ଶ୍ରୀମନ୍ଦିର ଟାରିପଟୁ ଉଚ୍ଛେଦ ପ୍ରସଙ୍ଗରେ ଆସିପାରେ ଗୁରୁତ୍ୱପୂର୍ଣ୍ଣ ରାୟ

1 min read

ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦ ମାମଲାରେ ରାଜ୍ୟ ସରକାର ସୁପ୍ରମିକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି । ପୁରୀ ଜିଲ୍ଲାପାଳଙ୍କ ଠାରୁ ସଂଗୃହୀତ ନଥିପତ୍ର ଓ ସୂଚନା ଆଧାରରେ ରାଜ୍ୟ ସରକାର ଷ୍ଟାଟସ୍ ରିପୋର୍ଟ ତଥ୍ୟ ଉପସ୍ଥାପନ କରିଛନ୍ତି । ଆଜି ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଏହି ରିପୋର୍ଟ ଉପରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିବେ ।

ମଠର ମହନ୍ତ, ଓ ପ୍ରଶାସକଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯାଇଥିବା ଷ୍ଟାଟସ୍ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ମଠଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରିବା, ଧାର୍ମିକ ଭାବନା ଅକ୍ଷୁର୍ଣ୍ଣ ରଖିବା, ଆଧ୍ୟତ୍ମିକତା, ଦେବାଦେବୀ, ଗାଦି, ମଠର ସମାଧିରେ ବାଧା ସୃଷ୍ଟି କରାଯିବ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି ।

ଏହାଛଡ଼ା ମଠ ଅଧୀନସ୍ଥ ବ୍ୟାବସାୟିକ ଉଦ୍ଦେଶ୍ୟରେ ନିର୍ମାଣ ଦୋକାନ ଓ ବ୍ୟାବସାୟିକ କୋଠା ଆଦି ପାଇଁ ମଠମାନଙ୍କ ସହମତିରେ ପୁନଃବାସ ଓ ଥଇଥାନ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯାଇ ଅଧିଗ୍ରହଣ ଜରିଆରେ ମୂଳ ମଠ ଏବଂ ଅନ୍ୟାନ୍ୟ ବିଲ୍ଡିଂର ଆଖପାଖରେ ଆବଣ୍ଟନ କରାଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।

ପ୍ରତ୍ୟେକ ମଠ ପାଇଁ ବିକଳ୍ପ ବ୍ୟବସ୍ଥା ହେବା ଯାଏଁ ରାଜ୍ୟ ସରକାରଙ୍କ ଦ୍ୱାରା କ୍ଷତିପୂରଣ/ଭଡ଼ାର ପରିମାଣ ମଠର ମହନ୍ତ ଓ ପ୍ରଶାସନର ଆପୋସ ବୁଝାମଣା ତଥା ପୁନଃବାସ ଥଇଥାନ ନିୟମ ଅନୁସାରେ ନିର୍ଦ୍ଧାରଣ କରାଯିବ । ଏହା ଦ୍ୱାରା ଶ୍ରୀଜଗନ୍ନାଥ ମନ୍ଦିର ଆଖପାଖ ଅଞ୍ଚଳରେ ଦମକଳ ଓ ଆମ୍ବୁଲାନ୍ସ ଯାତାୟତରେ ବାଧା ଉପୁଜିବ ନାହିଁ । ମନ୍ଦିର ଓ ଭକ୍ତମାନଙ୍କର ସୁରକ୍ଷା ସୁନିଶ୍ଚିତ କରାଯାଇ ପାରିବ ବୋଲି କୁହାଯାଇଛି ।

ଦେବାଦେବୀ, ପବିତ୍ରତମ ସ୍ଥଳ, ଗାଦି, ମଠର ସମାଧି, ମଠର ଅବଶେଷକୁ ବାଧା ଦିଆନଯାଇ ମୂଳ ସ୍ଥାନରେ ରହିବ । ସୌନ୍ଦର୍ଯ୍ୟକରଣ କରାଯିବ । ପ୍ରତ୍ୟେକ ସପିଂ ୟୁନିଟ୍ ବିକଶିତ ହେବାକୁ ଥିବା ମାର୍କେଟ୍ କମ୍ପ୍ଲେକ୍ସରେ ଦୋକାନ ଆବଣ୍ଟନ ପାଇଁ ଯୋଗ୍ୟ ହେବେ ବୋଲି ଷ୍ଟାଟସ୍ ରିପୋର୍ଟରେ କୁହାଯାଇଛି ।

ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ପରିଧିରେ ଥିବା ଐତିହ୍ୟ ସମ୍ପନ୍ନ ମଠ, ମନ୍ଦିର ଗୁଡ଼ିକର ଉଚ୍ଛେଦ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରି ସହମତି ଭିତ୍ତିରେ ଉଚ୍ଛେଦ ପାଇ ପରାମର୍ଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ସରକାର ଷ୍ଟାଟସ ରିପୋର୍ଟ ଦାଖଲ କରିଥିବା ବେଳେ ଆଜି ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଶୁଣାଣି କରିବେ । ')}

Leave a Reply