ପୁଅକୁ କରୋନା, ବାପା ନାଁରେ ଏତଲା

Covid scare for Jagatsinghpur municipal staff as watchman's son tests COVID-19 positive.

କୋଭିଡ ୧୯ ନିୟମକୁ ଉଲଘଂନ କରିଥିବା ଅଭିଯୋଗରେ ଜଗତସିଂହପୁର ପୌର ପରିଷଦର ରାତ୍ରି ଜଗୁଆଳି ବଟକୃଷ୍ଣ ଦାସଙ୍କ ନାଁରେ ଜଗତସିଂହପୁର ଥାନାରେ ଏତଲା ଦିଆଯାଇଛି । ପୌର ପରିଷଦ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ବଟକୃଷ୍ଣଙ୍କ ପୁଅ ରାଜ୍ୟ ବାହାରୁ ଆସିଥିଲେ । ଏହା ପରେ  ଜଗତସିଂହପୁର ଏସ ଭି ଏମ କଲେଜ ଆର୍ଟସ ବ୍ଲକରେ ତାଙ୍କ ନାମ ପଞ୍ଜିକରଣ କରାଯାଇଥିଲା । ନିୟମ ଅନୁଯାୟୀ ସେ କ୍ୱାରେଣ୍ଟାଇନରେ ରହିବା କଥା ମାତ୍ର ବଟକୃଷ୍ଣ ତାଙ୍କୁ କ୍ୱାରେଣ୍ଟାଇନରେ ନରଖି  ମାଣପୁରସ୍ଥିତ ନିଜସ୍ୱ ବାସଭବନକୁ ନେଇ ଯାଇଥିଲେ ।

ଏବେ ସେ ସ୍ୱାବ ଟେଷ୍ଟରେ ପଜିଟିଭ ଆସିବା ପରେ  ଜଗତସିଂହପୁର ପୌର ପରିଷଦର କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ପୁରା ଅଞ୍ଚଳରେ କୋଭିଡକୁ ନେଇ ଆତଙ୍କ ବଢିଛି । ତେବେ ନାମ ପଞ୍ଜିକରଣ ହେବା ପରେ  ମଧ୍ୟ ବଟକୃଷ୍ଣଙ୍କ ପୁଅଙ୍କୁ କେଉଁ କର୍ତ୍ତୃପକ୍ଷ ହୋମ୍ କ୍ୱାରେଣ୍ଟାଇନରେ ଯିବାକୁ ଅନୁମତି ଦେଇଥିଲେ ସେନେଇ ଖୋଳତାଡ ଆରମ୍ଭ ହୋଇଛି । ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହା ଉପରେ ମନ୍ତବ୍ୟ ରଖି କହିଛନ୍ତି ଯେ ରାଜ୍ୟ ବାହାରୁ ଫେରୁଥିବା ସମସ୍ତ ବ୍ୟକ୍ତି ସରକାରୀ କ୍ୱାରେଣ୍ଟାଇନ ଯିବାକୁ ବାଧ୍ୟ  । ମାତ୍ର ଉକ୍ତ ବ୍ୟକ୍ତିଙ୍କ କ୍ଷେତ୍ରରେ ଏଭଳି ହୋଇ ନାହିଁ  । ଯାହା ଆଇନର ସିଧାସଳଖ ଭାବେ ଉଲ୍ଲଂଘନ  । ଏଣୁ ଏନେଇ ଯଥାଶୀଘ୍ର ସବିଶେଷ ତଥ୍ୟ ସଂଗ୍ରହଣ କରିବା ଦିଗରେ ପ୍ରଶାସନ ପ୍ରଚେଷ୍ଟା କରୁଛି । ତେବେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଜତସିଂହପୁର ପୌର ପରିଷଦ ମଧ୍ୟକୁ ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ ହୋଇଥିବା ବେଳେ ଅନେକ କଟକଣା ମଧ୍ୟ ଜାରି ହୋଇଛି ।

Leave a Reply