କିଏ ଆରମ୍ଭ କରିଥିଲେ ଢେଙ୍କାନାଳ ଲକ୍ଷ୍ମୀପୂଜା ?

1 min read

ନବବଧୂ ବେଶରେ ସଜେଇ ହୋଇଛି ଢେଙ୍କାନାଳ । ୩୮ ଟି ମଣ୍ଡପରେ ମାଆଙ୍କର ମୃଣ୍ମୟୀ ପ୍ରତିମା ଦର୍ଶନ ଦେଉଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କ ସମାଗମରେ ଚଳ ଚଞ୍ଚଳ ହୋଇ ଉଠିଛି ଢେଙ୍କାନାଳ ସହର । ଢେଙ୍କାନାଳର ଐତିହ୍ୟ ଓଡିଶା ଇତିହାସରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ପ୍ରତି ବର୍ଷ ନିଆରା ଢଙ୍ଗରେ ପାଳିତ ହେଉଛି ମାଆ ଧନଧାତ୍ରୀ ଲକ୍ଷ୍ମୀଙ୍କ ଗଣପର୍ବ । ଇତିହାସ ପୃଷ୍ଠାର ଅମର ଅକ୍ଷରେ ଲିପିବଦ୍ଧ ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ।

ଇତିହାସ କହେ, ୧୯୨୩ ମସିହାରେ ସମାଜସେବୀ ,ବାଗ୍ମୀ ,ବିଦ୍ୱାନ  ସ୍ବର୍ଗତ ଗତିକୃଷ୍ଣ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ଢେଙ୍କାନାଳ ମୀନା ବଜାରରେ ଆରମ୍ଭ ହୋଇଥିଲା ଗଜଲକ୍ଷ୍ମୀ ପୂଜା । ଯଦିଓ ୧୦ ବର୍ଷ ପରେ ଏହି ପୂଜା ପ୍ରଜା ଆନ୍ଦୋଳନ କାରଣରୁ  ବନ୍ଦ ହୋଇଗଲା ତଥାପି ୧୯୪୩ ମସିହାରେ ପୁନଶ୍ଚ ଉଦ୍ ଜୀବିତ ହୋଇଥିଲା । ଯାହା ଗୋଟିଏ ପୂଜା ପ୍ରତିଷ୍ଠାନରୁ ଆଜିର ୩୮ ଗୋଟି ପୂଜା ମଣ୍ଡପରେ ପହଁଛି ପାରିଛି ।

 

ଚଳିତ ବର୍ଷ ୧୧ଦିନ ବ୍ୟାପି ଏହି ମାଆଙ୍କର ପୂଜା ଅକ୍ଟୋବର ୧୩ ତାରିଖରୁ ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏବଂ ୨୪ ତାରିଖ ଦିନ ସ୍ୱତନ୍ତ୍ର ଭଷାଣି କାର୍ଯ୍ୟକ୍ରମରେ ମା’ଙ୍କୁ ବିଦାୟ ଦିଆଯିବ । ଏଥିରେ “ସରସ ମେଳା “ର ରସ ଲକ୍ଷ ଲକ୍ଷ ଲୋକଙ୍କ ମନକୁ ଛୁଇଁ ପାରିଛି । ଯାହା ରାଜ୍ୟ ଭିତରୁ ଓ ବାହାରୁ ୩୫୦ ଗୋଟି ଷ୍ଟଲ ମାଧ୍ୟମରେ ଲୋକଙ୍କ ମନକୁ ବିଭୋର କରି ପାରିଛି । ଗୁଡ଼ିଆନାଳୀ ସ୍ଥିତ ୧କୁଇଣ୍ଟାଲ ୨୦ କିଲୋଗ୍ରାମର ଚାନ୍ଦୀ ମେଢ଼ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରି ପାରିଛି । ମୋଟ ୩୮ ଗୋଟି ମେଢ଼ ମଧ୍ୟରୁ ୨୪ ଗୋଟି ମେଢ଼ରେ ସୁନା, ରୂପା ଅଳଙ୍କାରରେ ଝଲସୁଛନ୍ତି ମାଆ ଧନଧାତ୍ରୀ ।

ଲକ୍ଷ୍ମୀ ପୂଜାର ଭିଡ଼କୁ ଦେଖି ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ  ତତ୍ୱବାଧାନରେ ଏସପି ଅନୁପମା ଜେମ୍ସ  ସୁରକ୍ଷା ବ୍ୟବସ୍ଥାକୁ ବହୁ କଡା କଡ଼ି କରିଛନ୍ତି। ସମ୍ପୂର୍ଣ୍ଣ ସହରରେ ସିସିଟିଭି ବ୍ୟବସ୍ଥାକୁ କଡା କଡ଼ି କରାଯାଇଛି । ଲୋକଙ୍କ ଭିଡକୁ ଦେଖି ଅପରାହ୍ନ ୪ଟା ରୁ ରାତି ୧୨ଟା ପର୍ଯ୍ୟନ୍ତ ବଜାର ମଧ୍ୟରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ କଡାକଡ଼ି ଏବଂ ରାତି ୧୨ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ବନ୍ଦ । ପାର୍କିଂ ପାଇଁ ଇଡକୋ ଟାୱାର ନିକଟରେ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।

ଗଣପର୍ବ ଗଜଲକ୍ଷ୍ମୀ ପୂଜା ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନଙ୍କ ମନକୁ ବେଶ୍ ଛୁଇଁ ପାରିଛି । ଉଠା ଦୋକାନୀ ଠାରୁ ଆରମ୍ଭ କରି ମିଳିତ ପୂଜା କମିଟି ମେମ୍ବର ଏବଂ ପୋଲିସ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ଯୋଗଦାନରେ ସୁଚାରୁ ରୂପେ କାର୍ଯ୍ୟ ଚଳାଇଛନ୍ତି । ')}

Leave a Reply