ଦିଗବିଜୟଙ୍କ ଅଭିଯୋଗ, କର୍ପୋରେଟ ଲବିକୁ ଖୁସି କରିବା ପାଇଁ କୃଷି ବିଲ୍

ଭୁବନେଶ୍ୱର,  ଭାରତର ଅର୍ଥନୀତି ଚାଷ ଉପରେ ନିର୍ଭରଶୀଳ । କୃଷି ଏବଂ କୃଷକ ଅର୍ଥନୈତିକ ବ୍ୟବସ୍ଥାର ମେରୁଦଣ୍ଡ । ହେଲେ ନିକଟରେ ରାଜ୍ୟ ସଭାରେ ବେଆଇନ ଭାବେ ଗୃହୀତ କରାଯାଇଥିବା କୃଷି ବିଲ୍ ଚାଷୀ ସ୍ୱାର୍ଥ ବିରୋଧୀ । କେନ୍ଦ୍ର ସରକାର ସିଧାସଳଖ ଚାଷୀଙ୍କ ଅର୍ଥନୈତିକ ଭାଗ୍ୟ ଦେଶୀ ଏବଂ ବିଦେଶୀ କର୍ପୋରେଟଙ୍କ ହାତରେ ଟେକି ଦେବାକୁ ଚାହୁଁଛନ୍ତି । ତେଣୁ ଏହି କଳା ଆଇନକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ କହିଛନ୍ତି । ସ୍ଥାନୀୟ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଗୁରୁବାର ଦିଗବିଜୟ ଏହି କଥା କହିଛନ୍ତି ।

ଦିଗବିଜୟ କହିଥିଲେ ଯେ, ଆସନ୍ତା ୨୫ ସେପ୍ଟେମ୍ବର ଅର୍ଥାତ ଶୁକ୍ରବାର ସାରା ଭାରତବର୍ଷର କୃଷକ ସଙ୍ଗଠନ, ବିରୋଧୀ ରାଜନୈତିକ ଦଳ ଏହାର ବିରୋଧ କରିବେ । ତେଣୁ କୃଷି ପ୍ରଧାନ ରାଜ୍ୟ ଓଡ଼ିଶାର କୃଷକ ଭାଇମାନେ ମଧ୍ୟ ଏଥିରେ ଯୋଗଦାନ କରନ୍ତୁ । ୨୫ ତାରିଖର ପ୍ରତିବାଦ ଓ ବନ୍ଦ ପାଳନକୁ ସଫଳ କରାଯାଉ ବୋଲି ସିଂ କହିଛନ୍ତି । ସେହିପରି  ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲବାହାଦୂର ଶାସ୍ତ୍ରୀ ସର୍ବପ୍ରଥମେ କଷ୍ଟ୍ ସପୋର୍ଟ ପ୍ରାଇସ୍ ବ୍ୟବସ୍ଥାକୁ ଉଚ୍ଛେଦ କରି ମିନିମମ୍ ସପୋର୍ଟ ପ୍ରାଇସ୍ (ସର୍ବନିମ୍ନ ସହାୟକ ମୂଲ୍ୟ) ବ୍ୟବସ୍ଥାକୁ ଆରମ୍ଭ କରିଥିଲେ । ୨୦୧୪ ମସିହା ପରଠାରୁ କେନ୍ଦ୍ରରେ ମୋଦି ସରକାର କ୍ରମାଗତ ଭାବେ ଚାଷୀ ଓ ଶ୍ରମିକ ବିରୋଧି ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ଆଜିର ଚାଷୀ ସ୍ୱାର୍ଥ ବିରୋଧି ଆଇନ୍‌କୁ ମୁକ୍ତ ବାଣିଜ୍ୟିକ ରାଜିନାମାର ଦ୍ୱାହି ଦେଇ କିଛି ବିକଶିତ ବିଦେଶୀ ରାଷ୍ଟ୍ରମାନଙ୍କୁ ଖୁସି କରିବା ପାଇଁ ମୋଦି ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ପୂର୍ବରୁ ଚାଷୀ ଓ ଶ୍ରମିକମାନଙ୍କ ସ୍ୱାର୍ଥ ସହିତ ସାଲିସ୍ କଲାଭଳି କୌଣସି ବିଦେଶୀ ଚାପକୁ କଂଗ୍ରେସ ସରକାର ସମୟରେ କେବେ ବି ପ୍ରଶୟ ଦିଆଯାଇନଥିଲା । ଉତ୍ପାଦନ ମୂଲ୍ୟର ୧୦ ପ୍ରତିଶତରୁ ଅଧିକ ସବ୍‌ସିଡ୍ ନଦେବା ପାଇଁ ଥିବା ବ୍ୟବସ୍ଥାକୁ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ କଂଗ୍ରେସ ସରକାର କେବେ ଗ୍ରହଣ କରି ନ ଥିଲେ  ବୋଲି ଦିଗବିଜୟ କହିଥିଲେ।

