ଚିନ୍ତା ବଢାଉଛି ନଭେମ୍ବର: ଆକ୍ସନ ମୋଡରେ କେଜ୍ରିୱାଲ ସରକାର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଲବଲ କରୁଛି କରୋନା । ଚିନ୍ତା ବଢାଇଛି ନଭେମ୍ବର ମାସ । ଗତ ୨୪ ଘଣ୍ଟା ମଧ୍ୟରେ ୯୮ ଜଣଙ୍କ ଜୀବନ ନେଇଛି କରୋନା । ଏଥିସହ ଦିଲ୍ଲୀରେ ମୃତ୍ୟୁସଂଖ୍ୟା ୮ହଜାର ପାର ହୋଇଛି । ସେହିପରି ଦିନକରେ ୭ହଜାର ୫୪୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପରିସ୍ଥିତିର ମୁକାବିଲା ପାଇଁ ଆକସନ୍ ମୋଡକୁ ଆସିଛନ୍ତି ଆପ୍ ସରକାର । ଆଗାମୀ ଦିନରେ ହଟସ୍ପଟ ଅଞ୍ଚଳରେ ବଜାର ବନ୍ଦ କରିବା ଉପରେ ବିଚାର କରାଯିବା ସହ ପର୍ବପର୍ବଣୀ ଉପରେ ରୋକ ଲଗାଇବା ପାଇଁ ଅଣ୍ଟା ଭିଡିଛନ୍ତି କେଜ୍ରିୱାଲ ।

ସର୍ବସାଧାରଣଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହୋଇଥିବା ବେଳେ ଯିଏ ବ୍ୟବହାର ନ କରିବ ତାକୁ ଦୁଇ ହଜାର ଟଙ୍କାର ଫାଇନ୍ ଦେବାକୁ ପଡିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଏଥିସହ ସାମାଜିକ ଦୂରତା ଉପରେ ଧ୍ୟାନ ଦେବାକୁ ଦିଲ୍ଲୀବାସୀଙ୍କୁ ଅପିଲ କରିଛନ୍ତି । ମହାମାରୀର ମୁକାବିଲା ପାଇଁ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନ ସହ ନୋଏଡାରେ ସତର୍କତା ଅବଲମ୍ବନ କରାଯାଉଛି ।

ଦିଲ୍ଲୀ ଓ ନୋଏଡା ସୀମାରେ ଏକ ସ୍ବତନ୍ତ୍ର ଟିମ୍ ସାହାଯ୍ୟରେ କରୋନା ଟେଷ୍ଟ କରାଯାଉଛି। କୋଭିଡ୍ ନିୟନ୍ତ୍ରଣ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ୧୦ଟି ଟିମ୍ ଗଠନ କରାଯାଇଛି । ଟେଷ୍ଟିଂ କ୍ଷମତା ସହ ବିଭିନ୍ନ ହସପିଟାଲରେ ଚିକିତ୍ସା ସୁବିଧା ନେଇ ଟିମ୍ ତଦାରଖ କରିବ। ଏଥିସହ ଯେଉଁ ଅଞ୍ଚଳରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଉଛି।

Leave a Reply