ଜଣେ ମାଫିଆ ଯିଏ  ମୃତ୍ୟୁକୁ ଚକମା ଦେବାରେ ମାହିର,ଯାହାର ସେବା କରିଥାନ୍ତି ପାକ୍ ସେନା ଅଧିକାରୀ

1 min read

ଦାଉଦ୍ ଇବ୍ରାହିମ୍ । ନାଁ ନିଶ୍ଚୟ ଶୁଣିଥିବେ । ଭାରତୀୟ ଅପରାଧ ଦୁନିଆର ସବୁଠୁ ବଡ ନାଁ,ସବୁଠାରୁ କୁଖ୍ୟାତ ଚେହେରା । ସେଇ ଦାଉଦ୍ ଯାହାକୁ ଭାରତୀୟ ସୁରକ୍ଷା ଏଜେନ୍ସୀ ଗଲା ୨୮ ବର୍ଷ ହେଲା ଖୋଜୁଛନ୍ତି । କିନ୍ତୁ ସେ ସିବିଆଇଠାରୁ ର’ ସମସ୍ତଙ୍କ ହାତ ପାହନ୍ତାରୁ ଦୂରରେ । ସଂଗଠିତ ଅପରାଧ ଦୁନିଆରୁ ଜିହାଦ । ଦାଉଦ ତା’ର ଅପରାଧ ଜୀବନରେ ଟ୍ରାକ୍ ବଦଳାଇଛି । ଆଇନ ସହ ଲୁଚକାଳି ଖେଳି ଆସୁଥିବା ଏହି କୁଖ୍ୟାତ ଡନର ମୃତ୍ୟୁ ଖବରକୁ ନେଇ ଏବେ ସୋସିଆଲ ମିଡିଆରେ ହଇଚଇ । ଦାଉଦ ମରିଗଲା,ଏଇ ଖବର ଆଗରୁ ବି ଅନେକ ଥର ଆସିଛି କିନ୍ତୁ ପରେ ସବୁ ଖବରକୁ ମିଛ ବୋଲି ପ୍ରମାଣିତ କରି ଦାଉଦ୍ ଫେରିଛି । ଦାଉଦ୍ ସତରେ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛି କି ନାହିଁ ତାହା ଆଉ କିଛି ଦିନ ପରେ ଜଣା ପଡିଯିବ । ତେବେ ଆସନ୍ତୁ ଜାଣିବା ଏସିଆର ସବୁଠୁ ବଡ ଡ୍ରଗ୍ସ ମାଫିଆ,ଆଇଏସଆଇର ଗେହ୍ଲାପୁଅ ଦାଉଦ୍ କେମିତି ଦାଉଦ୍ ବନିଲା ଓ ତିଆରି କଲା ପୃଥିବୀର ସବୁଠୁ ବଡ କ୍ରାଇମ୍ ସିଣ୍ଡିକେଟ୍-ଡି କଂପାନୀ । ତେବେ ତା’ ଆଗରୁ..କେତେଥରେ ଏମିତି ମିଛ ମୃତ୍ୟୁରୁ ସତ ସତିକା ଜୀବିତ ହୋଇ ଫେରିଛି ବିଗ୍ ବସ,ଆସନ୍ତୁ ଜାଣିବା

ଆଗରୁ ବହୁତ ଥର ମରିକି ଫେରିଛି ଦାଉଦ୍

ଦାଉଦ୍ ଇବ୍ରାହିମ ମରିଗଲା । ୨୦୧୦ରେ ଭାରତୀୟ ନ୍ୟୁଜ୍ ଚ୍ୟାନେଲ ଗୁଡିକ ହଠାତ ଏମିତି ବ୍ରେକିଂ ମାଡ ଆରମ୍ଭ କଲେ । ଦାଉଦକୁ କରାଚୀ ମାଫିଆ ବିଚ୍ ରାସ୍ତାରେ ଗୁଳି ମାରି ହତ୍ୟା କରିଛି ବୋଲି ଗୁପ୍ତ ସୂତ୍ର ଉଦ୍ଧାର କରି ଚ୍ୟାନେଲ ଦାବି କଲେ । କୁହାଗଲାଯେ, କରାଚୀରେ ଆଗରୁ ସକ୍ରିୟ ଥିବା ସ୍ଥାନୀୟ ମାଫିଆ ଦାଉଦକୁ ନେଇ ଅସନ୍ତୁଷ୍ଠ ଥିଲା । ଆଇଏସଆଇ ଓ ପାକ୍ ସେନା ସମର୍ଥନରେ ଦାଉଦ୍ ସେମାନଙ୍କ ଧନ୍ଦା ମାନ୍ଦା କରୁଛି,ଏହା ଥିଲା ସେମାନଙ୍କ ରାଗିବା ପଛର କାରଣ । ତେଣୁ ଦାଉଦକୁ ସେମାନେ ହତ୍ୟା କରିଛନ୍ତି  ବୋଲି ଖବର ଆସିଥିଲା ।

