୍କୁ ହୋମ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଗୁରୁବାର ଡାକ୍ତର ଆବିଦ ହୁସେନଙ୍କ ଏକ ଟିମ୍ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ସେଠାରେ ପହଞ୍ଚିଥିଲେ। ସେତେବେଳେ ଯୁବକ ଜଣକ ଘରୁ ବାହାରକୁ ବାହାରି ଆସିଥିଲେ।

ଡାକ୍ତର ଆବିଦ ତାଙ୍କ ନିକଟକୁ ଯାଇ ଘରେ ରହିବାକୁ ପରାମର୍ଶ ଦେଇଥିଲେ।  ବୁଝାଇବା ସତ୍ତ୍ୱେ ଯୁବକ ଜଣକ ଘରକୁ ଯାଇ ନ ଥିଲେ।  ସେହି ସମୟରେ ଆଖପାଖର ଲୋକେ ମଧ୍ୟ ସେଠାରେ ଜମା ହୋଇଯାଇଥିଲେ।  ଫଳରେ ଡାକ୍ତର ବେକରୁ ଷ୍ଟେଥୋସ୍କୋପ କାଢି ନିଜ କାରରେ ରଖିଥିବା ଏକ ଲାଠି ବାହାର କରିଥିଲେ ଏବଂ ଯୁବକଙ୍କୁ ଘରକୁ ଯିବାକୁ କହି ତାଙ୍କ ପଛରେ ଗୋଡାଇଥିଲେ। ପରେ ଯୁବକ ଜଣକ ଭୟରେ ତାଙ୍କ ଘରେ ପଶି ଭିତରକୁ କବାଟ ବନ୍ଦ କରିଦେଇଥିଲେ।

ଏ ସମ୍ପର୍କରେ ଡାକ୍ତର ହୁସେନ କହିଛନ୍ତି, ଅବହେଳା ଯୋଗୁ କରୋନା ସଂକ୍ରମଣର ଆଶଙ୍କା ଅଧିକ  ରହିଛି । ଡାକ୍ତରମାନେ ବହୁ ପରିଶ୍ରମ କରି ସମସ୍ତଙ୍କୁ ସୁସ୍ଥ ରଖିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଲୋକେ ସେମାନଙ୍କୁ ସହଯୋଗ କରିବା ଆବଶ୍ୟକ। ଏହା ଦ୍ୱାରା ଲୋକଙ୍କୁ କରୋନା ସଂକ୍ରମଣରୁ ରୋକାଯାଇପାରିବ।

Leave a Reply