ପ୍ରଥମ ରାଜ୍ୟ ଭାବେ ଗୋଷ୍ଠୀ ସଂକ୍ରମଣକୁ ସ୍ୱୀକାର କଲା କେରଳ

COVID-19 local transmission confirmed in kerala

କେରଳ: କେରଳରେ ଆରମ୍ଭ ହେଲାଣି କରୋନାର ଗୋଷ୍ଠୀ ସଂକ୍ରମଣ । ପ୍ରଥମ ଥର ପାଇଁ କେରଳରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ରାଜ୍ୟ ସରକାର କହିଛନ୍ତି । କେରଳର ଥିରୁଅନନ୍ତପୁରମର ଦୁଇଟି ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା କୁହାଯାଇଛି । ପୁନ୍‌ଥୁରା ଓ ପୁଲୁଭିଆରେ ଗୋଷ୍ଠୀ ସଂକ୍ରମଣ ହୋଇଛି । ତେଣୁ ଅଧିକ ସତର୍କ ରହିବା ପାଇଁ ଲୋକଙ୍କୁ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ନିବେଦନ କରିଛନ୍ତି ।  ପୁନ୍‌ଥୁରାରେ ୫୦ ଜଣ ଲୋକଙ୍କର ନମୁନା ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ସେହିପରି ପୁଲୁଭିଆରେ ୫୭ ନମୁନା ମଧ୍ୟରୁ ୨୮ ଜଣ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଛି । ଗତକାଲି ରାଜ୍ୟରେ ୭୯୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏ ମଧ୍ୟରେ ୫୩୨ ଲୋକାଲ୍ କେସ ରହିଥିଲା । ଏବେ କେରଳରେ ୨୮୫ଟି ହଟସ୍ପଟ୍ ଚିହ୍ନଟ ହୋଇଛି ।


ଦେଶରେ ଗତ ୨୪ଘଣ୍ଟାରେ ୩୪ହଜାର ୮୮୪ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ୬୭୧ ଜଣଙ୍କ ଜୀବନ ନେଇଛି ଏହି କିଲର ଭାଇରସ । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୩୮ ହଜାର ପାର୍‌ କରିଛି । ମୋଟ୍‌ କରୋନା ମୃତ୍ୟୁସଂଖ୍ୟା ୨୬ହଜାର ଟପିଛି । ଦେଶରେ ଏବେ ୩ଲକ୍ଷ ୫୮ ହଜାର ୬୯୨ ଆକ୍ଟିଭ୍ କେସ ରହିଥିବା ବେଳେ ଚିକିତ୍ସା ପରେ ୬ଲକ୍ଷ ୫୩ ହଜାର ୭୫୧ ଜଣ ସୁସ୍ଥ ହୋଇଛନ୍ତି । ସେପଟେ ବେଙ୍ଗାଳୁରୁ, ହାଇଦ୍ରାବାଦ ଓ ପୁନେ ପାଲଟିଛି ଦେଶର ନୂଆ କୋଭିଡ୍ ହଟ୍‌ସ୍ପଟ୍ । ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, ଅହମ୍ମଦାବାଦରେ ଧୀରେଧୀରେ ସଂକ୍ରମଣ କମୁଥିବା ବେଳେ ୩ ସହରରେ ବଢୁଛି । ବେଙ୍ଗାଳୁରୁରେ ଗତ ୪ ସପ୍ତାହର ତଥ୍ୟ ଅନୁସାରେ ଦିନକୁ ପ୍ରାୟ ୧୨ ପ୍ରତିଶତ କରୋନା ମାମଲା ବଢୁଛି ।

(ନନ୍ଦିଘୋଷ ବ୍ୟୁରୋ)

Leave a Reply