ମାତ୍ର ଟଙ୍କାଟେରେ ମିଳୁଛି ପେଟପୁରା ଆହାର, ଦିନକୁ ଏକ ହଜାରରୁ ଅଧିକ ଗ୍ରାହକ

1 min read

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶରେ ଅନେକ ଲୋକେ କେତେ ଯେ ରାତି ଖାଲି ପେଟରେ ଶୋଇଛନ୍ତି ତାହା କଳ୍ପନା କରିହେବ ନାହିଁ । କାମ ଓ ଟଙ୍କା ଅଭାବ ଯୋଗୁଁ ଅନେକ ହନ୍ତସନ୍ତ ହୋଇଛନ୍ତି । କେତେକ ପରିବାର ଅନେକ ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇଛନ୍ତି । ତେବେ ଏହି ସବୁ ସମସ୍ୟାର ସମାଧାନ ପାଇଁ ଆରମ୍ଭ ହୋଇଛି ଏକ ନୂଆ ଅଭିଯାନ । ଏକ ଟଙ୍କାରେ ମିଳୁଛି ପେଟ ପୁରା ଖାଇବା । ବିଶ୍ୱାସ ନହେଲେ ବି ଏହା ସତ । ଯେମିତି ଆଉ କେହି ଭୋକିଲା ପେଟରେ ଶୋଇବେ ନାହିଁ । ସେଥିପାଇଁ ଆୟୋଜକ ପ୍ରବୀଣ ଗୋଏଲ ଆରମ୍ଭ କରିଛନ୍ତି “ଶ୍ୟାମ ରୋଷେଇ” । ତାଙ୍କର ଅଭିଯାନକୁ ସଫଳ କରିବା ପାଇଁ ଅନେକ ଲୋକ ଦାନ ମଧ୍ୟ କରୁଛନ୍ତି ।

ଦିନକୁ ଏକ ହଜାରରୁ ଅଧିକ ଲୋକ ସେଠାକୁ ଖାଇବାକୁ ଯାଉଛନ୍ତି । ଦିଲ୍ଲୀର ନାଙ୍ଗୋଲି ସ୍ଥିତ ଶ୍ୟାମ ରୋଷେଇରେ ଏଭଳି ଆୟୋଜନ କରାଯାଇଛି । “କେହି ଭୋକରେ ରହିବେନି” ଏହି ଳକ୍ଷ୍ୟ ନେଇ ଆୟୋଜକ ଏଭଳି କାର୍ଯ୍ୟକ୍ରମ କରୁଛନ୍ତି । ଗୋଟେ ମିଲ୍ ରେ ଭାତ, ଡାଲି, ତରକାରି, ପଲଉ ସବୁ କିଛି ଖାଇବାକୁ ମିଳୁଛି । ଖାଦ୍ୟର ସ୍ୱାଦ ମଧ୍ୟ କିଛି କମ୍ ନୁହେଁ । କେବଳ ମଧ୍ୟାନ ଭୋଜନ ନୁହେଁ ଏହା ବ୍ୟତୀତ ସକାଳ ଚା’ ମଧ୍ୟ ସେଠାରେ ପିଇବାକୁ ମିଳେ । ଏତେ ସବୁ ଖାଇବା ଆଇଟମ ପାଇଁ ଦେବାକୁ ପଡୁଛି ମାତ୍ର ଟଙ୍କାଏ । ଟଙ୍କାଏ ବି ପାଖରେ ନଥିଲେ ଏଠି ଖାଇବାକୁ ମିଳୁଛି । ଏତେ ଶସ୍ତାରେ ଏପରି ସ୍ୱାଦିଷ୍ଟ ଖାଦ୍ୟ ମିଳୁଛି । ସେଠାକୁ ଖାଇବାକୁ ଯାଉଥିବା ଲୋକେ ବି ଖାଇବା ଖାଇ ବେଶ ଖୁସି ଅଛନ୍ତି ।

ପୂର୍ବରୁ ୧୦ଟଙ୍କାରେ ପେଟପୁରା ଖାଇବା ମିଳୁଥିଲା । ଏବେ ଦାନ ଟଙ୍କା ବଢିଥିବାରୁ ଖାଇବା ମୁଲ୍ୟ ଏକ ଟଙ୍କାକୁ ହ୍ରାସ କରାଯାଇଛି ବୋଲି ଆୟୋଜକ କହିଛନ୍ତି । ଆଗକୁ ସାରା ଦେଶରେ ଏହି ରୋଷେଇ ଖୋଲିବା ପାଇଁ ଆୟୋଜକ ଲକ୍ଷ୍ୟ ରଖିଛନ୍ତି । ଏହି ବିଶେଷ କାର୍ଯ୍ୟକ୍ରମ ସହ ଯେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେମାନେ ମଧ୍ୟ ନିଜକୁ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ।

Leave a Reply