ଲକ୍‌ଡାଉନ୍ ବଢିବ ? ପିଏମ୍-ସିଏମ୍ ମିଟିଂରୁ ମିଳିଲା ସଂକେତ

1 min read

ନୂଆଦିଲ୍ଲୀ: କ’ଣ ଲକଡାଉନ୍ ଅବଧି ପୁଣି ବଢିବ ? କ’ଣ ମଙ୍ଗଳବାର ପୁଣି ଥରେ ଲକଡାଉନ୍ ବଢୁଛି ବୋଲି କେନ୍ଦ୍ର ସରକାର ଘୋଷଣା କରିବେ ? ଏହି ପ୍ରଶ୍ନ ଓ ଆଶଙ୍କା ଏଥିପାଇଁ ଉତ୍ପନ୍ନ ହେଉଛି ଯେ, ସୋମବାର ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀମାନଙ୍କ ଆଲୋଚନା କାଳରେ କରୋନା ମୁକାବିଲା ରଣନୀତି ଉପରେ ଚର୍ଚ୍ଚା ସମୟରେ କିଛି ମୁଖ୍ୟମନ୍ତ୍ରୀ ଲକଡାଉନ୍ ଅବଧି ବଢାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ସବୁଠୁ ବଡ଼ କଥା ହେଉଛି, ଲକଡାଉନ୍ ବଢ଼ାଇବା ପାଇଁ ଦାବି, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ନୁହନ୍ତି ବିରୋଧୀ ଦଳ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପଟୁ ଆସିଛି । ଲକଡାଉନ୍ ଅବଧି ବଢାଇବା ସପକ୍ଷରେ ଥିବା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଲକଡାଉନ୍ ନବଢିଲେ ସଂକ୍ରମଣ ରୋକିବା ଅସମ୍ଭବ

ବୈଠକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲକଡାଉନ୍ ବୃଦ୍ଧି ସପକ୍ଷରେ ଯୁକ୍ତି ବାଢିଛନ୍ତି । ସେ କହିଛନ୍ତି ଯେ, ଲକଡାଉନ୍‌କୁ ନବଢାଗଲେ ସଂକ୍ରମଣ ରୋକିବା ଅସମ୍ଭବ ହୋଇପଡିବ । ସେହିଭଳି ମମତା ବାନାର୍ଜୀ ମଧ୍ୟ ଲକଡାଉନ୍ ସପକ୍ଷରେ ଯୁକ୍ତି ବାଢିଥିଲେ । ଲକଡାଉନ୍ ଅବଧିକୁ ଅଧିକ ବଢାଇବା ପାଇଁ ମମତା କହିଥିଲେ ।

ରେଡ୍ ଜୋନରୁ ଗ୍ରୀନ୍‌ଜୋନ୍‌ ମଧ୍ୟରେ ଯାତାୟତ ବନ୍ଦ ହେଉ

ଅନ୍ୟପକ୍ଷେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍‌ ସମ୍ପୂର୍ଣ୍ଣ ଦେଶରେ ଯାତାୟତ ଉପରେ ପ୍ରତିବନ୍ଧକ ଲାଗୁ ଉପରେ ଜୋର୍‌ ଦେଇଥିଲେ । ସେ ରେଡ୍ ଜୋନ୍‌ରୁ ଗ୍ରୀନ୍‌ ଜୋନ୍‌କୁ ଯାତାୟତ ଉପରେ ପ୍ରତିବନ୍ଧକ ଲାଗୁ କରିବାକୁ କହିଥିଲେ ।

ରଣନୀତି ସହ ଲକଡାଉନ୍ ବଢୁ

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ମଧ୍ୟ ଲକଡାଉନ୍ ବଢୁ ବୋଲି କହିଥିଲେ । ତେବେ ଏଥିପାଇଁ ରଣନୀତି ପ୍ରସ୍ତୁତ କରିବାକୁ ସେ କହିଥିଲେ । ରାଜ୍ୟମାନଙ୍କ ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ପଦକ୍ଷେପ ନିଆଯାଉ ବୋଲି ସେ ଦାବି କରିଥିଲେ ।

୩୧ ମେ’ ପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ ବନ୍ଦ ହେଉ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ ତାଙ୍କ ରାଜ୍ୟରେ ୩୧ ମେ’ ପର୍ଯ୍ୟନ୍ତ ରେଳ ଚଳାଚଳ ବନ୍ଦ ରଖିବାକୁ ଅନୁରୋଧ କରିଥିଲେ ।ଚେନ୍ନାଇରେ କୋଭିଡ୍-୧୯ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରେଳ ଚଳାଚଳା ପାଇଁ ଅନୁମତି ନଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ଗତ ମିଟିଂ, ପରଦିନ ହୋଇଥିଲା ଲକଡାଉନ୍ ବୃଦ୍ଧି ଘୋଷଣା

ଲକଡାଉନ୍ ବୃଦ୍ଧି ନେଇ ଆଶଙ୍କା ପ୍ରକାଶ ପାଇବାର ମୁଖ୍ୟ କାରଣ ହେଉଛି ଗତଥର ମିଟିଂ ପରଦିନ ହିଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ଲକଡାଉନ୍ ୩.୦ର ଘୋଷଣା ହୋଇଥିଲା । ୨୭ ଏପ୍ରିଲରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ ଓ ତା’ର ପରଦିନ ଅର୍ଥାତ ଏପ୍ରିଲ ୨୮ରେ ଲକଡାଉନ୍ ୩.୦ ଘୋଷଣା ହୋଇଥିଲା । ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି ଯେ, କେନ୍ଦ୍ର ସେମାନଙ୍କ ପରାମର୍ଶ ଆଧାରରେ ନିଷ୍ପତ୍ତି ନେବ । ତେଣୁ ଲକଡାଉନ୍ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ପରାମର୍ଶ ଉପରେ ପ୍ରଧାନମନ୍ତ୍ରୀ କେଉଁ ପଦକ୍ଷେପ ନେଉଛନ୍ତି ତାହା ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ଜଣା ପଡିଯିବ ।

Leave a Reply