ୱେବ ସାଇଟ୍ ବିରୋଧରେ କାହିଁକି ମାନହାନୀ ମକଦ୍ଦମା କଲେ ପ୍ରକୃତି? ଜାଣନ୍ତୁ…

ଭୁବନେଶ୍ୱର: ମାନହାନୀ ମକଦ୍ଦମା ରୁଜୁ କଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ଏକ ୱେବ ପୋର୍ଟାଲ ନାଁରେ ଥାନାରେ ଫେରାଦ ହୋଇଛନ୍ତି ପ୍ରକୃତି । ତାଙ୍କ ଚରିତ୍ରକୁ କଦର୍ଯ୍ୟ କରି ଦର୍ଶାଇବା ସହ ଆପତ୍ତିଜନକ ମନ୍ତବ୍ୟ ନେଇ ଅଭିଯୋଗ କରିଛନ୍ତି । ସେହିପରି ତାଙ୍କ ପରିବାର ଲୋକଙ୍କ ବିରୋଧରେ ବି ଆପତ୍ତିଜନକ ମନ୍ତବ୍ୟ ନେଇ ସେ ଅଭିଯୋଗ କରିଛନ୍ତି । ଏନେଇ ସେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ମାନହାନୀ ମାମଲା ରୁଜୁ କରିଛନ୍ତି । ଏପରି ପ୍ରତିକୂଳ ମନ୍ତବ୍ୟ ତାଙ୍କ କ୍ୟାରିୟରକୁ ପ୍ରଭାବିତ କରିବ ବୋଲି ସେ ଅଭିଯୋଗ କରିଛନ୍ତି ।

ୱେବ ପେଜରେ ଏଭଳି ବିଭ୍ରାନ୍ତିକର ଖବରକୁ ନେଇ ସେ ଓ ତାଙ୍କ ପରିବାର ଲୋକଙ୍କ ପାଖକୁ ବାରମ୍ବାର କଲ୍ ଆସୁଛି । ଏହାକୁ ନେଇ ସେ ବିଚଳିତ ଓ ମାନସିକ ଚାପଗ୍ରସ୍ତ ହେଉଛନ୍ତି । କୌଣସି ଏକ ବ୍ରାଣ୍ଡକୁ ପ୍ରମୋସନ କରିବା ତାଙ୍କ ପେଶାଗତ କାର୍ଯ୍ୟ । ଏହାକୁ କିନ୍ତୁ ସଂପୃକ୍ତ ନ୍ୟୁଜ ପୋର୍ଟାଲ ବିବାଦୀୟ ଢଙ୍ଗରେ ଉପସ୍ଥାପନ କରିଥିବା ପ୍ରକୃତି ଏଫଆଇଆରରେ ଦର୍ଶାଇଛନ୍ତି । ଏଥିପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।

ଅନ୍ୟପଟେ ଏନେଇ ପ୍ରକୃତି ପ୍ରତିକ୍ରିୟା ରଖିଛନ୍ତି

ସେ କହିଛନ୍ତି ଯେ, ସେ କିଛିଦିନ ତଳେ ଗୋଟିଏ ବ୍ରାଣ୍ଡ ପାଇଁ ପ୍ରମୋଶନ କରିଥିଲେ । କେବଳ ସେ ନୁହଁନ୍ତି କେତେକ ବଲିଉଡ଼ ଏବଂ ଓଲିଉଡ଼ କଳାକାର ମଧ୍ୟ ଏମିତି ବିଜ୍ଞାପନ କରିଛନ୍ତି । ସେମାନେ ସବୁ ଗାଇଡଲାଇନକୁ ମାନି ସୋସିଆଲ ମିଡ଼ିଆ କ୍ୟାମ୍ପେନିଂ ମଧ୍ୟ କରିଥିଲେ କିନ୍ତୁ କେତେକ ୱେବ ସାଇଟ୍ ତାହାକୁ ବହୁ କଦର୍ଯ୍ୟ ଭାବରେ ଉପସ୍ଥାପନା କରିଛନ୍ତି । କେବଳ ତାଙ୍କୁ ନୁହେଁ ତାଙ୍କ ପରିବାରକୁ ନେଇ ମଧ୍ୟ ଆପତ୍ତିଜନକ କଥା ଲେଖାଯାଇଥିଲା ଯାହାକୁ ନେଇ ସେ ଗତ ସପ୍ତାହେ ହେବ ମାନସିକଚାପରେ ଅଛନ୍ତି ।

ତେବେ ବିଜ୍ଞାପନରେ ଅଭିନୟ କରିବା କି ପ୍ରମୋସନ କରିବା ସେଇଟା ତାଙ୍କ ବୃତ୍ତି ତେଣୁ ଏଥିରେ କିଛି ବି ଭୁଲ ନାହିଁ । କିନ୍ତୁ କେତକ ୱେବ ପୋର୍ଟାଲ ପାଇଁ ସେ ବଦନାମ ହେଉଛନ୍ତି । ତାଙ୍କ ବାପା ମାଆଙ୍କୁ ଏସବୁ କୁ ନେଇ ଗତ ସପ୍ତାହେ ହେବ କଲ୍ ଆସୁଛି । ଏଥିପାଇଁ ତାଙ୍କ ସହ ତାଙ୍କ ପରିବାର ମଧ୍ୟ ବହୁ ହଇରାଣ ହେଉଛନ୍ତି । ସାମାନ୍ୟ ବିଜ୍ଞାପନକୁ ନେଇ ତାଙ୍କୁ ଏବଂ ତାଙ୍କ ପରିବାରକୁ ମାନସିକ ନିର୍ଯାତନା ଦେବା ସମ୍ପୂର୍ଣ୍ଣ ଭୁଲ୍ ।

ଆପଣଙ୍କୁ କହି ରଖୁଛୁ ଯେ, ସମ୍ପୃକ୍ତ ୱେବ୍ ପୋର୍ଟାଲ ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । କେଉଁ କାରଣରୁ ୱେବ ପୋର୍ଟାଲରେ ଏମିତି ଲେଖାଗଲା ଆଉ ସେହି ୱେବ ପୋର୍ଟାଲ କାହାର ଏବଂ ତାହାକୁ କିଏ ଚଳାଉଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ଯଦିଓ ଅଭିନେତ୍ରୀ ସେନେଇ ଥାନାରେ  ଫେରାଦ ହୋଇଛନ୍ତି ।

Leave a Reply