ଆଜି ବିଶ୍ୱ ସାଇକେଲ ଦିବସ : କଣ ପାଇଁ ଆପଣ ସାଇକେଲ ଚଲାଇବା ଜରୁରୀ ?

ଆଜି ବିଶ୍ୱ ସାଇକେଲ ଦିବସ । କରୋନା କାଳରେ ରାସ୍ତାଘାଟରୁ ଗାଡି ଉଭାନ ହୋଇଯାଇଛି । ଏମିତିରେ ଲୋକ ପୁଣି ଥରେ ସାଇକେଲ ପାଖକୁ ଫେରିଛନ୍ତି । ଆମେରିକା ଭଳି ଦେଶରେ ସାଇକେଲ ବିକ୍ରି ଗଲା ଦୁଇ ମାସ ଭିତରେ ଦୁଇଗୁଣ ବଢିଛି । ଭାରତରେ ହଜାର ହଜାର ସଂଖ୍ୟାରେ ଶ୍ରମିକ ସାଇକେଲରେ ଘରମୁହାଁ ହୋଇଛନ୍ତି । ବିହାରର ଜ୍ୟୋତି କଥା ନିଶ୍ଚିୟ ଶୁଣିଥିବେ । ସେଇ ଜ୍ୟୋତି ଯିଏ ନିଜ ରୋଗୀଣା ବାପାଙ୍କୁ ଧରି ନୂଆଦିଲ୍ଲୀରୁ ବିହାରରେ ନିଜ ଗାଁକୁ ଘରକୁ ଫେରିଥିଲା । ତା’ପୁଣି ସାଇକେଲରେ ।

ସାଇକେଲକୁ ୨୨୩ ବର୍ଷ

ସାଇକେଲର ଯାତ୍ରା ୨୨୩ ବର୍ଷ ପୁରୁଣା । ସାଇକେଲ ତିଆରି ପଛରେ ସେତେବେଳେ ଭାବନା ଥିଲା କେମିତି ଜଣେ ସୁବିଧାରେ ଯାତ୍ରା କରିପାରିବେ । ଏବେ ସାଇକେଲକୁ ସ୍ୱାସ୍ଥ୍ୟ ସହ ଯୋଡା ଯାଉଛି । ଅଷ୍ଟାଦଶ ଶତାବ୍ଦୀରେ ଜର୍ମାନର ଜଣେ ଶାସକ ଡ୍ୟୁକଙ୍କ ପାଖରେ କାମ କରୁଥିବା ଅଧିକାରି କାର୍ଲ ୱାନ୍ ଡୈସ୍ ପ୍ରଥମେ ସାଇକେଲ ତିଆରି କରିଥିଲେ । ଡୈସଙ୍କ ତିଆରି ଦୁଇ ଚକିଆ ଗାଡି ଆଗକୁ ଚାଲି ସାଇକେଲ ବା ବାଇସାଇକେଲ ନାମରେ ପରିଚିତ ହେଲା । ତେବେ ସେତେବେଳେ ମାନେ ୨୨୩ ବର୍ଷ ତଳେ ସାଇକେଲକୁ କୁହାଯାଉଥିଲା ଡୈସନି  । ଡୈସନୀର ଅର୍ଥ ଥିଲା ଏଭଳି ଗୋଟିଏ ଯାନ ଯାହା ବିନା ମୋଟରରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇଥାଏ ।

ସାଇକେଲ ଚଳାଇବାର ଫାଇଦା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ବାବଦରେ ଆଗରୁ ସତର୍କ କରାଇବାରେ ବିଫଳ ହୋଇଥିଲା । ସେଥିପାଇଁ ଟ୍ରମ୍ପ ମହାଶୟ ଏହା ଉପରେ ଖପ୍ପା ଅଛନ୍ତି । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ  ସାଇକେଲ ଚଳାଇବାର ସ୍ୱାସ୍ଥ୍ୟଗତ ଫାଇଦା ବାବଦରେ କହିଛି ।