କେବେ ଏଡସ ପାଇଁ ତ’ କେବେ ଡାଇବେଟିସ

କେବଳ ଏତିକି ନୁହେଁ ୨୦୧୬ରେ  ଦାଉଦ ଘରେ ୱାକ୍ କରୁଥିବା ବେଳେ ତଳେ ପଡିଯିବାରୁ ଗୋଡେର ଆଘାତ ଲାଗିଥିଲା । ଡାଇବେଟିସ କାରଣରୁ ଘା’ ଶୁଖି ନଥିଲା ଓ  ଗ୍ୟାଙ୍ଗରିନ୍ କାରଣରୁ ପରେ ଗୋଡ କଟାଯାଇଥିଲା କିନ୍ତୁ ଦାଉଦ୍ ଆଉ ବିଛଣାରୁ ଉଠି ନପାରି ପ୍ରାଣ ହରାଇଥିଲା ବୋଲି ସେତେବେଳେ ଖବର ଉଡିଥିଲା । ଏହା ପରେ ଆଉଥରେ ଦାଉଦ୍ ମରିଥିଲା । ଏଥରକ ଦାଉଦ୍ ଏଡସରେ ପୀଡିତ ହୋଇ ପ୍ରାଣ ହରାଇଛି ବୋଲି କୁହାଯାଇଥିଲା ।

ହାର୍ଟ ଆଟାକରେ ବି ଥରେ ମରିଥିଲା ଦାଉଦ୍ !

ଏପ୍ରିଲ ୨୦୧୭ରେ ପାକ୍ ମିଡିଆ ଦାଉଦ ମୃତ୍ୟୁ ଖବର ଦେଇଥିଲା । ପାକିସ୍ତାନୀ ମିଡିଆ କହିଥିଲା ଯେ,ଦାଉଦ୍ ହୃଦଘାତରେ ପ୍ରାଣ ହରାଇଛି । ସେତେବେଳେ କୁହାଯାଇଥିଲା ଯେ, ଦାଉଦକୁ କରାଚୀର ଆଗା ଖାନ୍ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ସେଠାରେ ସେ ପ୍ରାଣ ହରାଇଥିଲା । ତେବେ ପରେ ସେହି ଖବର ମିଛ ଥିଲା ବୋଲି ଜଣା ପଡିଥିଲା ।

ଦାଉଦର ମୃତ୍ୟୁକୁ ନେଇ ଆଉ ଗୋଟିଏ ଖବର ମଧ୍ୟ କିଛି ବର୍ଷ ତଳେ ଆସିଥିଲା । କରାଚୀରେ ୨୪ ଘଣ୍ଟା ପାକ୍ ସେନା ସୁରକ୍ଷା ଘେର ମଧ୍ୟରେ ରହୁଥିବା ଦାଉଦର ଘର ଉପରେ ବେଲୁଚ୍ ଜାତିୟତାବାଦୀ ଆକ୍ରମଣ କରି ତାକୁ ହତ୍ୟା କରିଥିଲେ ବୋଲି ସେତେବେଳେ କୁହାଯାଇଥିଲା  । କିନ୍ତୁ ପରେ ତାହା ମିଛ ବୋଲି ଜଣା ପଡିଥିଲା । ସେହିଭଳି ଦାଉଦର ସାନ ଭାଇ ଅନିସ୍ ଇବ୍ରାହିମ ଓ ମୁଖ୍ୟ ସେନପତି ଛୋଟା ସକିଲ ମଧ୍ୟରେ ସଂଘର୍ଷରେ ଦାଉଦ୍ ବଳି ପଡିଥିବା ଖବର ମଧ୍ୟ ମଝିରେ ଆସିଥିଲା । ଏମିତି ମଧ୍ୟ ଖବର ଆସିଥିଲା ଯେ, ଦାଉଦ ରୋଗରେ ପଡି ମରିଯାଇଛି । ତେଣୁ କିଛି ଦିନ ତଳେ ଯଦି ଦାଉଦ୍ ରିଟର୍ଣ୍ଣ ମାରେ ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ଭାରତର ପବ୍ଲିକ୍ ଏନିମି ନମ୍ବର ୱାନ,ଆମେରିକାର ଗ୍ଲୋବାଲ ଜିହାଦୀ

