କରୋନା ଆତଙ୍କ : କାନ୍ଧ ଦେଲେନି କୁଟୁମ୍ୱ, ଟ୍ରଲିରେ ବୁହା ହେଲା ଶବ

କୋଣାର୍କ: ମୃତ୍ୟ ପରେ କାନ୍ଧ ମିଳିଲାନି । ଶବ ନେଇ ଶ୍ମଶାନ ଯାଏଁ ଯିବା ପାଇଁ କେହି ରାଜି ହେଲେ ନାହିଁ । ଆତ୍ମୀୟମାନେ କରୋନା ଭୟରେ ପାଖ ମାଡ଼ିବାକୁ ପ୍ରସ୍ତୁତ ନଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋଣାର୍କ ବିଜ୍ଞାପିତ ପରିଷଦ ଅଞ୍ଚଳରେ । ସୂଚନା ମୁତାବକ, ଆଜି ସକାଳ ସନାତନ ରାଉତଙ୍କ ପୁତ୍ର ସାଧୁଆଙ୍କର ମୃତ୍ୟୁ ଘଟିଛି । ଦେହ ଖରାପ ଥିବାରୁ ତାଙ୍କୁ ପୂର୍ବରୁ ଗୋପ ସ୍ୱାସ୍ଥ୍ୟ କେନ୍ଦ୍ରଙ୍କୁ ନିଆଯାଇଥିଲା । ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ନଆସିବାରୁ ତାଙ୍କୁ ପରିବାର ଲୋକ ପୁରୀ ନେଇଥିଲେ । ତେବେ ପୁରୀ ଓପିଡି ବନ୍ଦ ଥିବା ହେତୁ ପରିବାର ଲୋକେ ସାଧୁଆଙ୍କୁ ଭୁବନେଶ୍ୱର ନେବା ପାଇଁ ନିଷ୍ପତ୍ତି ନେଇଥିଲେ । ଆଜି ତାଙ୍କୁ ଭୁବନେଶ୍ୱର ନେଇକରି ପରିବାର ଲୋକ ଆସିଥାନ୍ତେ । କିନ୍ତୁ ତା’ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ସାଧୁଆଙ୍କୁ ଡାକ୍ତର ଉଭୟ ଟାଇଫଏଡ ଓ କରୋନା ପରୀକ୍ଷା କରିବା ପାଇଁ କହିଥିଲେ ।

ତେବେ ମୃତ୍ୟୁ ପରେ କରୋନାକୁ ନେଇ ଲୋକଙ୍କ ମନରେ କେତେ ଭୟ ଅଛି ତାହା ଦେଖିବାକୁ ମିଳିଥିଲା । କୁଟୁମ୍ବ ଲୋକ ସାଧୁଆ ଓ ତାଙ୍କ ପରିବାରକୁ ଶବଦାହରେ ସହଯୋଗ କରିନଥିଲେ । କରୋନା ସଂକ୍ରମଣ ଭୟରେ ସେମାନେ ଏପରି କରିଥିବା କୁହାଯାଉଛି ।  କରୋନା ସଂକ୍ରମଣର ଆଶଙ୍କା କରି କୁଟୁମ୍ୱ ଘର ଲୋକେ ଶବକୁ କାନ୍ଧ ଦେବାକୁ ମନା କରିବା ପରେ ବାଧ୍ୟ ହୋଇ ପରିବାର ଏକାକୀ ଶବଦାହ କରିବା ପାଇଁ ନିଷ୍ପତ୍ତି ନେଲା । ତେବେ ଶବକୁ ଆଉ କାନ୍ଧ ମିଳିନାହିଁ । ଚାରି କାନ୍ଧରେ ଶ୍ମଶାନ ଯିବା ସମ୍ଭବ ନହେବାରୁ ଘର ଲୋକେ ଟ୍ରଲି ଯୋଗାଡ କରିଥିଲା ।  ଉଲ୍ଲେଖଯୋଗ୍ୟ ଯେ କୋଣାର୍କ ପୌର ପରିଷଦ ପରିବାର ପାଇଁ ପିପିଇ କିଟ୍ ଯୋଗାଡ଼ କରିଥିଲା । ପିପିଇ କିଟ୍ ପିନ୍ଧି  ମୃତକଙ୍କର ଭିଣୋଇ,ପିଇସା,ମଉସା ଓ ଜଣେ ସମ୍ପର୍କୀୟ ଭାଇ ଗାଁ ମଶାଣିରେ ଶବ ସତ୍କାର କରିଥିଲେ ।

 

Leave a Reply