ବିଷାକ୍ତ ଚନ୍ଦନବୋଡାକୁ ଗିଳିଲା ନାଗ, ଉଦ୍ଧାର ହେବା ପରେ ମଧ୍ୟ ଥିଲା ଜୀବନ୍ତ !

ଭୋପାଳ: ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁଠାରେ ଏକ ନାଗ ସାପ ବିଷାକ୍ତ ଚନ୍ଦନବୋଡାକୁ ଗିଳି ଦେଇଥିଲା। ବେତୁଲ ଜିଲ୍ଲାର ସାରାଣି ଅଞ୍ଚଳରେ ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ନାଗ ସାପ ଓ ଚନ୍ଦନବୋଡାକୁ ଆଦିଲ ଖାନ ନାମକ ଜଣେ ସର୍ପ ଉଦ୍ଧାରକାରୀ ସେମାନଙ୍କୁ ଉଦ୍ଧାର କରିଥିଲେ । ତା’ପରେ ନାଗ ସାପ ଚନ୍ଦବୋଡାକୁ ଓଗାଳିଥିଲା। ତେବେ ଉଦ୍ଧାର ହେବା ପରେ ମଧ୍ୟ ବୋଡା ଜୀବନ୍ତ ଥିଲା ।

ସରାଣି ସହରର ସାପ ଧରୁଥିବା ଆଦିଲ ଖାନଙ୍କୁ  ଗୋଟିଏ ନାଗ ସାପ ଜନବସତି ଅଂଚଳରେ ଥିବା ସୂଚନା ମିଳିଥିଲା ।  ଯେତେବେଳେ ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ସେଠାର ଦୃଶ୍ୟ ଅଜବ ଥିଲା । ସେଠାରେ ପ୍ରାୟ ୫ ଫୁଟ ଲମ୍ବ ବିଶିଷ୍ଟ ଗୋଟିଏ ନାଗ ସାପ ଅଢେଇ ଫୁଟ ଚନ୍ଦନବୋଡାକୁ ଗିଳି ଦେଉଥିଲା । ଉଭୟ ନାଗ ଏବଂ ଚନ୍ଦନବୋଡା ଅତ୍ୟନ୍ତ ବିଷାକ୍ତ ସାପ । ଆଦିଲ ଲୋକମାନଙ୍କୁ ବୁଝାଇଥିଲେ ଯେ ଯେତେବେଳେ ନାଗ ସାପ ଚନ୍ଦନବୋଡାକୁ ପୂରା ଗିଳିଦେବ ତାପରେ , ସେମାନେ ତାଙ୍କୁ ଉଦ୍ଧାର କରିବେ ।

ପ୍ରାୟ ୪୫ ମିନିଟ ମଧ୍ୟରେ, ନାଗ ସାପ ଚନ୍ଦନବୋଡାକୁ ସଂପୂର୍ଣ୍ଣ ଗିଳି ଦେଇଥିଲା । ଏହା ପରେ ଆଦିଲ ନାଗ ସାପକୁ ଉଦ୍ଧାର କରିଥିଲେ। ଉଦ୍ଧାର କରିବା ପରେ ନାଗ ସାପ ଚନ୍ଦନବୋଡାକୁ ଓଗାଳିଦେଇଥିଲା । ତେବେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ,ନାଗ ସାପର ପେଟ ଭିତରକୁ ଯିବା ପରେ ମଧ୍ୟ ଚନ୍ଦନବୋଡା ଜୀବିତ ଥିଲା। ନିକଟସ୍ଥ ଜଙ୍ଗଲର ବିଭିନ୍ନ ସୁରକ୍ଷିତ ସ୍ଥାନରେ ଉଭୟ ସାପଙ୍କୁ ଛଡାଯାଇଥିଲା । ଆଦିଲ କହିଛନ୍ତି ଯେ ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଯେ ନାଗ ସାପ ଚନ୍ଦନବୋଡାକୁ ସଂପୂର୍ଣ୍ଣ ଗିଳି ଦେଇଥିଲା ଏବଂ ଏହା ପରେ ମଧ୍ୟ ଚନ୍ଦନବୋଡା ବଞ୍ଚିଥିଲା। ସାଧାରଣତଃ ଏମିତି ହୁଏ ନାହିଁ । ଉଦ୍ଧାର ହେବା ପରେ ଉଭୟ ସାପଙ୍କୁ ଜଙ୍ଗଲରେ ଛଡା ଯାଇଥିଲା।

Leave a Reply