ଦାଉଦ ଇବ୍ରାହିମ୍ କିଏ ? ପାବ୍ଲୋ ଏସ୍କୋବାର ପରେ ଦାଉଦ୍ ହେଉଛି ବିଶ୍ୱର ସବୁଠୁ ବଡ ଡ୍ରଗ୍ ମାଫିଆ ବୋଲି କୁହଯାଏ । ଭାରତ ନଜରରେ ସେ ହେଉଛି ଜଣେ ଆତଙ୍କବାଦୀ । ଯିଏ ୧୯୯୩ର ବମ୍ବେ ବ୍ଲାଷ୍ଟ ଫଛରେ ଥିଲା । ୧୯୯୩ର ସେହି ସିରିଜ୍ ବିସ୍ଫୋରଣରେ ୨୫୦ରୁ ଅଧିକ ପ୍ରାଣ ହରାଇଥିଲେ । ଭାରତ ପାଇଁ ଦାଉଦ୍ ଯଦି ପବ୍ଲିକ୍ ଏନିମି ନମ୍ବର ୱାନ୍ ତେବେ ଆମେରିକା ପାଇଁ ସିଏ ହେଉଛି ଗ୍ଲୋବାଲ ଜିହାଦୀ । ୨୦୦୩ ମସିହାରେ ଆମେରିକାର ଷ୍ଟେଟ୍ ଡିପାର୍ଟମେଣ୍ଟ୍ ଦାଉଦକୁ ଗ୍ଲୋବାଲ ଜିହାଦୀ ଭାବେ ଘୋଷଣା କରିଥିଲା । ଏମିତି କରି ଆମେରିକାରେ ଥିବା ଦାଉଦର ସମ୍ପତିକୁ ବ୍ୟଜାପ୍ତି କରିବା ଥିଲା ଆମେରିକାର ଲକ୍ଷ୍ୟ । ୟୁରୋପ ଓ ଆମେରିକାକୁ ଯାଉଥିବା ଡ୍ରାଗ୍ସର ବଡ ଭାଗର ସପ୍ଲାୟର ହେଉଛି ଦାଉଦ୍ ।

ଯାହାର ସେବାର ପାକ୍ ସେନା,ସିଏ ହେଉଛି ଦାଉଦ୍

ଏ ପୋଟ୍ରେଟ୍ ଅଫ୍ ଡନ୍ । ଇଏ ହେଉଛି ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ ଦ୍ୱାରା ଦାଉଦ୍ ଉପରେ ଲେଖାଯାଇଥିବା ଏକ ପୁସ୍ତକ । ଏଥିରେ କୁହାଯାଇଛି ଯେ, ଦାଉଦ୍ କରାଚୀର ଆର୍ମୀ ଏରିଆରେ ଥିବା ଏକ ବିଶାଳ ଦୁର୍ଗରେ ରୁହେ । ଯାହାର ସୁରକ୍ଷା ଦାୟିତ୍ୱରେ ଅଛି ପାକ୍ ସେନା । ଦାଉଦର ସେବା କରିବାକୁ ପାକ୍ ଆର୍ମି ଅଫିସର ନିଜ ଭାଗ୍ୟ ମନେ କରନ୍ତି । ସେମାନେ ଦାଉଦର ବ୍ୟକ୍ତିଗତ କାମ କରିବାରେ ଆଗ୍ରହ ରଖିଥାନ୍ତି କାରଣ ସେଥିପାଇଁ ଦାଉଦ ଭଲ ପେମେଣ୍ଟ୍ କରିଥାଏ ।

