କ୍ରାଇମବ୍ରାଞ୍ଚକୁ ଗଲା ରାଜଧାନୀ ଗଣ ଦୁଷ୍କର୍ମ ମାମଲା: ଓଟିଭି ଅଫିସରେ ତନାଘନା, ଏମଡ଼ିଙ୍କ ପିଏ ସମେତ ତିନି ଜଣଙ୍କୁ ନୋଟିସ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବହୁଚର୍ଚିତ ରାଜଧାନୀ ଗଣ ଦୁଷ୍କର୍ମ ମାମଲା ରାଜ୍ୟ କ୍ରାଇମବ୍ରାଞ୍ଚ ହାତକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ଏହି ନିର୍ଦ୍ଦେଶ ପାଇବା ପରେ ପ୍ରଥମେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ମହିଳା ଥାନାକୁ ଯାଇ ମାମଲା ସଂକ୍ରାନ୍ତିୟ ସମସ୍ତ ଦସ୍ତାବିଜ ଗ୍ରହଣ କରିଥିଲେ। ପରେ ଏହି ଅଧିକାରୀମାନେ ସନ୍ଧ୍ୟାରେ ଓଟିଭି କାର୍ଯ୍ୟାଳୟକୁ ଯାଇ ତନାଘନା କରିଥିବା ସୂଚନା ମିଳିଛି । ସେମାନେ ଓଟିଭି କାର୍ଯ୍ୟାଳୟରେ କିଛି କାଗଜପତ୍ର ତନଖି କରିବାପରେ ତିନିଜଣ କର୍ମଚାରୀଙ୍କୁ ଆଜି ହାଜର ହେବାକୁ ନୋଟିସ କରିଥିବା ସୂଚନା ମିଳିଛି ।

ଓଟିଭି ଏମଡ଼ି ଜାଗି ମଙ୍ଗତ ପଣ୍ଡାଙ୍କ ପିଏ କୃଷ୍ଣ ବେହେରାଙ୍କ ସମେତ ଅନ୍ୟ ଦୁଇ ଜଣ କର୍ମଚାରୀଙ୍କୁ ନୋଟିସ କରାଯାଇଥିବା ଖବର ମିଳିଛି । ଏହି ତିନି ଅଧିକାରୀ ଆଜି କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହେବେ ବୋଲି ସୂଚନା ମିଳିଛି । ଏହି ଦୁଷ୍କର୍ମ ମାମଲା କ୍ରାଇମବ୍ରାଞ୍ଚ ହାତକୁ ଯିବାପରେ କମିଶନରେଟ ପୋଲିସର ପାରିବାପଣିଆ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply