ରାମଲୀଳା ମୈଦାନରେ ଚାଷୀଙ୍କ ବିକ୍ଷୋଭ ପ୍ରସଙ୍ଗ, ନିଷ୍ପତ୍ତି ନେବ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଚାଷୀଙ୍କୁ ରୋକିବାକୁ ଆରମ୍ଭ ହୋଇଛି ଉଦ୍ୟମ । ପ୍ରସ୍ତାବିତ ଟ୍ରାକ୍ଟର ରାଲି ପାଇଁ ନିର୍ଦ୍ଦେଶନାମା ଜାରି କରିବାକୁ ଦିଲ୍ଲୀ ପୋଲିସ ଦେଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣିରେ ସର୍ବୋଚ୍ଚ କୋର୍ଟ ପୋଲିସକୁ ଦେଇଛନ୍ତି ସ୍ୱତନ୍ତ୍ର କ୍ଷମତା । ଜାନୁଆରୀ ୨୬ରେ ଦିଲ୍ଲୀ ରାମଲୀଳା ମୈଦାନରେ ଚାଷୀମାନଙ୍କୁ ବିକ୍ଷୋଭ ପ୍ରଦର୍ଶନ ପାଇଁ ଅନୁମତି ଦିଆଯିବ କି ନାହିଁ ସେ ନେଇ ଦିଲ୍ଲୀ ପୋଲିସ ନିଷ୍ପତ୍ତି ନେବ । କେତେ ଚାଷୀ ଦିଲ୍ଲୀ ଭିତରକୁ ଆସିବେ, କେଉଁ ପରିସ୍ଥିତିରେ ଆସିବେ ସେ ନେଇ ନିଷ୍ପତ୍ତି ନେବ ଦିଲ୍ଲୀ ପୋଲିସ ।

ସେପଟେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ବୁଧବାର କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି । ତେବେ ରାମଲୀଳା ମୈଦାନ ବଦଳରେ ଅନ୍ୟତ୍ର ପରେଡ୍ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଚାଷୀ । ନୂଆ କୃଷି ଆଇନ୍ ବିରୋଧରେ ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ଆଜି ମହିଳା କୃଷକ ଦିବସ ପାଳନ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ହଜାର ହଜାର ମହିଳା । କେନ୍ଦ୍ର ସରକାର ନୂଆ କୃଷି ଆଇନ୍ ପ୍ରତ୍ୟାହାର କରିବା ସହ ଚାଷୀଙ୍କ ଦାବି ମାନିନେବା ପାଇଁ କହିଥିଲେ ଆନ୍ଦୋଳନକାରୀ ମହିଳା ।

ସରକାର ପୁଣି ଥରେ ନିଜର ଦାବି ଦୋହରାଇବା ସହ ଚାଷୀମାନେ ଆନ୍ଦୋଳନ ଛାଡି ଆଲୋଚନା କରିବା ପାଇଁ ଆସନ୍ତୁ ବୋଲି କୃଷି ମନ୍ତ୍ରୀ କହିଛନ୍ତି । ସେପଟେ ବିବାଦୀୟ ନୂଆ କୃଷି ଆଇନ ନେଇ ଆସନ୍ତାକାଲି ପୁଣି ଚାଷୀ ଓ ସରକାରଙ୍କ ମଧ୍ୟରେ ବୈଠକ ବସିବ । ଆଇନ ପ୍ରତ୍ୟାହାର ଜିଦରେ ଚାଷୀ ସଂଗଠନ ଅଟଳ ଥିବା ବେଳେ ସରକାର ବି ପଛକୁ ହଟିବାକୁ ନାରାଜ । ପୂର୍ବରୁ ୯ଥର ଉଭୟ ପକ୍ଷ ମଧ୍ୟରେ ବୈଠକ ବସିଥିଲେ ବି ସମାଧାନର ବାଟ ବାହାରିପାରିନି ।

Leave a Reply