ପୋଲିସ ଉପରେ ଅପରାଧୀଙ୍କ ହମଲା, ଡେପୁଟି ଏସପିଙ୍କ ସମେତ ୮ ସହିଦ

2 min read

କାନପୁର: ବିଳମ୍ବିତ ରାତିରେ ବଡ଼ ହମଲା । ଉତ୍ତରପ୍ରଦେଶ କାନପୁରରେ ପୋଲିସ ଉପରେ ବଡ଼ ଆକ୍ରମଣ ହୋଇଛି । ହିଷ୍ଟ୍ରୀ ସିଟର ବିକାଶ ଦୁବେକୁ ଧରିବାକୁ ଯାଇଥିବା ବେଳେ ପୋଲିସ ଉପରେ ହୋଇଛି ଆକ୍ରମଣ । ସର୍ଚ୍ଚ ଅପରେସନ୍ ବେଳେ ଅପରାଧୀ ପୋଲିସ ଟିମ୍ ଉପରେ ଆଖିବୁଜା ଗୁଳିମାଡ଼ କରିଥିଲେ । ପୋଲିସ ସେଠାରେ ପହଞ୍ଚିବା କ୍ଷଣି ଛାତ ଉପରୁ ଅନ୍ଧାଧୁନ୍ ଗୁଳି ଚାଳନା କରିଥିଲେ ଅପରାଧୀ ।

ଅପରାଧୀ-ପୋଲିସ ଗୁଳି ବିନିମୟରେ ୮ ଜଣ ପୋଲିସ ସହିଦ ହୋଇଛନ୍ତି । ଡେପୁଟି ଏସପି ଦେବେନ୍ଦ୍ର ମିଶ୍ରଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି । ୪ ଜଣ ପୋଲିସ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ SSP ଓ ଆଇଜି ପହଞ୍ଚିଛନ୍ତି । ଫରେନ୍ସିକ୍ ଟିମ୍ ତଦନ୍ତ ଜାରି ରଖିଛି । ରେଡ୍ ପାଇଁ ବିଳମ୍ବିତ ରାତିରେ ୧୫ରୁ ୧୬ ଜଣିଆ ପୋଲିସ ଟିମ୍ ହିଷ୍ଟ୍ରୀ ସିଟର ବିକାଶ ଦୁବେକୁ ଧରିବାକୁ ଛାପା ମାରିଥିଲା । ବିକାଶ ଦୁବେ ନାଁରେ ୬୦ରୁ ଅଧିକ ମାମଲା ରହିଛି ।

ପୋଲିସ ରେଡ୍ କରିଥିବା ଘରେ ବିପୁଳ ଅସ୍ତ୍ରଶସ୍ତ୍ର ମହଜୁଦ୍ ରହିଥିଲା । ଯେଉଁଥିରେ ପୋଲିସ ଉପରକୁ ଆକ୍ରମଣ କରିଥିଲେ ଅପରାଧୀ । ଏଥିସହ ପୋଲିସକୁ ରୋକିବାକୁ ଅପରାଧୀ ରାସ୍ତାରେ ଜେସିବି ମେସିନ୍ ରଖି ରୋଡ୍ ବନ୍ଦ କରି ଦେଇଥିଲେ । ପୋଲିସର ସୂତ୍ର ବି ଏହାର ପତ୍ତା କରିପାରି ନଥିଲା ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସହିଦ ପୋଲିସ କର୍ମଚାରୀଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏଥିସହ ଉତ୍ତରପ୍ରଦେଶ ଡିଜିପି ଅଶ୍ୱସ୍ତିଙ୍କୁ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଘଟଣା ବାବଦରେ ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply