ମୁମ୍ବାଇ ମୁହାଁ ବାତ୍ୟା ‘ନିସର୍ଗ’, ୩ ତାରିଖ ଅପରାହ୍ଣରେ ଛୁଇଁପାରେ ସ୍ଥଳଭାଗ

1 min read

ନୂଆଦିଲ୍ଲୀ: ମାଡ଼ି ଆସୁଛି ବାତ୍ୟା ‘ନିସର୍ଗ’ । ପୂର୍ବକେନ୍ଦ୍ରୀୟ ଆରବ ସାଗରରେ ଉତ୍ତର ଉତ୍ତର-ପୂର୍ବଆଡ଼କୁ ଘଣ୍ଟାପ୍ରତି ୧୩ କିମି ବେଗରେ ଗତି କରୁଛି ସାମୁଦ୍ରିକ ଝଡ଼ ‘ନିସର୍ଗ’ । ଏବେ ‘ନିସର୍ଗ’ ଗୋଆର ପାନାଜୀଠାରୁ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ୨୮୦ କିମି ଦୂରରେ ଥିବାବେଳେ ମୁମ୍ବାଇ ଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୩୫୦ କିମି ଦୂରରେ ରହିଛି । ମହାରାଷ୍ଟ୍ରର ଆଲିବାଗଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମରେ ୩୦୦ କିମି ଓ ଗୁଜରାଟର ସୁରଟଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୫୬୦ କିମି ଦୂରରେ ରହିଛି ‘ନିସର୍ଗ’ ।

ଆସନ୍ତା ୧୨ ଘଣ୍ଟାରେ ଏହା ଭୟଙ୍କର ବାତ୍ୟାର ରୂପ ନେଇପାରେ । ଏହା ଉତ୍ତର ଉତ୍ତର-ପୂର୍ବ ଦିଗକୁ ଯାଇ ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜରାଟ ଉପକୂଳ ଦେଇ ହରିହରେଶ୍ୱର ଏବଂ ଦାମନ ମଧ୍ୟରେ ସ୍ଥଳଭାଗ ଛୁଇଁବ । ମହାରାଷ୍ଟ୍ର ଆଲିବାଗ ନିକଟରେ ଏହା ୩ ତାରିଖ ଅର୍ଥାତ୍ ବୁଧବାର ଅପରାହ୍ଣରେ ଏହା ଭୟଙ୍କର ବାତ୍ୟା ରୂପରେ ଅତିକ୍ରମ କରିବ । ପବନର ବେଗ ୧୦୦ରୁ ୧୧୦ କିମି ଘଣ୍ଟାପ୍ରତି ରହିବା ସହ ଗଷ୍ଟିଂ ୧୨୦ କିମି ରହିବ ବୋଲି ଅନୁମାନ କରାଯାଉଛି ।

ଆକଳନ ଅନୁଯାୟୀ ‘ନିସର୍ଗ’ ମୁମ୍ବାଇ ନିକଟରେ ମାଡ଼ ହେଲେ ଏହା ହେବ ପ୍ରଥମ ବାତ୍ୟା । ଆଜି ପର୍ଯ୍ୟନ୍ତ କୌଣସି ବାତ୍ୟା ମୁମ୍ବାଇ ଉପକୂଳରେ ମାଡ଼ ହୋଇନାହିଁ । କରୋନା ପ୍ରକୋପରେ ମୁମ୍ବାଇ ଭୀଷଣ ଭାବେ ପ୍ରଭାବିତ ହୋଇଥିବା ବେଳେ ହଟସ୍ପଟ ପାଲଟିଛି । ଦୈନିକ ମୁମ୍ବାଇରୁ ୩୦୦ରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହେଉଥିବା ବେଳେ ହାରାହାରି ୩୦ ଜଣଙ୍କ ମୃତ୍ୟୁ ହେଉଛି । ଏଭଳି ସ୍ଥିତିରେ ‘ନିସର୍ଗ’ ମୁମ୍ବାଇରେ ମାଡ଼ ହେଲେ ସ୍ଥିତି ପୂରା ବିଗିଡ଼ି ଯିବ ।

Leave a Reply