ଲାଇଫ୍ କିଙ୍ଗ୍ ସାଇଜ୍

ଦାଉଦ୍ ରାଜକୀୟ ଜୀବନ ବଂଚିବାକୁ ଭଲ ପାଏ । ତା’ର ଦିନ ଆରମ୍ଭ ହୁଏ ଦି’ପହର ଗୋଟାଏରେ । ନିଜ ଘର ଲନରେ ସେ ଆଗରୁ କ୍ରିକେଟ୍ ଖେଳୁଥିଲା । ସଂଧ୍ୟା ସମୟରେ ସେ ନିଜ ସୁରକ୍ଷାକର୍ମୀଙ୍କ ସହ କରାଚୀରେ ଥିବା ତାର ଅନେକ ସୁରକ୍ଷିତ ଆଡ୍ଡା ମଧ୍ୟରୁ ଗୋଟିକକୁ ଯାଇଥାଏ । ଯେଉଁଠି ନାଚଗୀତ ଓ ଜୁଆ ଖେଳର ଆସର ଜମେ । କୁହାଯାଏ ଯେ,କରାଚୀର ନାମିଦାମୀ କଲଗର୍ଲ ଏଠାକୁ ଆସିଥାନ୍ତି ।

ଅଲକାଏଦା ସହ ସମ୍ପର୍କ

ଦାଉଦ୍ ଇବ୍ରାହିମର ଅଲକାଏଦା ସହ ସମ୍ପର୍କ ରହିଛି । ତାଲିବାନ ମାଧ୍ୟମରେ ଦାଉଦ୍ ଅଲ କାଏଦା ଟପ୍ ଲିଡରସିପ୍ ସଂପର୍କରେ ଆସିଥିଲା । ୧୯୯୬ରେ ଦାଉଦ୍ ପ୍ରଥମ ଥର ପାଇଁ ଆଇଏସଆଇ ସୁରକ୍ଷାଘେରରେ ଆଫଗାନିସ୍ତାନ ଯାଇଥିଲା । ତା’ପରେ ସେ ତାଲିବାନ ସହ ନିୟମିତ ସଂପର୍କରେ ରହିଥିଲା । ଅଲ କାଏଦା ଆଫଗାନିସ୍ତାନ ଆସିବା ପରେ ଦାଉଦ୍ ସିଣ୍ଡିକେଟ୍ ସହ ଗ୍ଲୋବାଲ ଆତଙ୍କବାଦୀଙ୍କ ମେଣ୍ଟ୍ ହୋଇଥିଲା । ତାଞ୍ଜାନାଇଟ୍ ନାମକ ମୁଲ୍ୟବାନ ପଥର ସ୍ମଗ୍ଲିଂ ଜରିଆରେ ଅଲ କାଏଦା ନିଜ ଆତଙ୍କ ପ୍ରୋଜେକ୍ଟ ପାଇଁ ଫଣ୍ଡ୍ ଯୋଗାଡ କରିବାକୁ ଚାହୁଁଥିଲା । ତେଣୁ ସେମାନେ ଦାଉଦ୍ ଦୁଆରେ ପହଞ୍ଚିଥିଲେ । କାରଣ ଦାଉଦ ନେଟୱର୍କ ପୁରା ବିଶ୍ୱରେ ବିସ୍ତାରିତ ।

ଦାଉଦ୍, ବଲିଉଡ୍ ଓ ଡି-କମ୍ପାନୀ

ଦାଉଦର ପସନ୍ଦର ମଦ ହେଉଛି ଜନି ୱାକର ବ୍ଲାକ ଲେବଲ । ସେ ବ୍ଲାକ୍ ଲେବଲକୁ ଯେତିକି ଭଲ ପାଏ ବଲିଉଡ୍ ପ୍ରତି ମଧ୍ୟ ତା’ର ଦୁର୍ବଳତା ସେତିକି । ୧୯୯୦ ଦଶକ ଶେଷ ପର୍ଯ୍ୟନ୍ତ ଦାଉଦର ବଲିଉଡ୍ ଉପରେ ଏକାଧିପତ୍ୟ ଥିଲା । ଫିଲ୍ମ ଫାଇନାନ୍ସ ଜରିଆରେ ସେ ନିଜ କଳା ଟଙ୍କାକୁ ଧଳା କରୁଥିଲା । ଡି-କମ୍ପାନୀ ସେ ସମୟରେ କିଏ କେଉଁ ଫିଲ୍ମରେ ହିରୋ ହେବ,କିଏ ହିରୋଇନ୍ ହେବ ତାହା ନିର୍ଦ୍ଧାରଣ କରୁଥିଲା । ବିଗତ ଦିନର ନାୟୀକା ମନ୍ଦାକିନୀଙ୍କ ସହ ଦାଉଦର ସମ୍ପର୍କ ଥିଲା ବୋଲି ମିଡିଆ ଦାବି କରେ । ଏହ ମଧ୍ୟ କୁହାଯାଏ ଯେ, ଦାଉଦ୍ ତାର ହାରମକୁ ବଲିଉଡ୍ ହିରୋଇନଙ୍କୁ ନିମନ୍ତ୍ରଣ କରିଥାଏ ।

