ଚୀନ୍ ପାଇଁ ଡେଲିଭରୀ ବୟମାନେ ଛାଡିଲେ ଚାକିରି, କହିଲେ ଭୋକରେ ରହିବୁ ପଛେ…

1 min read
delivery boys in Behala area of ​​West Bengal's Kolkata resign from Zomato

କୋଲକାତା: ଗତ କିଛି ମାସରୁ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ଲାଗିରହିଛି । ଜୁନ୍ ୧୫ ତାରିଖ ଦିନ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ ।  ସେଥିପାଇଁ ଲୋକେ ଚୀନ ବିରୋଧରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଲୋକେ କ୍ରୋଧିତ ହୋଇ ଚାଇନାର ଅନେକ ଜିନିଷକୁ ବୟକଟ୍ କରିଛନ୍ତି । କୋଲକାତାରେ ଜୋମାଟୋ କମ୍ପାନୀର ଡେଲିଭରୀ ବୟମାନେ ଚୀନ୍ କୁ ବିରୋଧ କରି ଇସ୍ତଫା ଦେଇଛନ୍ତି। କେବଳ ସେତିକି ନୁହେଁ, ଏହି କର୍ମଚାରୀମାନେ ଚାଇନାର ଆପ୍ କମ୍ପାନୀକୁ ବିରୋଧ କରୁଥିବାବେଳେ କମ୍ପାନୀର ଟି-ସାର୍ଟ ଚିରି ପୋଡି ଦେଇଥିଲେ।

ବେହାଲାରେ ପ୍ରଦର୍ଶନରେ ସାମିଲ ଥିବା କିଛି ଲୋକ ଦାବି କରିଛନ୍ତି ଯେ ସେମାନେ ଜୋମାଟୋ ଚାକିରି ଛାଡିଛନ୍ତି । ଏହା ବ୍ୟତୀତ ସେମାନେ ଲୋକଙ୍କୁ ଜୋମାଟୋ ମାଧ୍ୟମରେ ଖାଦ୍ୟ ଅର୍ଡର ନକରିବାକୁ ଅନୁରୋଧ କରିଥିଲେ । ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ଚାଇନାର କମ୍ପାନୀ ଅଲିବାବା ସହିତ ଜଡିତ ଆଣ୍ଟ ଫାଇନାନ୍ସିଆଲ୍ ଜୋମାଟୋର ୧୪.୭ ପ୍ରତିଶତ ଅଂଶଧନ (ସେୟାର) କିଣିଛି । ଜୋମାଟୋ ନିକଟରେ ଆଣ୍ଟ ଫାଇନାନ୍ସରୁ ୧୫ କୋଟି ଡଲାର୍ ସଂଗ୍ରହ କରିଥିଲେ ।

ପ୍ରଦର୍ଶନରେ ସମ୍ବନ୍ଧୀୟ ଜଣେ ବ୍ୟକ୍ତି କହିଛନ୍ତି, ଚୀନର କମ୍ପାନୀମାନେ ଏଠାରୁ ଲାଭବାନ ହେଉଛନ୍ତି ଏବଂ ଆମର ସୈନିକମାନଙ୍କ ଉପରେ ଆକ୍ରମଣ କରୁଛନ୍ତି। ସୋମାନେ ଭାରତରୁ ଲାଭ ହାସଲ କରି ସେପଟେ ଆକ୍ରମଣ କରୁଛନ୍ତି । ରିପୋର୍ଟ ଅନୁସାରେ ମେ ମାସରେ ଜୋମାଟୋ ଏହାର ୧୩ ପ୍ରତିଶତ କର୍ମଚାରୀ, ୫୨୦ ଲୋକଙ୍କୁ କୋଭିଡ ମହାମାରୀକୁ ଦର୍ଶାଇ ଚାକିରିରୁ ବରଖାସ୍ତ କରିଥିଲା । ଏ ବାବଦରେ ଜୋମାଟୋଙ୍କ କୌଣସି ପ୍ରତିକ୍ରିୟା ଦେଇନାହିଁ।

Leave a Reply