କଟକ ସହରାଞ୍ଚଳ ସମସ୍ୟା ବଢାଉଛି , ମାଲଗୋଦାମ ଯିବା ପାଇଁ ମନା କଲେ ସିଏମସି କମିଶନର….

କଟକ: କଟକ ଜିଲ୍ଲା ଓ ସହରାଞ୍ଚଳର ସ୍ଥିତିକୁ ନେଇ ଜିଲ୍ଲାପାଳ ଓ ସିଏମସି କମିଶନର ସାମ୍ୱାଦିକ ସମ୍ମିଳନୀ କରିଛନ୍ତି । ଉଭୟ ଜିଲ୍ଲାର କରୋନା ସ୍ଥିତିର ବିଶ୍ଲେଷଣ କରି କଟକ କ୍ରମାଗତ ଭାବେ ଭଲ ସ୍ଥିତିକୁ ଫେରୁଥିବା ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାରେ ଏବେ ୯୮୯ ଜଣ ସକ୍ରିୟ ସଂକ୍ରମିତ ରହିଥିବା ବେଳେ ଗ୍ରାମାଞ୍ଚଳରୁ ସଂକ୍ରମଣର ଶୀକାର ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ମାତ୍ର ୨୧୬ । ଅଧିକାଂଶ ସଂକ୍ରମିତ କଟକ ମହାନଗର ନିଗମ ଅଟନ୍ତି । କଟକ ସହରାଞ୍ଚଳରେ ୭୭୩ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଗ୍ରାମାଞ୍ଚଳରେ ୧୮୨୧ କୋଭିଡ୍ ପରିଚାଳନା କମିଟି ପ୍ରସ୍ତୁତ ହୋଇଛି ।  ତେବେ ସୂଚନାଯୋଗ୍ୟ ଯେ ରାଜ୍ୟରେ ଅଦ୍ୟାବଧି ୨୯୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗ୍ରାମାଞ୍ଚଳ ମଧ୍ୟରେ ବଡମ୍ୱା, ଆଠଗଡ଼ ଓ ନରସିଂହପୁର ଅଞ୍ଚଳରେ ସବୁଠାରୁ ଅଧିକ ସଂକ୍ରମିତ ଦେଖା ଦେଇଛନ୍ତି ।

ସେହିଭଳି ଜିଲ୍ଲାରେ ଦୈନିକ ହାରାହାରି ୯୮୩ ନମୁନା ପରୀକ୍ଷା ହେଉଛି, କୋଭଡ୍ କେୟାର ହୋମରେ ୧୨୩୦ ବେଡର ବ୍ୟବସ୍ଥା ରହିଥିବା ବେଳେ ଏବେ ୪୫୦ ବେଡ୍ ଖାଲି ରହିଛି । ସେହିଭଳି ଖୁବ୍ ଶୀଘ୍ର ଏକ ନୂଆ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ନେଇ ମଧ୍ୟ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଯାବତ୍ ୭୯ ଜଣଙ୍କଠାରୁ ଶହେରୁ ଅଧିକ ୟୁନିଟ ପ୍ଲାଜମା ସଂଗ୍ରହ ହୋଇଛି  । ମିଳିଥିବା ୧୩୮ ୟୁନିଟରୁ ୧୦୪ ୟୁନିଟ୍ ବ୍ୟାବହାର ହୋଇ ସାରିଲାଣି । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କଟକର ଜନ ସାଧାରଣଙ୍କୁ ସତର୍କ ରହିବା ପାଇଁ ଅପିଲ କରିବା ସହ ଜିଲ୍ଲାବାସୀଙ୍କ ଜୀବିକା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବା କଥା କହିଛନ୍ତି  । ତାଙ୍କ କହିବା କଥା ଯେ ଜୀବନ ବଞ୍ଚାଇବା ପାଇଁ ସରକାରଙ୍କୁ ଜୀବିକା ସହ ସାଲିସ କରିବାକୁ ପଡ଼ୁଛି, ଏହା ଏବେ ଏକପ୍ରକାରର ବାଧ୍ୟତା । ସାମାଜିକ ଦୂରତ୍ୱକୁ ରକ୍ଷା କରିବାକୁ ଏଭଳି କରିବାକୁ ପଡ଼ୁଛି ।

ମାତ୍ର ସରକାର ଓ ଜିଲ୍ଲା ପ୍ରଶାସନ ଲୋକଙ୍କର ଜୀବିକାକୁ ସ୍ୱାଭାବିକ କରିବାର ପ୍ରଚେଷ୍ଟାରେ ରହିଛନ୍ତି । ସେହିଭଳି କରୋନା ଲଢେଇ ପାଇଁ ଜିଲ୍ଲା ପ୍ରସ୍ତୁତ ରହିଛି । ୩୭୩ଟି  କୋଭିଡ୍ କେୟାର ସେଣ୍ଟର ସାରା ଜିଲ୍ଲାରେ ରହିଛି । ସେହିଭଳି ଏସସିବି ମେଡିକାଲ  କୋଭିଡଜନିତ ସବୁ ପ୍ରକାର ଚିକିତ୍ସା ପାଇଁ ସମର୍ଥ ଓ ସରଞ୍ଜାମ ନେଇ କୌଣସି ସମସ୍ୟା ନାହିଁ । ସାରା ରାଜ୍ୟର ପ୍ରାୟ ୧୮ ଜିଲ୍ଲାର ୧ ଲକ୍ଷ ୨୦ ହଜାର ଟେଷ୍ଟିଂ ଏସସିବିରେ ହୋଇ ସାରିଛି । ଅନ୍ୟପକ୍ଷରେ କଟକ ସହରାଞ୍ଚଳରେ ଚିହ୍ନଟ ହେଉଥିବା ପଜିଟିଭ୍ ମାନଙ୍କ ମଧ୍ୟରେ ପ୍ରାୟ ୪୬ ପ୍ରତିଶତ କଣ୍ଟେନମେଣ୍ଟ ଜୋନର ବାସିନ୍ଦା । ମାଲଗୋଦାମ ଅଞ୍ଚଳରୁ ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ବେହେରା ସାହି ଓ  ତେଲୁଗୁ ସାହି ଭଳି ଅଞ୍ଚଳ ଏବେ ସବୁଠାରୁ ଅଧିକ ସମ୍ୱେଦନଶୀଳ ରହିଛି । ବେହେରା ସାହିର ୧୨ଶହ ଲୋକଙ୍କ ମଧ୍ୟରୁ ୨୮୦ ପଜିଟିଭ୍, ତେଲୁଗୁ ସାହିରୁ ୮୧ ପଜିଟିଭ୍ ଓ ଜଲୱା ସାହିରୁ ୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏସମସ୍ତ ଅଞ୍ଚଳ ଏବେ କଣ୍ଟେନମେଣ୍ଟ ଜୋନରେ ରହିଛି । ସେହିଭଳି ଗୋଦାମ ଅଞ୍ଚଳକୁ ନଯିବା ପାଇଁ କଟକ ସହରବାସୀଙ୍କ ମହାନଗର ନିଗମ ପରାମର୍ଶ ଦେଇଛି ।

Leave a Reply