ବର୍ତ୍ତମାନ ବିଲ୍‌ରେ ଥିବା ବ୍ୟବସ୍ଥା ଅନୁସାରେ ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ନ ମିଳିବା ସ୍ଥଳେ ବ୍ୟବସାୟୀ ବା ଖରିଦ୍‌ଦାରଙ୍କ ବିରୁଦ୍ଧରେ କୌଣସି ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବନାହିଁ । ବହୁରାଷ୍ଟ୍ରୀୟ କମ୍ପାନୀଗୁଡିକ ଏହି ଆଇନ୍‌ର ବ୍ୟବସ୍ଥା ଫଳରେ ସିଧାସଳଖ ଭାରତର ଗ୍ରାମୀଣ କୃଷି ବଜାର ଉପରେ ନିଜର ଏକଚାଟିଆ ଅଧିକାରୀ ଜାହିର କରିବାର ସୁଯୋଗ ପାଇବେ । ଘରୋଇ କମ୍ପାନୀଗୁଡିକ ନିଜେ ମଣ୍ଡି ଖୋଲିବାର ସୁଯୋଗ ପାଇବେ ଏବଂ ସରକାରଙ୍କ ନିୟନ୍ତ୍ରଣ ନରହିବା ହେତୁ ଚାଷୀ ଶୋଷଣର ଶିକାର ହେବେ । ଚୁକ୍ତିଭିତିକ ଚାଷରେ ଚାଷୀଙ୍କ ସ୍ୱାର୍ଥ ଅପେକ୍ଷା କମ୍ପାନୀମାନଙ୍କ ସ୍ୱାର୍ଥକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ପ୍ରତାରଣାର ଶିକାର ହୋଇଥିବା ଚାଷୀଟି କମ୍ପାନୀ ବିରୁଦ୍ଧରେ ସିଧାସଳଖ ନ୍ୟାୟାଳୟକୁ ଯିବାର ବ୍ୟବସ୍ଥା ନାହିଁ । ପ୍ରଥମେ ଉପଜିଲ୍ଲାପାଳ ଏବଂ ପରେ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେବାର ବ୍ୟବସ୍ଥା ରହିଛି । ଯଦି ଜିଲ୍ଲାପାଳଙ୍କ ପାଖରୁ ଚାଷୀଟିକୁ ନ୍ୟାୟ ନମିଳେ ତେବେ କେନ୍ଦ୍ର ସରକାରଙ୍କ ପାଖରେ ଫେରାଦ ହେବାକୁ ପଡିବ । କୃଷି ଏକ ରାଜ୍ୟଭିତିକ ବିଷୟ ହୋଇଥିବା ହେତୁ ଏ ପ୍ରାବଧାନ ଫଳରେ କେନ୍ଦ୍ର ସରକାରଙ୍କ ସିଧାସଳଖ ହସ୍ତକ୍ଷେପ ଗ୍ରହଣୀୟ ନୁହେଁ । ପୂର୍ବରୁ ଥିବା ଏପିଏମ୍‌ସି ଆକ୍ଟ ବା ମଣ୍ଡି ଆଇନ୍ ବର୍ତମାନ କେନ୍ଦ୍ର ଦ୍ୱାରା ନିୟନ୍ତ୍ରିତ ହେବ, ଯାହା ଚାଷୀକୂଳର ସର୍ବନାଶ କରିବ  ବୋଲି ଦିଗବିଜୟ କହିଛନ୍ତି ।

ଅନୁରୂପଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମଧ୍ୟ ଏକ ଭିଡିଓ ଜାରି କରିଛନ୍ତି । ଏଥିରେ କେନ୍ଦ୍ର ସରକାରଙ୍କ କୃଷି ବିଲ୍ କୁ ବିରୋଧ କରିବା ସହ ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି । ଏହି ଭିଡିଓ ଶେଷରେ ଶ୍ରୀକାନ୍ତ ବିଜେଡିକୁ ଧନ୍ୟବାଦ ଦେଇଛନ୍ତି । ବିଜେଡି ରାଜ୍ୟ ସଭାରେ କୃଷି ବିଲ୍ କୁ ବିରୋଧ କରିବା ହିଁ ଶାସକ ଦଳକୁ ଅଡୁଆରେ ପକାଇଥିଲା । ଏହା ପରେ ଶାସକ ବିଜେପି ବାଧ୍ୟ ହୋଇ ଧ୍ୱନି ମତରେ ବିଲକୁ ଗୃହୀତ କରାଇଥିଲା, ଯାହା ଆଇନତଃ ଉଚିତ ନ ଥିଲା । ସେହି ସମୟରେ ଉପସ୍ଥିତ ଥିବା ସମସ୍ତ ବିରୋଧୀ ସଦସ୍ୟ ବିଲ ଉପରେ ଭୋଟିଂ ପାଇଁ ଅନୁରୋଧ କରିଥିଲେ । ମାତ୍ରା ଗୃହ ପରିଚାଳନା କରୁଥିବା ଉପାଧ୍ୟକ୍ଷ ଶାସକ ଦଳର ହାତବାରିସି ସାଜି ତାହା କରେଇ ଦେଇ ନ ଥିବା ଶ୍ରୀକାନ୍ତ ଅଭିଯୋଗ କରିଛନ୍ତି ।

 

Leave a Reply