ସଲମାନଙ୍କୁ ହତ୍ୟା କରିବାକୁ ତିନିଦିନ ଧରି ତାଙ୍କ ଗତିବିଧି ଉପରେ ନଜର ରଖିଥିଲା ସାର୍ପ ସୁଟର ରାହୁଲ

ମୁମ୍ବାଇ: ଅଭିନେତା ସଲମାନ ଖାନଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର । ହରିୟାଣା ଫରିଦାବାଦରେ ୨ ମାସ ପୂର୍ବରୁ ହୋଇଥିବା ହତ୍ୟାକାଣ୍ଡର ଅଭିଯୁକ୍ତର ଗିରଫଦାରୀ ପରେ ପଚରାଉଚରାରୁ ମିଳିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ । ଲରେନ୍‌ସ ବିଷୋୟୀ ଗ୍ୟାଙ୍ଗର ସାର୍ପ ସୁଟର ରାହୁଲ ସାଙ୍ଗାକୁ ଗିରଫ କରିଛି ପୋଲିସ । ରାହୁଲ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିଲା । ମୁମ୍ବାଇରେ ସଲମାନଙ୍କ ଘରର ରେକି ବି କରିଥିବା ଜଣାପଡିଛି । ଗତ ଜାନୁଆରୀରୁ ସଲମାନଙ୍କୁ ହତ୍ୟା ଷଡ଼ଯନ୍ତ୍ର କରାଯାଇଥିବା ସୂଚନା ମିଳିଛି । ଗ୍ୟାଙ୍ଗ ମୁଖ୍ୟ ଲରେନ୍ସ ବିଷ୍ଣୋଇ ରାଜସ୍ଥାନ ଭରତପୁର ସେଣ୍ଟ୍ରାଲ ଜେଲରେ ସଜା କାଟୁଛି ।

ସୂଚନା ଅନୁସାରେ, ଫରିଦାବାଦ ପୋଲିସ ୨୭ବର୍ଷିୟ ସାର୍ପ ସୁଟର ରାହୁଲ ସାଙ୍ଗା ଓରଫ ବାବାକୁ ଗିରଫ କରିଛି । ପୋଲିସ କହିବା ଅନୁଯାୟୀ, ରାହୁଲ ଚଳିତ ବର୍ଷ ଜାନୁୟାରୀରେ ମୁମ୍ବାଇର ବାନ୍ଦ୍ରା ଯାଇଥିଲା ଯେଉଁଠାରେ ସଲମାନ ଖାନଙ୍କ ଘର । ରାଜସ୍ଥାନର ଜେଲରେ ଥିବା ଗ୍ୟାଙ୍ଗଷ୍ଟାର ଲାରେନ୍ସ ବିଷ୍ଣୋଇଙ୍କ ନିର୍ଦ୍ଦେଶରେ ସଲମାନ ଖାନଙ୍କ ଘର ଏବଂ ସଲମାନ ଖାନଙ୍କ ଗତିବିଧି ଉପରେ ତିନିଦିନ ଧରି ନଜର ରଖିବା ସହ ତାଙ୍କର ରେକି କରିଥିଲା ।

କୁହାଯାଉଛି ଯେ, ବିଷ୍ଣୋଇ କିଛି ବର୍ଷ ପୂର୍ବରୁ ରାଜସ୍ଥାନରେ ଏକ ହରିଣକୁ ମାରିବା ଘଟଣାରେ ନିର୍ଦ୍ଦୋଶ ସାବ୍ୟସ୍ତ ହୋଇଥିବା ସଲମାନ ଖାନଙ୍କୁ ମାରିବାକୁ ଚାହୁଁଥିଲା । ଯାହାକୁ ନେଇ ଗତବର୍ଷ ଆଉ ଏକ ଗ୍ୟାଙ୍ଗଷ୍ଟାରକୁ ପଠାଇଥିଲା ବିଷ୍ଣୋଇ ।

Leave a Reply