୧. ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେବନାହିଁ

ନିୟମିତ ସାଇକେଲ ଚଲାଇଲେ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହେବ ନାହିଁ । ତେବେ ଏଥିପାଇଁ ସାଇକେଲିଂ କଲାବେଳେ ଏହା ଧ୍ୟାନରେ ରଖିବାକୁ ପଡିବ ଯେ, ଆପଣଙ୍କ ଆଣ୍ଠୁ ୯୦ ଡିଗ୍ରୀରେ ଘୁରୁଛି ।

୨.ଚିନ୍ତାରୁ ମୁକ୍ତି

ସାଇକେଲିଂ ଦ୍ୱାରା କେବଳ ଶାରିରିକ ଫାଇଦା ମିଳେ ନାହିଁ । ଏହାମଧ୍ୟ ଡିପ୍ରେସନ୍ ବା ଏଂଜାଇଟି ଦୁର କରିଥାଏ । ତେଣୁ ଯଦି ଆପଣ ମାନସିକ ଚାପ ଭିତରେ ରହୁଛନ୍ତି ତେବେ ସାଇକେଲ ଧରି ବାହାରି ପଡନ୍ତୁ ।

୩. ହୃଦରୋଗର ଆଶଙ୍କା କମ କରିଥାଏ

ନିୟମିତ ସାଇକେଲିଂ ଦ୍ୱାରା ହୃଦରୋଗ,ଅସ୍ୱାଭବିକ ହୃଦ ସ୍ପନ୍ଦନ,ହାର୍ଟ ଫେଲ୍ୟୁର ଭଳି କାର୍ଡିଓଭସ୍କ୍ୟୁଲାର ରୋଗର ଆଶଙ୍କା ପ୍ରାୟତଃ ରହିନଥାଏ ।

୪. ସାଇକେଲିଂ ଇମ୍ୟୁନିଟି ବଢାଇଥାଏ ?

କରୋନା କାଳରେ ସମସ୍ତେ ଇମ୍ୟୁନିଟି ପାୱାର ବା ରୋଗ ପ୍ରତିରୋଧକ ଶକ୍ତି କଥା କହୁଛନ୍ତି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ନିୟମିତ ସାଇକେଲ ଚଳାଇଲେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।  ୨୦୧୮ରେ କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ଆପଣ ସକାଳେ ଯେତେବେଳେ ସାଇକେଲିଂ କରନ୍ତି ସେତେବେଳ ଶରିର ଥଣ୍ଡାର ସମ୍ମୁଖୀନ ହୋଇଥାଏ । କିଛି ସମୟ ପରେ ଶରିର ଗରମ ହୁଏ ଓ ପରେ ଅତ୍ୟଧିକ ଗରମକୁ ସହିଥାଏ । ଥଣ୍ଡା ଓ ଗରମକୁ ସମ୍ମୁଖୀନ ହେବାର ଏହି ପ୍ରକ୍ରିୟା ଶରିରର ଟିସେଲ୍ସକୁ ଶକ୍ତି ଦେଇଥାଏ  । ଯାହା ଆମ ରୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ.

୫. କେତେ ସମୟ ପର୍ଯ୍ୟନ୍ତ ଜଣେ ସାଇକେଲ ଚଳାଇବେ ?

ଏହା ଆପଣଙ୍କ ରୁଟିନ୍ ଉପରେ ନିର୍ଭର କରିଥାଏ । ଯଦି ଆପଣ କୌଣସି ଫିଜିକାଲ ଏକ୍ସରସାଇଜ୍ କରୁନାହାନ୍ତି ତେବେ ଆପଣଙ୍କୁ ସପ୍ତାହକୁ ଅତିକମରେ ୫ ଦିନ (ପ୍ରତିଦିନ ୪୫ ମିନିଟ୍) ସାଇକେଲିଂ କରିବାକୁ ପଡିବ । ଯଦି ଆପଣ ଜିମ୍ ଯାଉଛନ୍ତି କିମ୍ବା ଅଲଗା ୱାର୍କଆଉଟ୍ କରୁଛନ୍ତି ତେବେ ୧୫ ମିନିଟ୍ ସାଇକେଲିଂ ଯଥେଷ୍ଟ ।

 

Leave a Reply