ସୋନିଆଙ୍କୁ ସମର୍ଥନ, ଆଉ ବର୍ଷେ ଯାଏଁ କଂଗ୍ରସର ଅନ୍ତରୀଣ ଅଧ୍ୟକ୍ଷ ପଦ ସମ୍ଭାଳିବେ ସୋନିଆ ଗାନ୍ଧି

1 min read

ନୂଆଦିଲ୍ଲୀ: କଂଗ୍ରେସ କମାଣ ସମ୍ଭାଳିବେ ସୋନିଆ ଗାନ୍ଧି । ନେତୃତ୍ୱ ସଂକଟ ନେଇ ଆଜି ବସିଥିବା କଂଗ୍ରେସ ୱାର୍କିଂ କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଆଗାମୀ ବର୍ଷେ ପର୍ଯ୍ୟନ୍ତ ସୋନିଆ ଗାନ୍ଧି ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦରେ ରହିବେ । ସିଡବ୍ଲୁସି ବୈଠକରେ ଦଳର ନେତୃତ୍ୱକୁ ନେଇ ଖୋଲାଖୋଲା ଆଲୋଚନା ହୋଇଥିଲା । ବୈଠକରେ ସୋନିଆ କହିଥିଲେ- ସେ ଆଗକୁ ଦଳର ଅଧ୍ୟକ୍ଷ ରହିବାକୁ ଚାହୁଁନାହାଁନ୍ତି । ତେବେ, କେତେକ ନେତା ତାଙ୍କୁ ପଦରେ ରହିବାକୁ ଅନୁରୋଧ କରିଥିଲେ ।

ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦରୁ ଇସ୍ତପା ଦେବା ପାଇଁ କଂଗ୍ରେସ ୱାର୍କିଂ କମିଟି ବୈଠକରେ ସୋନିଆ କହିଥିଲେ । ଏହା ସହ ସେ ଦଳର ନୂତନ ଅଧ୍ୟକ୍ଷ ବାଛିବା ପାଇଁ କହିଥିଲେ । ତେବେ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଏକେ ଆଣ୍ଟୋନି ସମେତ କିଛି ନେତା ସୋନିଆଙ୍କୁ ପଦରେ ରିବାକୁ ଅପିଲ୍ କରିଥିଲେ ।

କାହିଁକି ବସିଥିଲା ବୈଠକ

ସୋନିଆଙ୍କୁ ପ୍ରାୟ ୨ ସପ୍ତାହ ପୂର୍ବରୁ ଲେଖାଯାଇଥିବା ଏକ ଚିଠିର ପ୍ରତିକ୍ରିୟା ନେଇ ଏହି ସିଡବ୍ଲୁସି ବୈଠକ ଡକାଯାଇଥିଲା । ପ୍ରାୟ ୨୩ ଜଣ ନେତା ଯେଉଁମାନେ ସିଡବ୍ଲୁସିର ସଦସ୍ୟ ଓ ୟୁପିଏ ସରକାରେ ମନ୍ତ୍ରୀ ଥିବା ନେତା ଓ ସାଂସଦ ସୋନିଆ ଗାନ୍ଧିଙ୍କୁ ସଂଗଠନ ପ୍ରସଙ୍ଗରେ ଚିଠି ଲେଖିଥିଲେ । ଚିଠିରେ ଦୃଢ଼ କେନ୍ଦ୍ରୀୟ ନେତୃତ୍ୱ ସହ ଦଳ ଚଳାଇବା ପାଇଁ ସଠିକ୍ ରଣନୀତି ଉପରେ ଜୋର୍ ଦିଆଯାଇଥିଲା । କୁହାଯାଇଥିଲା- ନେତୃତ୍ୱ ଏଭଳି ହେବା ଦରକାର ଯିଏ ସକ୍ରିୟ ଓ ଲୋକଙ୍କ ସହ କାମ କରୁଥିବା ଦେଖାଯିବା ଦରକାର ।

‘ଚିଠି ନୁହେଁ ଗାନ୍ଧି ପରିବାର ବିରୋଧୀ’

ତେବେ, ଚିଠିକୁ ନେଇ ବିବାଦ ଉଠିବା ପରେ ବରିଷ୍ଠ କଂଗ୍ରେସ ନେତା ଅଜୟ ସିଂହ ଏହା ଉପରେ ମତ ରଖିଥିଲେ । ଚିଠିରେ ଲେଖା ଯାଇଥିବା କଥା ଗାନ୍ଧି ପରିବାର ବିରୋଧୀ ନୁହେଁ ବୋଲି କହିବା ସହ ଏହା ପରାମର୍ଶ ବୋଲି କହିଥିଲେ । ‘ସୋନିଆ ପଦ ନିଜ ପାଖରେ ରଖିବାକୁ ଚାହୁଁନାହାଁନ୍ତି, ଏମିତିରେ ରାହୁଲ ଗାନ୍ଧି କାର୍ଯ୍ୟଭାର ସମ୍ଭାଳିବାକୁ ପ୍ରସ୍ତୁତ । ଏହା ଠିକ୍ ଅଛି, ଯଦି ନୁହେଁ । ତେବେ, ପାର୍ଟିର ଶୀର୍ଷ ନେତୃତ୍ୱ ଦଳର ସମ୍ବିଧାନ ପ୍ରକାରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ବୋଲି କହିଥିଲେ ଅଜୟ ସିଂହ ।

ରକ୍ତରେ ଚିଠି ଲେଖିଲେ ଏହି ନେତା

ଅନ୍ୟପଚେ ଦିଲ୍ଲୀରେ କଂଗ୍ରେସ କାଉନସିଲର ସନ୍ଦୀପ ତମ୍ବର ଦଳର ନେତୃତ୍ୱକୁ ନେଇ ରକ୍ତରେ ଏକ ଚିଠି ଲେଖିଛନ୍ତି । ରାହୁଲ ଗାନ୍ଧିଙ୍କୁ ଅଧ୍ୟକ୍ଷ ପଦ ଦେବା ହକ୍ ବୋଲି ସେ ଲେଖିଛନ୍ତି । ସୋନିଆ ଗାନ୍ଧିଙ୍କୁ ଲେଖା ଯାଇଥିବା ଏହି ଚିଠିରେ ତମ୍ବର କହିଛନ୍ତି- ରାହୁଲଙ୍କୁ ଦଳର ଅଧ୍ୟକ୍ଷ ପଦ ନଦେଲେ ଏହା ଦଳର ହିତ ନିଷ୍ପତ୍ତି ହେବ ନାହିଁ । କାରଣ ରାହୁଲ ଦଳ ପାଇଁ ଗ୍ରାଉଣ୍ଡରେ ଲଢୁଛନ୍ତି ।

Leave a Reply