ଶ୍ରମିକଙ୍କ ପାଇଁ ଅନ୍‌ଲାଇନ୍ ପଞ୍ଜିକରଣ ବ୍ୟବସ୍ଥା କଲେ ଗେହଲଟ୍‌, ଏହା ଦ୍ୱାରା ମିଳିବ ରୋଜଗାର…

ରାଜସ୍ଥାନ: ଶ୍ରମିକଙ୍କ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ନୂଆ ପଦକ୍ଷେପ । କରୋନା ସଙ୍କଟ ଓ ଲକ୍‌ଡାଉନ୍‌ ମଧ୍ୟରେ ସାରା ଦେଶ ଗତି କରୁଥିବା ବେଳେ ଗେହଲଟ୍‌ ଶ୍ରମିକ ମାନଙ୍କୁ ରୋଜଗାର ଦେବା ପାଇଁ ଆରମ୍ଭ କରିଛନ୍ତି ନୂଆ ଯୋଜନା । ଶ୍ରମିକମାନଙ୍କୁ ଚାକିରି ପାବାରେ ସାହାଯ୍ୟ କରିବା ପାଇଁ ‘ଅନ୍‌ଲାଇନ୍ ଏମ୍ପ୍ଲୋଏମେଣ୍ଟ ଏକ୍ସଚେଞ୍ଜ’ ଆଣିବାକୁ ଗେହଲଟ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ଅନେକ ଶ୍ରମିକ ରୋଜଗାର ପାଇପାରିବେ । ଶିଳ୍ପ କ୍ଷେତ୍ରରେ ଅଭାବ ରହୁଥିବା ମାନବ ଶକ୍ତିର ଆବଶ୍ୟକତାକୁ ଏହା ଦ୍ୱାର ପୁରଣ କରାଯାଇପାରିବ ।

 

ଅନ୍‌ଲାଇନ୍‌ ଦ୍ୱାରା ରାଜସ୍ଥାନକୁ ଆସୁଥିବା ସମସ୍ତ ନିର୍ମାଣ ଶ୍ରମିକ କିମ୍ବା ଅନ୍ୟ ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ତଥ୍ୟ ରଖାଯିବ । ଶ୍ରମ ବିଭାଗର ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ସଙ୍କଟ ସମୟରେ ଶ୍ରମିକମାନଙ୍କୁ ସହାୟତା କରିବା ଆମର ଦାୟିତ୍ୱ । ଶିଳ୍ପଗୁଡିକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ଶ୍ରମିକମାନଙ୍କ ଉପଲବ୍ଧତା ନିଶ୍ଚିତ କରିବା ଆବଶ୍ୟକ । ବର୍ତ୍ତମାନ ଶିଳ୍ପଗୁଡ଼ିକର ଆବଶ୍ୟକତା ଅନୁଯାୟୀ ଶ୍ରମିକଙ୍କ ଦକ୍ଷତା ବିକାଶ ମଧ୍ୟ କରିବା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ୍‌ ।

ଗେହଲୋଟ୍ କହିଛନ୍ତି ଯେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଥିବାରୁ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ରାଜସ୍ଥାନକୁ ଆସି ଅନ୍ୟ ରାଜ୍ୟକୁ ଯାଇଛନ୍ତି । ଶ୍ରମ ବିଭାଗର କାମ ହେଉଛି, ଶିଳ୍ପଗୁଡିକର ଆବଶ୍ୟକତା ଅନୁଯାୟୀ ଶ୍ରମିକମାନଙ୍କୁ ଯୋଗ୍ୟତା ଭିତ୍ତିରେ ତାଲିମ ଦେବା । ଯାହା ଦ୍ୱାରା ଏହି ଶ୍ରମିକମାନେ ଶିଳ୍ପରେ ନିୟୋଜିତ ହୋଇ ଜୀବିକା ନିର୍ବାହ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଶ୍ରମ ଆଇନରେ ସଂସ୍କାର ଆଣିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଗେହଲୋଟ୍ କହିଛନ୍ତି, “ଲକ୍‌ଡାଉନ୍ ଯୋଗୁଁ ଶିଳ୍ପସଂସ୍ଥା ଗୁଡ଼ିକର ଅବସ୍ଥା ଭଲ ନାହିଁ । ସେମାନଙ୍କର ପରିସ୍ଥିତି ସୁଧାରିବା, ଶ୍ରମ ବିଭାଗ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ଅନ୍‌ଲାଇନ୍‌ରେ ଅଧିକାଂଶ ବିଭାଗୀୟ ଯୋଜନାଗୁଡ଼ିକୁ କାର୍ଯ୍ୟକ୍ଷମ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରବାସୀ ରାଜସ୍ଥାନ ଶ୍ରମିକଙ୍କ କଲ୍ୟାଣ ପାଇଁ ବଜେଟ୍‌ରେ ଘୋଷିତ ‘ପ୍ରଭାସୀ ରାଜସ୍ଥାନ ଶ୍ରମିକ କଲ୍ୟାଣ ପାଣ୍ଠି’ ଗଠନକୁ ଗେହଲୋଟ୍ ଅନୁମୋଦନ କରିଛନ୍ତି ।

ଶ୍ରମ ମନ୍ତ୍ରୀ ଟିକରାମ ଜୁଲି ସୂଚନା ଦେଇଛନ୍ତି ଯେ ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ଅନୁଯାୟୀ ବିଭାଗ ସେମାନଙ୍କର ଡାଟାବେସ୍ ପ୍ରସ୍ତୁତ କରୁଛି, ଯାହା ଦ୍ୱାରା ସେମାନେ ଶିଳ୍ପର ଆବଶ୍ୟକତା ଅନୁଯାୟୀ ନିଯୁକ୍ତି ସୁଯୋଗ ସହ ଯୋଡି ହୋଇପାରିବେ ।

ସଚିବ ନୀରଜ କେ ପୱନ କହିଛନ୍ତି ଯେ, ଆଜି ପର୍ଯ୍ୟନ୍ତ ପ୍ରାୟ ୬ ଲକ୍ଷ ଶ୍ରମିକ ରାଜସ୍ଥାନକୁ ଫେରିଛନ୍ତି । ଏହାସହ ୧.୩୫ ଲକ୍ଷ ଶ୍ରମିକ ଅନ୍ୟ ରାଜ୍ୟକୁ ଯାଇଛନ୍ତି ।

ବିଭାଗ ସେମାନଙ୍କର ଡାଟାବେସ୍ ପ୍ରସ୍ତୁତ କରୁଛି ଏବଂ ଶ୍ରମିକମାନଙ୍କ ମ୍ୟାପିଂ ସମାପ୍ତ ହେବା ପରେ ସେମାନଙ୍କ ଦକ୍ଷତା ବିକାଶ ରାଜ୍ୟ ଜୀବିକା ବିକାଶ ନିଗମ ମାଧ୍ୟମରେ କରାଯିବ । ସେ ସୂଚନା ଦେଇଛନ୍ତି ଯେ ବିଭାଗ ଦ୍ୱାରା ତାଲିମ ପ୍ରାପ୍ତ ପ୍ରାୟ ୪ ଲକ୍ଷ ଲୋକଙ୍କ ତାଲିକା ଗତ ବର୍ଷ ଶିଳ୍ପ ଓ ସ୍ୱାସ୍ଥ୍ୟ ବିଭାଗକୁ ଉପଲବ୍ଧ କରାଯାଇଛି ।

Leave a Reply