ଚାରି ମାସ ମଧ୍ୟରେ ଭାରତରେ କରୋନା ସ୍ଥିତି ହେବ ନିୟନ୍ତ୍ରଣ !

1 min read
Triple Mutant Coronavirus B1618 Reported In India

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ ସଙ୍କଟ ଏବେ ବି ଜାରି ରହିଛି । ତେବେ ଆସନ୍ତା ଚାରିମାସ ମଧ୍ୟରେ କୋଭିଡ -19 ଦେଶରେ ନିୟନ୍ତ୍ରଣ ହେବ ବୋଲି କୁହାଯାଉଛି । ସରକାରଙ୍କ ଦ୍ୱାରା ଗଠନ ହୋଇଥିବା ବୈଜ୍ଞାନିକମାନଙ୍କର ଏକ କମିଟି ଅନୁସାରେ, ୨୦୨୧ ମସିହା ଫେବୃଆରୀ ମାସ ସୁଦ୍ଧା ମହାମାରୀର ସ୍ଥିତି ନିୟନ୍ତ୍ରଣ ହେବ । ଯଦି ସମଗ୍ର ଦେଶବାସୀ ସତର୍କ ରହି ସବୁ ନିୟମ ଠିକ୍ ଭାବରେ ପାଳନ କରନ୍ତି ତାହେଲେ କରୋନାଠୁ ମୁକ୍ତି ମିଳିପାରିବ ।

ହାଇଦ୍ରାବାଦ ଆଇଆଇଟିର ପ୍ରଫେସର ଏମ ବିଦ୍ୟାସାଗରଙ୍କ ଅନୁସାରେ ଦେଶରେ କରୋନା ସଂକ୍ରମଣ ମହାମାରୀର ଗତିବିଧିକୁ ବୁଝିବା ପାଇଁ କମିଟି ଏକ ନୂତନ ମଡେଲ ବ୍ୟବହାର କରିଥିଲା। ଏଥିରୁ ଜଣାପଡିଛି ଯେ, ସେପ୍ଟେମ୍ବର ମାସରେ କରୋନା ଶିଖରରେ ରହି ଏବେ ଗତ ଏକ ମାସରୁ ଏହାର ସଂକ୍ରମିତ ସଂଖ୍ୟା କମିବାରେ ଲାଗିଛି ।

କମିଟିରେ ସାମିଲ ଥିବା କାନପୁରର ଆଇଆଇଟି ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲଙ୍କ କହିବାନୁସାରେ, ଲୋକଙ୍କୁ ସତର୍କତା ଅବଲମ୍ବନ କରିବା ଉଚିତ୍ । କେରଳରେ ଓନାମ ଫେଷ୍ଟିଭାଲ ପରେ କରୋନା ସଂକ୍ରମିତ ମାମଲା ବୃଦ୍ଧି ହୋଇଥିଲା । ତେଣୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା ଏବଂ ପରିଷ୍କାର ପରିଚ୍ଛନ୍ନତା ରହିବା ମହାମାରୀକୁ ରୋକିବାରେ ସହଯୋଗ କରିବ । ଯଦି ସମସ୍ତ ନିୟମ ପାଳନ କରାଯାଏ ତାହେଲେ ଫେବୃଆରୀ ସୁଦ୍ଧା ଦେଶର ପରିସ୍ଥିତି ନିୟନ୍ତ୍ରଣକୁ ଆସିବ।

୧- କମିଟି ଏହା ମଧ୍ୟ କହିଛି ଯେ ଯଦି ମାର୍ଚ୍ଚରେ ଲକଡାଉନ୍ ଘୋଷଣା ହୋଇନଥାନ୍ତା ତେବେ ଦେଶର ଅବସ୍ଥା ବହୁତ ଖରାପ ଥାନ୍ତା । ଲକଡାଉନ୍ ନହୋଇଥିଲେ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ବଢିଥାନ୍ତା । ମାର୍ଚ୍ଚ ମାସରେ ଲକଡାଉନ୍ କାରଣରୁ ମୃତ୍ୟୁ ସଂଖ୍ୟା ପ୍ରାୟ ୧ ଲକ୍ଷ ଭିତରେ ରହିଲା ବୋଲି କମିଟିର ମତ । ଲକଡାଉନ୍ ନହୋଇଥିଲେ ଏହି ସଂଖ୍ୟା ଅଧିକ ହୋଇଥାନ୍ତା ।

୨- କମିଟି ଏହା ମଧ୍ୟ ବିଚାର କରିଛି ଯେ, ମାର୍ଚ୍ଚରେ ଲକଡାଉନ୍ ପରେ ସଂକ୍ରମଣର ପ୍ରଭାବ ବହୁତ କମ୍ ଥିଲା। କମିଟି ଅନୁଯାୟୀ, ପ୍ରବାସୀ ନିଜ ନିଜ ରାଜ୍ୟକୁ ଫେରିବା ପରେ ଗ୍ରହଣ କରାଯାଇଥିବା କ୍ୱାରାଣ୍ଟାଇନ୍ ରଣନୀତି ଅତ୍ୟନ୍ତ ପ୍ରଭାବଶାଳୀ ଥିଲା ।

୩- କରୋନା ରିପୋର୍ଟ ଅନୁଯାୟୀ, ଦେଶରେ ୧ ଲକ୍ଷ ୧୪ ହଜାରରୁ ଅଧିକ ମୃତ୍ୟୁ ହୋଇଛି ଏବଂ ପ୍ରାୟ ୭୫ ଲକ୍ଷ କରୋନା ସଂକ୍ରମିତ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ଦେଢ ମାସ ମଧ୍ୟରେ ପ୍ରଥମ ଥର ପାଇଁ ମୋଟ ସକ୍ରିୟ ମାମଲା ୮ ଲକ୍ଷରୁ କମ୍ ରହିଛି ।

୪- ବିଶ୍ୱରେ ପ୍ରାୟ ୪କୋଟି କରୋନା ମାମଲା ରହିଛି । ସେଥିମଧ୍ୟରୁ ଭାରତରେ ପ୍ରାୟ ୭୫ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହିଛି । ସାରା ବିଶ୍ୱରେ ୧୧ଲକ୍ଷରୁ ଅଧିକ ମୃତ୍ୟୁ ହୋଇଥିବାବେଳେ, ଭାରତରେ ୧ ଲକ୍ଷରୁ ଅଧିକ ମୃତ୍ୟୁ ମାମଲା ରହିଛି । ଆମେରିକାରେ ପ୍ରାୟ ୮୨ ଲକ୍ଷ ମାମଲା ଏବଂ ୨ ଲକ୍ଷ ୧୯ ହଜାର ମୃତ୍ୟୁ ହୋଇଛି । ସେପଟେ ବ୍ରାଜିଲରେ ୫୨ ଲକ୍ଷରୁ ଅଧିକ ମାମଲା ରହିଥିବାବେଳେ ୧ ଲକ୍ଷ ୫୩ ହଜାରରୁ ଅଧିକ ମୃତ୍ୟୁ ହୋଇଛି ।

Leave a Reply