ଡକାୟତଙ୍କ ଆକ୍ରମଣରେ କ୍ରିକେଟର ସୁରେଶ ରୈନାଙ୍କ ୫୮ ବର୍ଷୀୟ ପିଉସାଙ୍କ ମୃତ୍ୟୁ

1 min read

ଚଣ୍ଡିଗଡ଼: ସୁରେଶ ରୈନା ଆଇପିଏଲ ଛାଡ଼ି ଚାଲି ଆସିଛନ୍ତି । ଏହା ପଛର କାରଣ ତାଙ୍କ ପାରିବାରିକ ସମସ୍ୟା ବୋଲି କୁହାଯାଉଥିଲା । ତେବେ ଏହାକୁ ନେଇ ଏବେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି ।

ଖବର ଅନୁସାରେ ପଞ୍ଜାବର ପଠାନକୋଟ ଜିଲ୍ଲାରେ ଡକାୟତଙ୍କ ଆକ୍ରମଣରେ କ୍ରିକେଟର ସୁରେଶ ରୈନାଙ୍କ ୫୮ ବର୍ଷୀୟ ପିଉସାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପରିବାରର ଚାରି ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ମୃତ ବ୍ୟକ୍ତିଙ୍କ ନାମ ଅଶୋକ କୁମାର । ସେ ଜଣେ ସରକାରୀ କଣ୍ଟ୍ରାକ୍ଟର । ପୋଲିସର କହିବା ଅନୁଯାୟୀ ଘଟଣାଟି ପଞ୍ଜାବର ପଠାନକୋଟର ଥରିୟାଲ ଗାଁରେ ଅଗଷ୍ଟ୧୯-୨୦ ମଧ୍ୟରାତ୍ରୀରେ ଘଟିଛି । ଅଶୋକ କୁମାରଙ୍କ ବଡ଼ ଭାଇ ଶ୍ୟାମଲାଲଙ୍କ କହିବାନୁଯାୟୀ ମୃତ ବ୍ୟକ୍ତି ଜଣକ କ୍ରିକେଟର ସୁରେଶ ରୈନାଙ୍କ ଅଙ୍କଲ । ତେବେ ରୈନା ଗାଁକୁ ଆସିପାରନ୍ତି ବୋଲି ମଧ୍ୟ ସେ ତାଙ୍କ ବୟାନରେ ଉଲ୍ଲେଖ କରିଛନ୍ତି । କିନ୍ତୁ ମୃତ ବ୍ୟକ୍ତିଯେ ସୁରେଶଙ୍କ ସମ୍ପର୍କୀୟ ଏହାକୁ ନେଇ ଠିକ ଭାବରେ କିଛି ସୂଚନା ନାହିଁ ବୋଲି କହିଛନ୍ତି ଜଣେ ବରିଷ୍ଟ ପୋଲିସ ଅଧିକାରୀ ।

ପୋଲିସର ରିପୋର୍ଟ ଅନୁସାରେ ‘କାଲେ କାଛେଓ୍ୱାଲା’ ନାମକ ଏକ ଡାକୟତ ଗ୍ୟାଙ୍ଗ୍‌ ଲୁଟ୍‌ କରିବା ପାଇଁ ଆସିଥିଲେ ଏବଂ ଅଶୋକ କୁମାର ଏବଂ ତାଙ୍କ ପରିବାର ଉପରେ ଆକ୍ରମଣ କରିଛନ୍ତି । ଏହା ପଠାନକୋଟର ମଧୋପୁର ନିକଟରେ ଥିବା ଥରିୟାଲ ଗାଁର ଘଟଣା । ଅଶୋକ ଓ ତାଙ୍କ ପରିବାର ଛାତ ଉପରେ ଶୋଇଥିବା ସମୟରେ ଡକାୟତ ଗ୍ୟାଙ୍ଗ୍‌ ଆକ୍ରମଣ କରିଛି । ଦୁର୍ଭାଗ୍ୟବଶତଃ ଅଶୋକଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଉକ୍ତ ଗ୍ୟାଙ୍ଗ ଅଶୋକଙ୍କ ଘରୁ କିଛି ସୁନା ଏବଂ ଟଙ୍କା ଚୋରି କରି ନେଇ ଯାଇଛନ୍ତି । ମୃତ ଅଶୋକଙ୍କ ୮୦ ବର୍ଷୀୟ ମା ସତ୍ୟା ଦେବୀ,ତାଙ୍କ ପତ୍ନି ଆଶା ଦେବୀ,ପୁଅ ଅପିନ ଏବଂ କୁଶାଲ ଆହତ ହୋଇଛନ୍ତି । ସତ୍ୟାଦେବୀ ହସ୍ପିଟାଲରରୁ ଫେରିଥିବା ବେଳେ ଅନ୍ୟମାନେ ଚିକତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ଅଛନ୍ତି । ତେବେ ପୋଲିସ ଉକ୍ତ ଘଟଣାର ତଦନ୍ତ କରୁଛି ।

Leave a Reply