ମହିଳା ଶସକ୍ତିକରଣ ପାଇଁ ସଂରକ୍ଷଣର ଆବଶ୍ୟକତା ରହିଛି କି ? ନନ୍ଦିଘୋଷ ଟିଭିର ଦୁହିତା କନକ୍ଲେଭରେ କ’ଣ କହିଲେ ପ୍ୟାନେଲିଷ୍ଟ୍…

ଭୁବନେଶ୍ୱର: ମହିଳା ଶସକ୍ତିକରଣ ପାଇଁ ସଂରକ୍ଷଣ ବ୍ୟବସ୍ଥାର ଆବଶ୍ୟକତା ରହିଛି କି ? ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନନ୍ଦିଘୋଷ ଟିଭି ଓ ଦୈନିକ ଖବରକାଗଜ ସକାଳ ତରଫରୁ ଆୟୋଜିତ ‘ଦୁହିତା’ କନକ୍ଲେଭର ଆଲୋଚନାରେ ପ୍ୟାନେଲିଷ୍ଟଙ୍କ ମତ ଥିଲା ଯେ, ସଂରକ୍ଷଣ ସହ ସମ୍ମାନ ଓ ସମାଜର ମାନସିକତାରେ ପରିବର୍ତ୍ତନ ଆବଶ୍ୟକତା ରହିଛି ।

ଆରଏମସି ନିର୍ଦ୍ଦେଶିକା ସଂଘମିତ୍ରା ପତି ଆଲୋଚନାରେ ଅଂଶଗ୍ରହଣ କରି ସଂରକ୍ଷଣକୁ ନେଇ ନିଜ ମତ ରଖିଥିଲେ । ସେ କହିଥିଲେ ଯେ, କିଛି କ୍ଷେତ୍ରରେ କିଛି ପରିମାଣରେ ସଂରକ୍ଷଣର ଆବଶ୍ୟକତା ରହିଛି । ଯେଉଁଠି ସଂରକ୍ଷଣ ଜରୁରୀ ସେଠାରେ ଦେବା ଆବଶ୍ୟକ । ନିଜ ଅଭିଜ୍ଞତାରୁ ସେ କହିଥିଲେ ଯେ, ଯେତେବେଳେ ସେ ଇଂଜିନିୟରିଂ ଫିଲ୍ଡକୁ ବାଛି ଥିଲେ ସେତେବେଳେ ଇଂଜିନିୟରିଂରେ ଖୁବ କମ୍ ଝିଅ ପଢୁଥିଲେ। କିନ୍ତୁ ବିଜୁ ପଟ୍ଟନାୟକ ଇଞ୍ଜିନିୟରିଂ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ କରିବା ପରେ ଝିଅ ଏହି କ୍ଷେତ୍ରକୁ ଅଧିକରୁ ଅଧିକ ଆସିଥିଲେ । ତେଣୁ ଯେଉଁ କ୍ଷେତ୍ରରେ ସଂରକ୍ଷଣ ଆବଶ୍ୟକତା ସେଠାରେ ସଂରକ୍ଷଣ ଦିଆଯିବା ଉଚିତ ବୋଲି ସଂଘମିତ୍ରା ପତି କହିଥିଲେ ।

ଡିପିଏସ କଳିଙ୍ଗର ଉପ ଅଧ୍ୟକ୍ଷ ମାଳା ମିଶ୍ର ସଂରକ୍ଷଣ ବ୍ୟବସ୍ଥା ଉପରେ ନିଜ ମତ ରଖି କହିଥିଲେ ଯେ, ମହିଳା ଶସକ୍ତିକରଣ ପାଇଁ ସଂରକ୍ଷଣ ବ୍ୟବସ୍ଥାର ଆବଶ୍ୟକତା ରହିଛି । ସେ କହିଥିଲେ ଯେ, ଆମେ ପୁରୁଷ ପ୍ରଧାନ ସମାଜରେ ରହୁଛେ । ଆମେ ଲାଳନ ପାଳନରେ ବି ପୁଅ ଝିଅଙ୍କ ମଧ୍ୟରେ ପାତର ଅନ୍ତର କରୁଛେ । କେବେ କୌଣସି ମା’ ଏହା କହିବାର ଶୁଣିଛେ କି ଯେ ମୁଁ ମୋ ପୁଅକୁ ଝିଅ ଭଲି ବଢାଇଛି । ଶିକ୍ଷା ହିଁ ପରିବର୍ତ୍ତନ ଆଣି ପାରିବ ବୋଲି ସେ କହିବା ସହିତ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥିଲେ ।

କଲ୍ୟାଣି ଏସଏଚଜିର ଅଧ୍ୟକ୍ଷା ଜୟନ୍ତି ଏକା ସଂରକ୍ଷଣର ଆବଶ୍ୟକତାକୁ ନେଇ ବଳିଷ୍ଠ ଯୁକ୍ତି ରଖିଥିଲେ । ସେ କହିଥିଲେ ଯେ, ଯେ ପର୍ଯ୍ୟନ୍ତ ନାରୀ ପୁରୁଷ ସହ ସମାନ ହୋଇ ନାହାନ୍ତି ସେ ପର୍ଯ୍ୟନ୍ତ ସଂରକ୍ଷଣ ବ୍ୟବସ୍ଥା ରହିବା ଜରୁରୀ । ସେ ଏହା ମଧ୍ୟ କହିଥିଲେ ଯେ, ସଂରକ୍ଷଣ ସହିତ ସମ୍ମାନର ଆବଶ୍ୟକତା ରହିଛି ।

ଅନ୍ୟପକ୍ଷରେ ମହିଳା ଯେତେବେଳେ ନେତୃତ୍ୱ ନିଅନ୍ତି ସେତେବେଳେ କର୍ମକ୍ଷେତ୍ରରେ ସେମାନଙ୍କୁ କିଭଳି ମନୋଭାବର ଶିକାର ହେବାକୁ ପଡେ ? ଏହି ପ୍ରଶ୍ନର ଉତ୍ତର ଦେଇ ସଂଘମିତ୍ରା ପତି କହିଥିଲେ ଯେ, – ଲିଡରସିପ୍ ରୋଲରେ ଜଣକୁ ନିଜ ଦକ୍ଷତା ପ୍ରମାଣିତ କରିବାକୁ ପଡିବ । ତେଣିକି ମହିଳା ହୁଅନ୍ତୁ କି ପୁରୁଷ । ଯେତେବେଳେ ଆପଣଙ୍କ ଉପରେ ଭରସା ଅଛି ବୋଲି ଦାୟିତ୍ୱ ଦିଆଯାଏ ସେତେବେଳେ ଆପଣଙ୍କୁ ଦକ୍ଷତା ପ୍ରମାଣିତ କରିବାକୁ ପଡିବ । ଶସକ୍ତିକରଣ ହେଉଛି ନିଜ ନିଷ୍ପତି ନେବାର କ୍ଷମତା

Leave a Reply