ଦାଉଦର ଉତ୍ତରାଧିକାରୀ କିଏ ?

ଦାଉଦ୍ ବୁଢା ହୋଇ ଗଲାଣି । ୨୮ ବର୍ଷ ତଳେ ମୁମ୍ବାଇ ସିରିଜ୍ ବ୍ଲାଷ୍ଟ୍ ତାକୁ ମୁମ୍ବାଇଠାରୁ ଦୂର କରିଦେଇଥିଲା । କିନ୍ତୁ ତା’ର ମୁଖ୍ୟ ବ୍ୟବସାୟୀକ ଇଣ୍ଟ୍ରେଷ୍ଟ ହେଉଛି ମୁମ୍ବାଇ । ମୁମ୍ବାଇ ଅଣ୍ଡରୱାର୍ଲଡ ଉପରେ ୧୯୮୦ ଦଶକ ଆରମ୍ଭରୁ ଦାଉଦ୍ ରାଜ୍ କରି ଆସୁଛି । ଏହା ଭିତରେ ତାକୁ ପୁରୁଣା ସାଥୀ ଛୋଟା ରାଜନ ଓ ଡାଡି ଓରଫ ଅରୁଣ ଗୱାଲୀ ଚ୍ୟାଲେଞ୍ଜ କରିଛନ୍ତି । କିନ୍ତୁ ଦାଉଦକୁ କେହି ତା’ସ୍ଥାନରୁ ହଟାଇ ପାରିନାହାନ୍ତି । ଛୋଟା ରାଜନ ଜେଲରେ ,ଗୱାଲୀ ନିଷ୍କ୍ରିୟ କିନ୍ତୁ କରାଚୀରୁ ଦାଉଦ୍ ଏବେବି ରାଜ୍ କରୁଛି । ତେବେ ପ୍ରଶ୍ନ ହେଉଛି ଦାଉଦ୍ ପରେ ଡି-କମ୍ପାନୀର ମଙ୍ଗ କିଏ ଧରିବ ? ଦୁଇଟି ନାଁ । ଗୋଟିଏ ହେଉଛି ପୁରୁଣା ବିଶ୍ୱସ୍ତ,ମୁଖ୍ୟ ସେନାପତି ଛୋଟା ସକିଲ ଓ ଅନ୍ୟ ଜଣକ ହେଉଛି ସାନ ଭାଇ ଅନିସ ଇବ୍ରାହିମ୍ । ତେବେ ଦୁଇ ଜଣଙ୍କ ମଧ୍ୟରେ ଅହି ନକୁଳ ସମ୍ପର୍କ ଥିବା କୁହାଯାଉଛି । କେଇ ମାସ ତଳେ ଖବର ଆସିଥିଲା ଯେ, ଛୋଟା ସକିଲକୁ ଅନିସ ଆଦେଶରେ ହତ୍ୟା କରାଯାଇଛି । ଏମିତିରେ ଡି-କମ୍ପାନୀକୁ କିଏ ଟେକ୍ ଓଭର କରିବ ତାହା ଗୋଟିଏ ବଡ ପ୍ରଶ୍ନ । କିନ୍ତୁ ଯେଉଁ ପ୍ରଶ୍ନକୁ ନେଇ କୌଣସି ସନ୍ଦେହ ନାହିଁ ତାହା ହେଉଛି ଡି-କମ୍ପାନୀ ଦୁର୍ବଳ ହେବା ଭାରତ ପାଇଁ ଭଲ ଖବର ।

 

Leave a Reply