ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହେଲା ରନ୍ଧାଖାଦ୍ୟ ବଣ୍ଟନ: ଆଗୁଆ ମିଳିଛୁ ୩ ମାସର ପିଡିଏସ୍ ଚାଉଳ

ଭୁବନେଶ୍ୱର ବ୍ୟୁରୋ: ଲକଡାଉନ୍‌ କରିବନି ପେଟରେ ବ୍ରେକଡାଉନ୍‌ । ଭୋକରେ ରହିବେନି ଗରିବ ଦୁଃଖୀ । ମିଳୁଛି ୨ଓଳା ରନ୍ଧାଖାଦ୍ୟ । ଆଗୁଆ ୩ ମାସର ପିଡିଏସ୍‌ ଚାଉଳ । ହିତାଧୀକାରୀଙ୍କୁ ୪ ମାସରର ଭତ୍ତା ଟଙ୍କା । ମୁଖ୍ୟମନ୍ତ୍ରୀ ଘୋଷଣା ପରେ ପ୍ରଶାସନ ଦେଖାଇଛି ତତ୍ପରତା ।

ପଞ୍ଚାୟତସ୍ତରରେ ବଣ୍ଟାଯାଇଛି ରନ୍ଧାଖାଦ୍ୟ, ପିଡିଏସ ସାମଗ୍ରୀ ଓ ଭତ୍ତା ଟଙ୍କା । ଲକ୍‌ଡାଉନ ବେଳେ ଯେମିତି, ଜଣେ ବି ଭୋକରେ ନଶୋଉ, ସେନେଇ ସରକାର କଥା ଦେଇଥିଲେ । ଆଉ ଏବେ ଗରିବ ଗୁରୁବା ପାଇଁ ଖୋଲି ଦେଇଛନ୍ତି ଅନ୍ନଛତ୍ର । ଖାଲି ଅସହାୟ ବା ହିତାଧିକାରୀ ନୁହେଁ ବରଂ ବାହାର ରାଜ୍ୟର ଶ୍ରମିକଙ୍କ ପେଟ କଥା ବୁଝୁଛନ୍ତି ରାଜ୍ୟ ସରକାର ।

ବାଲେଶ୍ୱର ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପହଞ୍ଚି ସାରିଛି ପିଡିଏସ୍‌ ଚାଉଳ । ମଙ୍ଗଳବାରଠାରୁ ହିତାଧିକାରୀଙ୍କୁ ୩ ମାସର ଆଗ୍ରୀମ ଚାଉଳ ବଣ୍ଟନ କରାଯିବ । ଅନ୍ୟପଟେ ସାମାଜିକ ନିରାପତ୍ତା ପାଇଁ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଏବଂ ବିଧବାଙ୍କୁ ୪ ମାସର ଭତ୍ତା ବଣ୍ଟନ କରାଯାଇଛି ।

ଜୟପୁରରେ ଗରିବ ଗୁରୁବାଙ୍କ ମୁହଁରେ ହସ ଫୁଟାଇଛି ପିଡିଏସ ଚାଉଳ ଏବଂ ଭତ୍ତା ଟଙ୍କା । କରଞ୍ଜିଆରେ ନିରାଶ୍ରୟ ଓ ଫସିଥିବା ଶ୍ରମିକଙ୍କୁ ବଣ୍ଟାଯାଇଛି ରନ୍ଧାଖାଦ୍ୟ । ଆସିକାରେ ମଧ୍ୟ ଭୋକର ଜ୍ୱଳାକୁ ଶାନ୍ତ କରିଛି ରନ୍ଧା ଖାଦ୍ୟ । ମାଲକାନଗିରିରେ ଲାଲବାହିନୀ ଭୟରେ ଘର ଛାଡିଥିବା ଶରଣାର୍ଥୀଙ୍କ ଜୀବନଯନ୍ତ୍ରଣାର  ଉପଶମ ଆଣିଦେଇଛି ପ୍ରଶାସନର ପ୍ରୟାସ ।

ଜଗତସିଂହପୁରରେ ଏସଏଚଜି ମହିଳା ସାଜିଛନ୍ତି କରୋନା ଯୋଦ୍ଧା । ଜନସାଧାରଣଙ୍କୁ ସୁରକ୍ଷିତ ରଖିବାକୁ ଗଳିକନ୍ଦିରେ ପନିପରିବା ବିକୁଛନ୍ତି ଏସଏଚଜି ମହିଳା ।

Leave a Reply